ରାଉରକେଲା: ରାଉରକେଲାରେ ପ୍ରବଳ ଝଡ଼ବର୍ଷା । ଏହି ପ୍ରବଳ ପବନ ଓ ବର୍ଷାରେ ସିଭିଲ୍ ଟାଉନସିପ୍ ମଡର୍ଣ୍ଣ ପଡ଼ିଆରେ ଗଣେଶ ପୂଜା ପାଇଁ ନିର୍ମିତ ବିଶାଳ ପେଣ୍ଡାଲଟି ଭୁଶୁଡ଼ି ପଡିଛି । ଡିଜନିଲ୍ୟାଣ୍ଡ ଢାଞ୍ଚାରେ ନିର୍ମିତ ଏହି ପେଣ୍ଡାଲର ଉଚ୍ଚତା ପ୍ରାୟ ୧୫୦ ଫୁଟ୍ ରହିଥିବାର ସୂଚନା ରହିଛି । ଘଟଣା ପରେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା ।
ସୂଚନାନୁସାରେ, ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ରାଉରକେଲା ସହରରେ ହଠାତ୍ ପ୍ରବଳ ବର୍ଷା ସହ ଜୋର୍ଦାର ପବନ ବୋହିଥିଲା । ଏହାର ପ୍ରଭାବରେ ସିଭିଲ ଟାଉନସିପ୍ରେ ନିର୍ମିତ ପ୍ରାୟ ୧୫୦ ଫୁଟ ଉଚ୍ଚର ଗଣେଶ ପୂଜା ପେଣ୍ଡାଲ ଭୁଶୁଡ଼ି ପଡ଼ିଥିଲା ।
ପେଣ୍ଡାଲ ଭାଙ୍ଗି ପଡ଼ିବା ଫଳରେ ଏହା ଭିତରେ ଥିବା ବିଭିନ୍ନ ସାଜସଜ୍ଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ନଷ୍ଟ ହୋଇଥିବା ଜଣାପଡ଼ିଛି । କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।

