ସମ୍ବଲପୁର ବନ୍ଦ

0
6

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଏଇ ନଭେମ୍ବର ବାର ତାରିଖ ଦିନ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବା ପାଇଁ ରାଜଧାନୀ ଏକ୍ସପ୍ରେସରେ ଟିକେଟ ହୋଇଥାଏ। ଏତିକି ବେଳେ ବିରୋଧୀ ଡାକରା ଦେଲେ ଓଡ଼ିଶା ବନ୍ଦ। କେବଳ ସେଥିପାଇଁ ମୁଁ ସପରିବାର ଏଗାର ତାରିଖରୁ ହିଁ ଗାଁରୁ ଆସି ଭୁବନେଶ୍ୱରରେ ପହଞ୍ଚି ସାରିଥାଏ। ଜଣାନାହିଁ, ଯଦି ବନ୍ଦ ଉଗ୍ରରୂପ ନିଏ, ତାହେଲେ ହୁଏତ ମତେ ଷ୍ଟେସନ୍ ପହଞ୍ଚିବା ସମ୍ଭବ ହେବନି। ଯଦିଓ ବିରୋଧୀ ବନ୍ଦ ଡାକରା ଦେଇଥିଲେ କିନ୍ତୁ ସୌଭାଗ୍ୟବଶତଃ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କୌଣସି ଜନଜୀବନକୁ ପ୍ରଭାବିତ କରିପାରିବା ଭଳି ସେମିତି କିଛି କରିପାରିଲେ ନାହିଁ। ଠିକ୍ ସମୟରେ ମୁଁ ପିଲାମାନଙ୍କୁ ନେଇ ଟ୍ରେନ୍ ଧରି ସାରିଥାଏ। ନିର୍ଦ୍ଧାରିତ ସମୟରେ ରାଜଧାନୀ ଏକ୍ସପ୍ରେସ୍ ଛାଡ଼ିଲା ଭୁବନେଶ୍ୱର ଷ୍ଟେସନ୍। ଆମେ ସମସ୍ତେ ପ୍ରାୟତଃ ଜିନିଷପତ୍ର ଠିକ୍ ସ୍ଥାନରେ ରଖି ନିଜ ନିଜ ବର୍ଥରେ ବସି ସାରିଥିଲୁ।

ମାତ୍ର କିଛି ସମୟ ପରେ କଟକ ଷ୍ଟେସନରୁ ଚଢ଼ିଲେ ମୋର ସମବୟସ୍କ ଜଣେ ଯାତ୍ରୀ। ନାଁ ତାଙ୍କର ସମ୍ପଦ ଶତପଥୀ। ଟ୍ରେନରେ ଚଢ଼ିବା ପରେ ଅନେକ ସମୟ ପର୍ଯ୍ୟନ୍ତ ସେ ବିଭିନ୍ନ ଲୋକଙ୍କ ସହିତ ଫୋନରେ କଥା ହେଉଥାନ୍ତି। ଏପଟେ ମୋ ପିଲାମାନେ ଟ୍ରେନ୍ ଭିତରେ ଆନନ୍ଦରେ ନାଚିବା କୁଦିବାରେ ବ୍ୟସ୍ତ। ସେମାନଙ୍କ ପାଟିତୁଣ୍ଡରେ ସମ୍ପଦ ବାବୁଙ୍କ କଥାବାର୍ତ୍ତାରେ ବ୍ୟାଘାତ ସୃଷ୍ଟି ହେଉଥାଏ। ତେଣୁ ମୁଁ ବାରମ୍ବାର ମୋ ପିଲାମାନଙ୍କୁ ତାଗିଦ୍ କରୁଥାଏ। ଏତିକି ବେଳେ ମୋର ଗୋଟିଏ ଫୋନ୍ କଲ୍ ଆସିଲା। ଦୀର୍ଘଦିନ ପରେ ଓଡ଼ିଶା ଆସିଥିବା ସତ୍ତ୍ୱେ ଅନେକ ବନ୍ଧୁଙ୍କୁ ସାକ୍ଷାତ କରିପାରିନଥିଲି। ସେଥିପାଇଁ କେହି କେହି ଅଭିମାନ କରୁଥିଲେ। ତେବେ ମୋର ଜଣେ ବନ୍ଧୁଙ୍କ ସହିତ ଫୋନରେ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ଆଲୋଚନା ଚାଲିଥିବା ଶୁଣୁଥିଲେ ସମ୍ପଦ ବାବୁ। ମୋର କଥାବାର୍ତ୍ତା ସରିବା ପରେ ସେ ତାଙ୍କଆଡୁ ମୋ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ। ଅନେକ ସମୟ ଧରି ଆମ ଭିତରେ ବିଶ୍ୱବିଦ୍ୟାଳୟ, ଗବେଷଣା, ସନ୍ଦର୍ଭ, ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶନ ଇତ୍ୟାଦି ସମ୍ପର୍କରେ ଆଲୋଚନା ଚାଲିଥାଏ। ସେ ଦିଲ୍ଲୀର ଏକ ରାଷ୍ଟ୍ରୀୟ ଅନୁଷ୍ଠାନରେ ଗବେଷଣା ସହଯୋଗୀ ଭାବେ କାମ କରନ୍ତି। ଉଭୟଙ୍କ ଆଲୋଚନା ବେଳେ ଉଭୟେ ଯେ ସମାନ କ୍ଷେତ୍ରରେ ଗବେଷଣାରେ ସମ୍ପୃକ୍ତ ସେ କଥା ଜାଣିବାକୁ ପାଇଲୁ।

ଏମିତି ହିଁ କଥା ପ୍ରସଙ୍ଗରେ ଆମ ଆଲୋଚନା ଭିତରକୁ ପଶିଆସିଲା ଓଡ଼ିଶା ବନ୍ଦ ପ୍ରସଙ୍ଗ। ଏହି ବନ୍ଦ ପାଇଁ କେମିତି ବିଭିନ୍ନ ସମୟରେ ଆମେ ସମସ୍ତେ ହଇରାଣ ହୋଇଛନ୍ତି, ସେ ସମ୍ପର୍କରେ ଆଲୋଚନା ଚାଲିଲା। ସମ୍ପଦ ବାବୁ ତାଙ୍କର ଏକ ଅବିସ୍ମରଣୀୟ ଅନୁଭୂତି କହିଲେ। କଥାଟା ମୋ ମନକୁ ଭାରି ପ୍ରଭାବିତ କରିଥିଲା। ସମ୍ପଦ ଶତପଥୀ ସେତେବେଳେ ଗାଁରୁ ବାହାରିଯାଇ ଦିଲ୍ଲୀରେ କାମ କରୁଥାନ୍ତି। ସେ ଥାଆନ୍ତି ଏକ ଘରୋଇ ବହୁଦେଶୀୟ ଔଷଧ କମ୍ପାନିର କର୍ମଚାରୀ। ତାଙ୍କ ପତ୍ନୀ ସୁସ୍ମିତା ସମ୍ବଲପୁରରେ ନିଜର ସ୍ନାତକୋତ୍ତର ଡିଗ୍ରୀ ପଢ଼ିବା ଶେଷ କରିଥାନ୍ତି। କିନ୍ତୁ ତାଙ୍କ ସାର୍ଟିଫିକେଟ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାଗଜପତ୍ର ସେ ପାଇନଥାନ୍ତି। ଏଥିପାଇଁ ସମ୍ପଦ ବାବୁ ତିନି ଦିନ ଛୁଟି ନେଇ ଆସିଥାନ୍ତି ଦିଲ୍ଲୀରୁ। ନିଜ ଗାଁକୁ ନଯାଇ, ନିର୍ଦ୍ଧାରିତ ସମୟରେ ସେ କେମିତି କାମ ସାରି ଦିଲ୍ଲୀ ଫେରି ପୁଣି କାମରେ ଯୋଗଦେବେ ସେହି ଚିନ୍ତା ଥାଏ ତାଙ୍କରି ମନରେ। ସେଥିପାଇଁ ସେ ସିଧା ସମ୍ବଲପୁର ପହଞ୍ଚି ସୁସ୍ମିତାଙ୍କ କାଗଜପତ୍ର ଯୋଗାଡ଼ କରିବାରେ ଲାଗି ପଡ଼ିଲେ। ଗୋଟିଏ ଦିନ ପୂରା ଏଇ ବିଭାଗରୁ ସେଇ ବିଭାଗକୁ ଦୌଡ଼ି ଦୌଡ଼ି ଚାଲିଗଲା। କର୍ପୋରେଟ୍ ସଂସ୍ଥାରେ କାମ କରିଥିବା ସମ୍ପଦ ବାବୁଙ୍କୁ ଏହି ସରକାରୀ ଅଫିସର ଆଦବ କାଇଦା ବଡ଼ ଅଡୁଆ ଲାଗୁଥାଏ। ଜଣକ ପାଖକୁ ଗଲେ ସେ ଅନ୍ୟ ଜଣକ ଆଡକୁ ଦେଖାଉଥାନ୍ତି। ସମ୍ପଦ ବାବୁ ବାରମ୍ବାର ନେହୁରା ହେବା ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ଅଫିସରେ ଥିବା ବାବୁମାନେ ସହଯୋଗ କରୁନଥାନ୍ତି। ଖରାଦିନର ପ୍ରାୟ ୪୮ ଡିଗ୍ରୀ ତାପମାତ୍ରାରେ ଗୋଟାତୁଲେ ସିଝି ସାରିଥାନ୍ତି ସମ୍ପଦ।

ସନ୍ଧ୍ୟାରେ ହୋଟେଲ ରୁମକୁ ଫେରି ନଖାଇ ନପିଇ ଶୋଇଯାଇଥାନ୍ତି ସେ। ପରଦିନ ସକାଳୁ ପୁଣି ଦୌଡ଼ିଲେ ବିଶ୍ୱବିଦ୍ୟାଳୟ। ଗୋଟିଏ ଟେବୁଲରୁ ଆଉ ଗୋଟିଏ ଟେବୁଲ.. ଏମିତି ପୁଣି ଦିନ ସାରା ଚାଲିଗଲା। ସନ୍ଧ୍ୟାବେଳକୁ ମିଳିଲା ସୁସ୍ମିତାଙ୍କ ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ କାଗଜପତ୍ର। ଏଣେ ହାତରୁ ଦୁଇ ଦିନ ଚାଲିଯାଇଥାଏ। ଗୋଟିଏ ଦିନ ଭିତରେ ଦିଲ୍ଲୀ ପହଞ୍ଚି ପୁଣି କାମରେ ଯୋଗ ଦେବାକୁ ପଡ଼ିବ। ସେଥିପାଇଁ ସେ ଦୌଡ଼ିବାରେ ଲାଗିଲେ। ରାତି ଆଠଟାରେ ଟ୍ରେନ୍। ଝାରସୁଗୁଡ଼ା ଷ୍ଟେସନରୁ ଟ୍ରେନ୍ ଧରିବାକୁ ହେବ। ଦୁର୍ଭାଗ୍ୟବଶତଃ ସେଦିନ ସମ୍ବଲପୁର ବନ୍ଦ ଡାକରା ଦେଇଥାନ୍ତି କିଛି ସଂଗଠନ। ସମ୍ବଲପୁରରୁ ଝାରସୁଗୁଡ଼ା ଯିବା ପାଇଁ କୌଣସି ଗାଡ଼ି ପାଉନଥାନ୍ତି ସମ୍ପଦ। ଏଣେ ଧାଁ ଦୌଡ଼ ଭିତରେ ଦୁଇ ଦିନ ହେଲା କିଛି ଖାଇନଥାନ୍ତି ସେ। ସମ୍ପୂର୍ଣ୍ଣ କ୍ଳାନ୍ତ ଥାଆନ୍ତି ସେ। ହତାଶ ଲାଗୁଥାଏ ତାଙ୍କୁ। ଏତିକି ବେଳେ ଗୋଟିଏ ଟ୍ୟାକ୍ସିବାଲା ବଡ଼ କଷ୍ଟରେ ତାଙ୍କ ଅନୁରୋଧକୁ ସ୍ୱୀକାର କଲା। ତେବେ ପକେଟ୍ ଦେଖିଲା ବେଳକୁ ତାଙ୍କ ପାଖେ ଅଛି କେବଳ ୮୦୫ଟଙ୍କା। ଆଉ ଗୋଟିଏ ପାଣିବୋତଲ। ବନ୍ଦ କାରଣରୁ କୌଣସି ଏଟିଏମରୁ ସେ ପଇସା ବାହାର କରିପାରିନଥାନ୍ତି। ତା ଛଡ଼ା ପକଟରେ ଅଧିକ ପଇସା ଦରକାର, ସେ କଥା ବି ସେ ଭାବିନଥାନ୍ତି। ତେଣୁ ଟ୍ୟାକ୍ସିବାଲା ତାଙ୍କୁ ୧୫୦୦ ଟଙ୍କା ମାଗୁଥାଏ। ସେ ଯେତେବେଳେ ନିଜ ପକେଟ୍ ଖୋଲି ସବୁ ଦେଖାଇଦେଲ, ଏବଂ କହିଲେ, ଆଠଶହ ପାଞ୍ଚରୁ ମୁଁ ଆପଣଙ୍କୁ ଆଠଶହ ଦେଇପାରିବି। ଶେଷରେ ଟ୍ୟାକ୍ସିବାଲା ରାଜି ହୋଇ ବାହାରିପଡ଼ିଲା। କିନ୍ତୁ ଏକ ପୁରୁଣାକାଳିଆ ଗାଡ଼ି ହୋଇଥିବାରୁ ରାସ୍ତାରେ ଖରାପ ହୋଇଗଲା ସେ ଟ୍ୟାକ୍ସି। ଟ୍ୟାକ୍ସିବାଲା ବଡ଼ କଷ୍ଟେମଷ୍ଟେ ସେ ଗାଡ଼ିକୁ ଠିକ୍ କରି ପୁଣି ଝାରସୁଗୁଡ଼ା ଅଭିମୁଖେ ଚାଲିଲେ ସେମାନେ। ଷ୍ଟେସନରେ ପହଞ୍ଚିଲା ବେଳକୁ ଏକ ନମ୍ବର ପ୍ଲାଟଫର୍ମରେ ହିଁ ଲାଗିଛି ଟ୍ରେନ୍। ଟ୍ୟାକ୍ସିରୁ ଓହ୍ଲାଇ ଏକ ମୁହାଁ ଦୌଡ଼ି ଚାଲିଲେ ସମ୍ପଦ। ଆଖି ସାମ୍ନାରେ ଟ୍ରେନ୍ କଳିଙ୍ଗ-ଉତ୍କଳ ଏକ୍ସପ୍ରେସ୍ ଗଡ଼ିବା ଆରମ୍ଭ କରିସାରିଥାଏ। ଏତିକି ବେଳେ ଦୌଡ଼ି ଯାଇ ଟ୍ରେନରେ ଚଢ଼ିଗଲେ ସମ୍ପଦ। ତେବେ ତାଙ୍କୁ କିଛି ଦେଖାଯାଉନଥାଏ। ସାମ୍ନାରେ ସବୁକିଛି ଅନ୍ଧାର ଲାଗୁଥାଏ ତାଙ୍କୁ। ଦୁଇ ଦିନ ହେଲା କିଛି ଖାଇନାହାନ୍ତି ସେ। ତା ଛଡ଼ା ଏ ଗରମରେ ଶରୀର ଅବଶ ହୋଇଯାଇଥାଏ। ନିଜ ବର୍ଥରେ ବସିଗଲା ପରେ ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ମାରିଲେ ସମ୍ପଦ। ଓଃ .. ଜଗନ୍ନାଥ .. ଯାହା ହେଉ ଟ୍ରେନ୍ ପାଇଗଲି।

ଟ୍ରେନରେ ବସିଗଲା ପରେ ଅସହ୍ୟ ଭୋକଟାକୁ ଅନୁଭବ କରିପାରୁଥିଲେ ସେ। ପାଖରେ ଥିବା ବୋତଲକୁ ଖୋଲି ଢକ ଢକ ପିଇଗଲେ ପାଣି। ଓଃ କି ଗରମ। ବୋଲତ ପାଣିଟା ସତେ ଯେମିତି ଟକ ମକ ଫୁଟୁଛି। ସେ ଯାହାହେଉ, ପାଣି ଟିକିଏ ପିଇଲା ପରେ ସାମାନ୍ୟ ଜୀବନ ଆସିଲା ଦେହରେ। ଏତିକି ବେଳେ ତାଙ୍କ ସାମ୍ନାରେ ବସିଥିବା ଯୁବକ ଜଣକ ସହିତ ସାମାନ୍ୟ ସହଯାତ୍ରୀ ଭଳି କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା। ସେହି ଯୁବକ ଜଣକ ଦିଲ୍ଲୀରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ମଚାରୀ। ଉଭୟଙ୍କ ମଧ୍ୟରେ ପରିଚୟ ହେବା ପରେ କଥାବାର୍ତ୍ତା ଚାଲିଥାଏ। ଏଣେ ଭୋକ ସମ୍ଭାଳି ପାରୁନଥାନ୍ତି ସମ୍ପଦ। ସେଥିପାଇଁ ସେ ସେଇ କମ୍ପାର୍ଟମେଣ୍ଟ ଦେଇ ଯାଉଥିବା ପ୍ରତ୍ୟେକ ପ୍ୟାଣ୍ଟ୍ରିକାର ୱେଟରକୁ ବାରମ୍ବାର ଦେଖୁଥାନ୍ତି। କିନ୍ତୁ ପାଖରେ ପଇସା ନଥିବାରୁ କିଛି ମାଗିବାକୁ ସାହସ କରିପାରୁନଥାନ୍ତି। ପକେଟରେ କେବଳ ପାଞ୍ଚଟଙ୍କା ଏବଂ ଗୋଟିଏ ଗରମ ପାଣି ବୋତଲ। ସେଥିରୁ ପୁଣି ସେ ଅଧାରୁ ଅଧିକ ପିଇ ସାରିଛନ୍ତି। ତାଙ୍କୁ ଲାଗୁଥିଲା ସେ ଆଉ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚି ପାରିବେ ନାହିଁ। ଜୀବନ ଚାଲିଯିବ। ସାମ୍ନାରେ ବସିଥିବା ସମ୍ପୃକ୍ତ ସହଯାତ୍ରୀଙ୍କୁ ନିଜର ଏ ପୂରା ଘଟଣାକ୍ରମ କହିଲେ ସମ୍ପଦ। କାହାକୁ କିଛି ମାଗିବି କି ନାହିଁ, ନା ଆଗାମୀ ଷ୍ଟେସନରେ ଓହ୍ଲାଇ ଯିବି, ଏଭଳି ବାରମ୍ବାର ନିଜ ଭିତରେ ଦ୍ୱନ୍ଦ୍ୱ ଓ ଦ୍ୱିଧାରେ ଘାଣ୍ଟି ହୋଇଯିବା ପରେ ଶେଷରେ ସେହି ସହଯାତ୍ରୀଙ୍କୁ ମାତ୍ର ଦେଢ଼ଶହ ଟଙ୍କା ମାଗିଲେ ସମ୍ପଦ। ଏହାସହ ନିଜର ପାନ୍ କାର୍ଡ, ଏଟିଏମ୍ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ବି ଦେଖାଇଲେ ତାଙ୍କୁ। ଏପରିକି ନିଜର ଏହି ସବୁ ଡକ୍ୟୁମେଣ୍ଟ ତାଙ୍କ ପାଖରେ ଜିମା ଦେଇ ସେ ଦେଢ଼ଶ ଟଙ୍କା ନେବାକୁ ପ୍ରସ୍ତୁତ। ସମ୍ପଦ କହିଲେ, ଦିଲ୍ଲୀ ଷ୍ଟେସନରେ ମୋ ପରିବାର ଲୋକ ଆସି ଆପଣଙ୍କୁ ପଇସା ଫେରାଇ ଦେବେ। ସେତେବେଳେ ମୁଁ ମୋର ଡକ୍ୟୁମେଣ୍ଟ ନେଇଯିବି।

ଏତିକି କଥା ଶୁଣିବା କ୍ଷଣି ହଠାତ୍ ଚିହିଁକି ଉଠିଲେ ସହଯାତ୍ରୀ ଯୁବକ ଜଣକ। ତାଙ୍କ ମୁହଁ ଗମ୍ଭୀର ହୋଇଉଠିଲା। ସେ ସିଧାସଳଖ କହିଲେ, ମୁଁ ଆପଣଙ୍କୁ ଜାଣିନି, ଦେଢ଼ଶ ଟଙ୍କା କେମିତି ଦେଇଦେବି? ତା ପରେ ସବୁ କିଛି ବଦଳିଗଲା। ସମ୍ପଦଙ୍କ ସହିତ କଥାବାର୍ତ୍ତା କରିବା ବି ବନ୍ଦ କରିଦେଲେ ଯୁବକ ଜଣକ। ସମ୍ପଦଙ୍କୁ ଭାରି କଷ୍ଟ ଓ ଆତ୍ମଗ୍ଳାନି ହେଉଥାଏ। ମୁଁ କାହିଁକି ମାଗିଲି ସାହାଯ୍ୟ.. ଏହି କଥା ତାଙ୍କୁ ଅଧିକ ବାଧୁଥାଏ। ଏତିକି ବେଳେ ସମ୍ପୃକ୍ତ ସହଯାତ୍ରୀ ପ୍ୟାଣ୍ଟ୍ରିକାର ୱେଟରଠାରୁ ବିଭିନ୍ନ ରକମର ଖାଦ୍ୟ ମଗାଇ ସମ୍ପଦଙ୍କ ସାମ୍ନାରେ ହିଁ ବସି ଖାଉଥାଏ। କମ୍ପାର୍ଟମେଣ୍ଟ ଭିତରକୁ ସେତେବେଳେ ଗୋଟିଏ ଫେରିବାଲା ଆସିଥାଏ। ପାଖରେ ଥିବା ପାଞ୍ଚଟଙ୍କାରେ ସମ୍ପଦ କିଣିଲେ କେନ୍ଦୁ। ମାତ୍ର ତିନିଟି କେନ୍ଦୁ ମିଳିଲା ପାଞ୍ଚଟଙ୍କାରେ। ଗୋଟିଏ ପାଟିରେ ଦେଇଛନ୍ତି କି ନାହିଁ, ତଳେ ଗୁରୁଣ୍ଡି ଗୁରୁଣ୍ଡି ଆସି ଏକ ଭିନ୍ନକ୍ଷମ ଶିଶୁ ଖାଇବାକୁ ମାଗିଲା। ଯେଉଁ ଗୋଟିଏ କେନ୍ଦୁ ସେ ଖାଇଥିଲେ ସେତିକି। ବଳକା ଦୁଇଟି କେନ୍ଦୁ ସେହି ପିଲାଟି ହାତକୁ ବଢ଼ାଇଦେଲେ ସମ୍ପଦ।

ତା ପରେ ସେ ଜଣକ ପରେ ଜଣେ ବନ୍ଧୁ ଓ ସମ୍ପର୍କୀୟଙ୍କୁ ଫୋନ୍ କରୁଥାନ୍ତି। କାଳେ କାହାଠୁ କିଛି ସହଯୋଗ ମିଳିଯିବ, ସେଇ ଆଶାରେ। ବିଭିନ୍ନ ଲୋକ ଭିନ୍ନ ଭିନ୍ନ କଥା କହୁଥାନ୍ତି। କିନ୍ତୁ କାହାରି ପାଖରେ କୌଣସି ସମାଧାନର ପନ୍ଥା ନଥାଏ। ଶେଷରେ ପତ୍ନୀ ସୁସ୍ମିତାଙ୍କୁ ଫୋନ୍ କଲେ ସେ। ତେବେ କୌଣସି ସମାଧାନର ରାସ୍ତା ବତାଇବା ପରିବର୍ତ୍ତେ ସେ ଓଲଟା କହିଲେ, ତମେ ପାଖରେ ପଇସା ରଖିବା କଥା। ଏମିତି ବିନା ପଇସାରେ କେମିତି ଟ୍ରେନରେ ଚଢ଼ିଲ ତମେ? ସମ୍ପଦଙ୍କୁ ଆହୁରି ବେଶି ଖରାପ ଲାଗୁଥାଏ। ହତାଶ ବି ଲାଗୁଥାଏ। ଏତିକି ବେଳେ ତାଙ୍କ ମୁଣ୍ଡକୁ କଣ ଆସିଲା କେଜାଣି, ସେ ନିଜ ଝିଅକୁ ଫୋନ୍ କଲେ। ନବମ ଶ୍ରେଣୀରେ ପଢୁଥିବା ଝିଅ କହିଲା, ବାପା.. ତମେ ଅନ୍ୟ କାହାଠୁ ସାହାଯ୍ୟ ମାଗିବା ପରିବର୍ତ୍ତେ ସିଧା ସଳଖ ପ୍ୟାଣ୍ଟ୍ରିକାରକୁ ଯାଇ ସେଠାରେ ଖାଇବାକୁ ମାଗୁନାହଁ କାହିଁକି? ବାସ୍, ତାପରେ ପ୍ୟାଣ୍ଟ୍ରିକାରକୁ ଚାଲିଲେ ସମ୍ପଦ। ସେଠାରେ ଥିବା ୱେଟରକୁ ପଚାରିଲେ ମ୍ୟାନେଜରଙ୍କ ସମ୍ପର୍କରେ। ମ୍ୟାନେଜରଙ୍କୁ ଭେଟି ସବୁକଥା କହିବା ପରେ ବସ୍ତୁସ୍ଥିତିକୁ ବୁଝିପାରିଥିଲେ ମ୍ୟାନେଜର। ତା ପରେ ସେ କହିଲେ, ଆପଣ ଯାହା ଖାଇବେ, ଯାହା ପିଇବେ ସବୁ ମିଳିବ। କିଛି ଚିନ୍ତା କରନ୍ତୁନି। ଆପଣ ବର୍ଥ ନମ୍ବର କୁହନ୍ତୁ। ଆପଣଙ୍କ ପାଖରେ ସବୁକିଛି ପହଞ୍ଚିଯିବ। ଏସ୍-୭, ୧୫ ବର୍ଥ ନମ୍ବର ବୋଲି କହିଦେଇ ନିଜ ସ୍ଥାନକୁ ଆସିଯାଇଥିଲେ ସମ୍ପଦ। ମାତ୍ର ପାଞ୍ଚ ମିନିଟ୍ ଭିତରେ ଦୁଇ ଜଣ ୱେଟର ନେଇ ଆସିଲେ ଲସି, ଫ୍ରୁଟ୍ ଜୁସ୍, ଥଣ୍ଡା ପାଣି ବୋତଲ ଏବଂ ବିରିୟାନୀ। ସମ୍ପଦଙ୍କୁ ଅନୁଭବ ହେଲା, ସତେଯେମିତି ସେ ଏବେ ରାଷ୍ଟ୍ରପତି ଭବନର ଅତିଥି। ତାଙ୍କୁ ସେଭଳି ଆତିଥ୍ୟ ପ୍ରଦାନ କରାଯାଉଛି। ଆରାମରେ ବସି ଖାଇଲା ବେଳକୁ ସାମ୍ନାରେ ବସିଥିବା ସହଯାତ୍ରୀ ଜଣକ ବାଲୁବାଲୁ ହୋଇ ଏ ଦୃଶ୍ୟକୁ ଦେଖୁଥାନ୍ତି। ତାଙ୍କ ମୁଣ୍ଡ କିଛି କାମ କରୁନଥାଏ। ଏଇ ଲୋକଟି ପାଖରେ ଥିବା ପାଞ୍ଚଟଙ୍କାଟି ବି ତ ସରିଯାଇଛି। ତାହେଲେ ଏଇ ଲୋକକୁ ଏତେ ଖାଇବା ପିଇବା ଜିନିଷ ଦେଲା କିଏ? ଏକଥା ଭାବି ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଉଥାନ୍ତି। ମନଭରି ଖାଇସାରିବା ପରେ ଶାନ୍ତିରେ ନିଃଶ୍ୱାସ ମାରିଲେ ସମ୍ପଦ। ଏତିକି ବେଳେ ସମ୍ପଦଙ୍କ ସହ ପୁଣି କଥାବାର୍ତ୍ତ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ ସେହି ସହଯାତ୍ରୀ ଯୁବକ ଜଣକ। କିନ୍ତୁ ତାଙ୍କ ସହିତ କୌଣସି କଥାବାର୍ତ୍ତା କରିନଥିଲେ ସମ୍ପଦ। ପରଦିନ ଅପରାହ୍ଣରେ ଟ୍ରେନ୍ ଦିଲ୍ଲୀ ପହଞ୍ଚିଲା। ଟ୍ରେନ୍ ପହଞ୍ଚିବା ଯାଏଁ ବାରମ୍ବାର ୱେଟର ଦୁଇଜଣ ଆସି ସମ୍ପଦଙ୍କ ଖାଇବା ପିଇବା କଥା ବୁଝୁଥାନ୍ତି। ସମ୍ପଦଙ୍କୁ ନେବା ପାଇଁ ଷ୍ଟେସନରେ ପହଞ୍ଚିଥାନ୍ତି ତାଙ୍କ ସାନଭାଇ। ନିଜ କମ୍ପାର୍ଟମେଣ୍ଟରୁ ଓହ୍ଲାଇବା ପରେ ଦୁଇ ଭାଇ ଚାଲିଲେ ପ୍ୟାଣ୍ଟ୍ରିକାର ଅଭିମୁଖେ। ଖାଇବାର ସମସ୍ତ ବିଲ୍ ପୈଠ କରିବା ପରେ ଉଭୟ ୱେଟରଙ୍କୁ ପାଞ୍ଚଶହ ଟଙ୍କା ଲେଖାଏଁ ଦେଇ ନିଜର କୃତଜ୍ଞତା ଜଣାଇଲେ ସମ୍ପଦଙ୍କ ଭାଇ। ଏତିକିବେଳେ ପ୍ୟାଣ୍ଟ୍ରିକାରର ମ୍ୟାନେଜରଙ୍କୁ ଭେଟି ଧନ୍ୟବାଦ ଦେଲା ବେଳେ ସମ୍ପଦଙ୍କ ଆଖିରୁ ଝରିଆସିଥିଲା କୃତଜ୍ଞତାର ଦୁଇଧାର ଲୁହ। ସେ ମନେ ମନେ ଭାବୁଥାନ୍ତି, ସମ୍ୱଲପୁର ବନ୍ଦ ହୋଇନଥିଲେ, ସେ କଣ ଏମିତି ଦଶା ଭୋଗିଥାନ୍ତେ? ଯଦି ଏହି ମ୍ୟାନେଜର ତାଙ୍କୁ ସହଯୋଗ କରିନଥାନ୍ତେ, ତାହେଲେ କଣ ହୋଇଥାନ୍ତା ତାଙ୍କ ସ୍ଥିତି? ନିଜ ସହଯାତ୍ରୀ ଓ ପ୍ୟାଣ୍ଟ୍ରିକାର ମ୍ୟାନେଜର ଉଭୟଙ୍କ ଗୋଟିଏ ଚିତ୍ରରେ ଦେଖୁଥାନ୍ତି ସମ୍ପଦ ଏବଂ ଭାବୁଥାନ୍ତି ଏମିତି ବି ମଣିଷ ଅଛନ୍ତି ଦୁନିଆରେ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ, ପିନ୍- ୧୪୦୪୨୩
ଫୋନ୍- ୯୯୩୭୨୫୨୪୬୪