Latest Odisha News

ସମ୍ବଲପୁର ହିଂସାରେ ସମ୍ପୃକ୍ତ ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ : ପୋଲିସ ଡିଜି

ସମ୍ବଲପୁର : ହନୁମାନ ଜୟନ୍ତୀକୁ ନେଇ ସମ୍ବଲପୁର ସହରରେ ଦେଖା ଦେଇଥିବା ଉତ୍ତେଜନା ଏବେବି ସମ୍ପୂର୍ଣ୍ଣ ଭାବେ ଥମି ନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଆଉ ୨ ଦିନ ପାଇଁ ଅର୍ଥାତ ୧୭ ତାରିଖ ସକାଳ ୧୦ଟା ଯାଏ ଏହି ସେବା ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଗୃହ ବିଭାଗ । ସୋସିଆଲ ମିଡିଆରେ ହିଂସା ସୃଷ୍ଟିକାରୀ ବାର୍ତ୍ତା ଉପରେ ରୋକ ଲଗାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଅନିର୍ଦ୍ଦଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ରହିଛି ଓ ଶାନ୍ତି ଫେରାଇ ଆଣିବା ପାଇଁ ସବୁ ଉଦ୍ୟମ ହୋଇଛି । ସେପଟେ ସମ୍ବଲପୁର ହିଂସା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମୁତୟନ ହୋଇଥିବା ସେ ସୂଚନା ଦେଇଛନ୍ତି । ସମ୍ବଲପୁରରେ କିଛି ଅପ୍ରିୟ ଘଟଣା ଘଟିଥିବା ସେ ସ୍ବୀକାର କରିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି ବୋଲି ପୋଲିସ ଡିଜି କହିଛନ୍ତି । ଏଥିସହ ଗଣ୍ଡଗୋଳକାରୀଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ସମ୍ବଲପୁର ସହରରେ ପରିସ୍ଥିତି ସ୍ବାଭାବିକ ନହେବା ଯାଏଁ ଲାଗୁ ହୋଇଥିବା କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ସମ୍ବଲପୁର ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଥିବା ନେଇ ସମ୍ବଲପୁର ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି। କର୍ଫ୍ୟୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ତେବେ ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରୀ କାମର ବାହାରକୁ ବାହାରିପାରିବେ ଲୋକେ । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ । ଏପରି କି ବସ ଚଳାଚଳ ବନ୍ଦ ରହିବ । ସେହିପରି ଟ୍ରେନ ଯାତ୍ରୀ କଟକଣା କୋହଳ ସମୟରେ ଷ୍ଟେସନକୁ ଯାଇପାରିବେ, ଅନ୍ୟସମୟରେ ସହର ଭିତର ଦେଇଯାଇପାରିବେ ନାହିଁ । ସେପଟେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଣ୍ଟିଆ ହେଲପଲାଇନ ନମ୍ବର ୭୬୫୫୮୦୦୭୬୦ ଜାରି କରାଯାଇଛି । ଯେକେହିବି କର୍ଫ୍ୟୁ କଟକଣା ଓ ଆଇନଶୃଙ୍ଖଳା ଭଙ୍ଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ।

Leave A Reply

Your email address will not be published.