Latest Odisha News

BREAKING NEWS

ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ, ପଚାରିଲେ ‘୧୪ ଦିନ ଯାଏ କେଉଁଠି ଥିଲ ?’

ନୂଆଦିଲ୍ଲୀ: ମଣିପୁର ଭାଇରାଲ୍ ଭିଡିଓ ମାମଲାର ଶୁଣାଣି ବେଳେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ପଚାରିଛନ୍ତି, ‘ମେ ୪ର ଘଟଣାରେ ପୋଲିସ ମେ ୧୮ରେ ଏତଲା କଲା । କାହିଁକି ୧୪ ଦିନ ଯାଏ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଭିଡିଓ ଭାଇରାଲ୍ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ମହିଳାଙ୍କୁ ବିବସ୍ତ୍ର କରି ଦୁଷ୍କର୍ମ ବେଳେ ପୋଲିସ କଣ କରୁଥିଲା ?’

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ‘ମାନି ନିଅନ୍ତୁ ମହିଳାଙ୍କ ବିରୋଧରେ ୧ ହଜାର ମାମଲା ରହିଛି । କଣ ସିବିଆଇ ସମସ୍ତ ମାମଲାର ତଦନ୍ତ କରି ପାରିବ ?’ ସିଜେଆଇଙ୍କ ଏହି ପ୍ରଶ୍ନରେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଛନ୍ତି, ‘ସିବିଆଇର ତଦନ୍ତକାରୀ ଟିମରେ ଯୁଗ୍ମ ନିର୍ଦ୍ଦେଶକ ସ୍ତରର ଜଣେ ମହିଳା ଅଧିକାରୀଙ୍କୁ ରଖାଯିବ ।’

ମଣିପୁରରେ ହୋଇଥିବା ୬ ହଜାର ଏଫ୍ଆଇଆରର ବର୍ଗୀକରଣକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରଧାନବିଚାରପତି । ୬ ହଜାର ଏଫ୍ଆଇଆରରୁ କେତୋଟି ଜିରୋ ଏଫ୍ଆଇଆର ବୋଲି ପଚାରିବା ସହ କେତେ ଜଣଙ୍କୁ ଗିରଫ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ।

ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । କୋର୍ଟ କହିଛନ୍ତି, ଆମେ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିଛୁ । ଆସନ୍ତାକାଲି ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ପ୍ରଧାନବିଚାରପତି ।

Leave A Reply

Your email address will not be published.