Latest Odisha News

BREAKING NEWS

ବଡ଼ଲୋକିଆ ଅହଂକାର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଯଦୁନାଥ ରଣସିଂହ ବାବାଜୀ ଲୋକ । ପ୍ରାଥମିକ ଶିକ୍ଷକ ଭାବେ ବିଦ୍ୟାଳୟରେ ପାଠପଢ଼ାଇବା ବ୍ୟତୀତ ବାକିତକ ସମୟ ସମାଜସେବାରେ କଟିଛି । ସାମାଜିକ ସଂସ୍କାର ପାଇଁ କେତେବେଳେ ମୃତଭୋଜିକୁ ବିରୋଧ କରିଛନ୍ତି ତ ଆଉ କେତେବେଳେ ଗାଁ ମଦଭାଟି ବିରୋଧରେ ସ୍ୱର ଉଠାଇଛନ୍ତି । ଗାଁର ଭେଣ୍ଡିଆ ପିଲେ ନିଶାର ମାୟାଜାଲରେ ପଡ଼ିବା ଘଟଣା ସେ ସହିପାରନ୍ତିନି । ସେଥିପାଇଁ କାହାର ହାତ ଓଠ ଧରି ବୁଝାଇବାକୁ ଚାହିଁଛନ୍ତି ତ ଆଉ କାହାକୁ ଅଭିଭାବକ ଭଳି ତାଗିଦ୍ କରିବାକୁ ଚେଷ୍ଟା କରିଛନ୍ତି । ସେମିତି କେବେ ରାତି ଅଧରେ ଯଦି କାହାର ହଠାତ୍ ଦେହ ଖରାପ ହୋଇଛି, ତାହେଲେ ଯଦୁନାଥ ସାରଙ୍କ କବାଟ ବାଡ଼େଇଛନ୍ତି ଲୋକ । ବେଳ କାଳ ନ ଦେଖି ଯଦୁନାଥ ବାବୁ ବି ଲୋକଙ୍କୁ ଡାକ୍ତରଖାନାକୁ ନେଇଛନ୍ତି । ନିଜ ସାଧ୍ୟ ମୁତାବକ ସାହାଯ୍ୟ କରିଛନ୍ତି ।

ଯଦୁନାଥ ବାବୁଙ୍କ ଏ ସମାଜସେବା ଭିତରେ କିନ୍ତୁ ଅଣଦେଖା ହୋଇ ରହିଯାଇଛି ତାଙ୍କ ପରିବାର, ଘର । ଏପରିକି ପ୍ରତିବର୍ଷ ଖରାଦିନରେ ନିଜ ଘର ଛପର ପାଇଁ ସେ ନଡ଼ାବିଡ଼ାଏ ବି ଯୋଗାଡ଼ କରିପାରନ୍ତିନି । ଏପରିକି ତାଙ୍କ ନିଜସ୍ୱ ଦି ଭରଣ ଜମିରୁ ଆଦାୟ ହେଉଥିବା ଧାନର ନଡ଼ା ବି ହୁଏନି । ଯାହା କିଛି ପାଳ କୁଟା ହେଲା ତାହା ଗାଈ ପାଇଁ ଛଅ ମାସର ଖାଦ୍ୟ । ଫଳସ୍ୱରୂପ ଘର ଛପର ହୋଇପାରେନି । ବର୍ଷା ଆସିଲେ ଘର ଭିତରେ ବନ୍ୟା । ଚାଳରୁ ଗଡ଼ୁଥିବା ପାଣିକୁ ରୋକିବା ପାଇଁ ଘରର ଚଟାଣର ଠାଁ ଠାଁରେ ହାଣ୍ଡି, ମାଠିଆ, ବାଲତି, ଥାଳି, ଗିନା ସବୁ ପାତିଦିଅନ୍ତି ଯଦୁନାଥ ବାବୁଙ୍କ ସ୍ତ୍ରୀ । ପାଞ୍ଚ ପ୍ରାଣୀ ଘରେ ହଇରାଣ ହୁଅନ୍ତି । ବର୍ଷ ପରେ ବର୍ଷ ଏମିତି ଚାଲିଥିବାରୁ ଏଥିରେ ଅସନ୍ତୁଷ୍ଟ ହୋଇ ଯଦୁନାଥ ବାବୁଙ୍କ ସ୍ତ୍ରୀ କହିଲେ, ଏବେ ଦେଶସେବା ଛାଡ଼ି ଟିକିଏ ଘର କଥା ଚିନ୍ତା କର । ନହେଲେ କେଉଁଦିନ ଏ ଝାଟିମାଟିର କାନ୍ଥ ଭୁଶୁଡ଼ି ପଡ଼ିବ, ସେତେବେଳେ ଆଉ ମୁଣ୍ଡଗୁଞ୍ଜିବାକୁ ବି ଜାଗା ନଥିବ ।

ଏ ସବୁ ସତ୍ତ୍ୱେ କିଛି ଫରକ୍ ପଡ଼େନି ଯଦୁନାଥ ବାବୁଙ୍କ ଉପରେ । ତେଣୁ ସେହି ବଖରାଏ ନଡ଼ାଛପର ଝାଟିମାଟି ଘରର ପଛରେ ଦି ବଖରା ପକ୍କା ଘର ତିଆରି କରିବାକୁ ଅଣ୍ଟାଭିଡ଼ନ୍ତି ଯଦୁନାଥଙ୍କ ସ୍ତ୍ରୀ । ତେବେ ଛାତଘର ତିଆରି କଥା ଶୁଣି ଚମକି ପଡ଼ନ୍ତି ଯଦୁନାଥ । କୁହନ୍ତି, ହଇହୋ .. ପଇସା କୁଆଡୁ ଆସିବ? କେମିତି ହେବ ଘର? ହେଲେ ନଛୋଡ଼ବନ୍ଦା ପତ୍ନୀ କୁହନ୍ତି, ପାଞ୍ଚ ବର୍ଷ ଲାଗୁ ପଛକେ, ଟିକିଏ ଟିକିଏ କରି ଘର ତିଆରି କରିବା, କିନ୍ତୁ ପକ୍କାଘର ହିଁ କରିବା ।

ସେତେବେଳକୁ ଗାଁରେ ମାତ୍ର ଦୁଇ ତିନିଟି ଘର ଛାତଘର । ବାକି ସମସ୍ତେ ନଡ଼ା ଛପର ଚାଳ ଘରେ ରହୁଥିଲେ । ତିଥି ଧାର୍ଯ୍ୟ ହେଲା । ଘରର ନିଅଁ ପକେଇବା ପାଇଁ ମୁହୂର୍ତ୍ତ ବଛାହେଲା । ଚିରାଚରିତ ଶୈଳୀରେ ଯଦୁନାଥ ବାବୁ ଗାଁର ବୟସ୍କ ଗୁରୁଜନମାନଙ୍କୁ ନିମନ୍ତ୍ରଣ କଲେ । ସମସ୍ତଙ୍କ ଉପସ୍ଥିତିରେ ଘରତିଆରି ପାଇଁ ଶୁଭ ଦିଆଗଲା ।

ଯଦୁନାଥ ବାବୁ ଛାତଘର କରିବେ, ଏ କଥାଟା ଗାଁର ଜଣେ ବଡ଼ଲୋକ ବିଶ୍ୱମ୍ବର ପାହାଡ଼ସିଂହଙ୍କ ହଜମ ହେଲାନି । ସେ ଗାଁର ଜମିଦାର । ଶହେ ଭରଣ ଜମିର ମାଲିକ । ସାତ ସାତଟା ପୁଅ । ପାଞ୍ଚଟା ଝିଅ । କୌଣସି ଜିନିଷର ଅଭାବ ନାହିଁ । ତେଣୁ ପାହାଡ଼ସିଂହେ ଅୟସ କରିବାରୁ ବି କେବେ ପଛେଇ ନାହାନ୍ତି । କିନ୍ତୁ ନିଜ ପାଇଁ ଛାତଘର ଖଣ୍ଡେ କରିପାରିନାହାନ୍ତି । ପୁଅମାନେ ଯାବତୀୟ କେଳେଙ୍କାରୀରେ ଲିପ୍ତ । ପରସ୍ପର ଭିତରେ ଆଦୌ ସୁସମ୍ପର୍କ ନାହିଁ । ଜଣକ ଉପରେ ଅନ୍ୟଜଣର ଛାଇପଡ଼ିଲେ ନାହି ଡିଏଁ । ଏମିତି ସ୍ଥଳେ ଯଦୁନାଥ ବାବୁ ଛାତଘର କରିବେ, ଏକଥା କେମିତ ସମ୍ଭବ? ବିଶ୍ୱମ୍ବର ପାହାଡ଼ସିଂହଙ୍କ ଅହଂକାରକୁ ବାଧିଲା । ଯଦୁନାଥଙ୍କ ଘରର ନିଅଁ ପଡ଼ିବା ପାଇଁ ପୂଜା ଚାଲିଥିବା ବେଳେ ହିଁ ସମସ୍ତଙ୍କ ଉପସ୍ଥିତିରେ ବିଶ୍ୱମ୍ବର ପାହାଡ଼ସିଂହ କହିଲେ, ହେଃ .. ଯଦୁମାଷ୍ଟ୍ର ବାହାରିଛି ଛାତଘର କରିବ ବୋଲି .. କେଡ଼େ କେଡ଼େ ଲୋକ ଛାତଘର କରିପାରିନାହାନ୍ତି, ଇଏ ବାହାରିଲେ ଝିଙ୍କ ପଛରେ ଟିଙ୍କ ହୋଇ ଡେଇଁବା ପାଇଁ । ଅର୍ଥାତ୍ ଝିଙ୍କ ବାର ହାତ ଡେଇଁଲା ବୋଲି ତା ପଛରେ ଲାଗିଥିବା ଟିଙ୍କ ଯଦି ଭାବିବ ସେ ବି ବାର ହାତ ଡେଇଁଲା, ତାହେଲେ କେମିତି ହେବ ।

ବିଶ୍ୱମ୍ବରଙ୍କ ଏ କଥାଟା ଯଦୁନାଥଙ୍କ ଅପେକ୍ଷା ତାଙ୍କ ସ୍ତ୍ରୀଙ୍କୁ ବେଶି ବାଧିଲା । ଏକା ଜିଦରେ ସେ ନିଜର ଗହଣା ଗାଣ୍ଠି ବିକି, ଆଉ ଯେତେ ଯାହା ଜମାପୁଞ୍ଜି ଥିଲା ତାକୁ ଏକାଠି କରି ଯେନତେନ ପ୍ରକାରେଣ ଦି ବଖରା ଛାତଘର ଠିଆ କରାଇଦେଲେ । ସେପଟେ ବିଶ୍ୱମ୍ବରଙ୍କ ପୁଅମାନେ ବି ଗୋଟିଏ ବଡ଼ଘର ତିଆରି କଲେ । ହେଲେ ପରସ୍ପର ଭିତରେ ଗଣ୍ଡଗୋଳ କାରଣରୁ କାହାକୁ ଭାଗ ମିଳିଲା ତ ଆଉ କାହାକୁ ମିଳିଲାନି ।
ମାତ୍ର ଦୁଇ ବର୍ଷ ପରେ ବିପତ୍ନୀକ ବିଶ୍ୱମ୍ବରଙ୍କୁ ପୁଅମାନେ ପଚାରିଲେନି । ରୋଗଶଯ୍ୟାରେ ପଡ଼ିଥିବା ବିଶ୍ୱମ୍ବରଙ୍କୁ ଯଦୁନାଥ ବାବୁ ଦେଖା କରିବାକୁ ଗଲେ । ନିଜ ବାପାଙ୍କଠୁ ବି ବୟସ୍କ ବିଶ୍ୱମ୍ବରଙ୍କ ଗୋଡ଼ ଚିପିବାରେ ଲାଗିଲେ ଯଦୁନାଥ । ବିଶ୍ୱମ୍ବରଙ୍କୁ ଖୁବ୍ ଆରାମ ଲାଗିଲା । ଅନ୍ଧାରୁଆ ଘରଟା ଭିତରେ ଧୀରେ ଧୀରେ ଆଖି ଖୋଲି ଦେଖିଲେ ସାମ୍ନାରେ ପାଦ ପାଖରେ ବସିଛନ୍ତି ଯଦୁନାଥ ମାଷ୍ଟ୍ରେ । ବିଶ୍ୱମ୍ବରଙ୍କ ଆଖିରୁ ଝରିଆସିଲା ଦି ଧାର ଲୁହ । ସାତ ସାତଟା ପୁଅ, ବୋହୂ, ଡଜନେ ନାତି ନାତୁଣୀ । ସ୍ତ୍ରୀ ଆଖିବୁଜିବା ପରେ କେହି ବି ଦିନେ ତାଙ୍କ ଗୋଡ଼ରେ ହାତ ଲଗାଇ ନାହାନ୍ତି । ଆଖି ଆଗରେ ନାଚି ଉଠିଲା ଯଦୁମାଷ୍ଟ୍ରଙ୍କୁ ଘର ନିଅଁ ପକା ପୂଜାବେଳେ ତାତ୍ସଲ୍ୟ କରିଥିବା କଥା । ବିଶ୍ୱମ୍ବର ପାହାଡ଼ସିଂହଙ୍କ ମୁହଁରେ ଥିଲା ଅପରାଧବୋଧ ଓ ଅନୁଶୋଚନାର ଏକ ଫେଣ୍ଟାଫେଣ୍ଟି ଭାବ। ତାଙ୍କୁ ଅନୁଭବ ହେଉଥିଲା ସତେ ଯେମିତି ଭୁଶୁଡ଼ି ପଡୁଛି ତାଙ୍କ ବଡ଼ଲୋକିଆ ଅହଂକାରର ଇମାରତ୍ ।

ବିଭାଗୀୟ ମୁଖ୍ୟ, ୟୁ.ଆଇ.ଏମ୍.ଏସ୍., ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ ମୋ-୯୯୩୭୨୫୨୪୬୪

Leave A Reply

Your email address will not be published.