Latest Odisha News

BREAKING NEWS

ଇତିହାସ ପାଲଟିଲା ଧାରା ୩୭୦: ୪ବର୍ଷ, ୪ମାସ, ୬ ଦିନ ତଳେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ବାଜିଲା ‘ସୁପ୍ରିମ’ ମୋହର

ନୂଆଦିଲ୍ଲୀ: ଆଜିଠୁ ଇତିହାସ ପାଲଟିବ ଧାରା ୩୭୦ । ଆଜକୁ  ୪ବର୍ଷ, ୪ମାସ ଏବଂ ୬ ଦିନ ତଳେ ମୋଦି ସରକାର ନେଇଥିବା ନିଷ୍ପତ୍ତି ଉପରେ ବାଜିଛି ସୁପ୍ରିମ ମୋହର ।  ସେତିକି ନୁହେଁ, ରାଜ୍ୟକୁ ଦୁଇ ଭାଗରେ ଜମ୍ମୁ କଶ୍ମୀର ଏବଂ ଲଦାଖରେ ବାଣ୍ଟିବା ଏବଂ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିବା ନିଷ୍ପତ୍ତକୁ ମଧ୍ୟ ସୁପ୍ରିମ କୋର୍ଟ ବୈଧ ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ମୋଦି ସରକାରକୁ ଏକ ବଡ ଆଶ୍ୱସ୍ତି ଦେଇଛି ।

କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ୨୩ଟି ଆବେଦନ ଦାଖଲ ହୋଇଥିଲା । ଏ ସମସ୍ତ ଅଭିଯୋଗକୁ ଶୁଣିବା ପରେ ସୁପ୍ରିମକୋର୍ଟ ସେପ୍ଟେମ୍ବରରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଉ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବିଆର ଗବଈ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ସୁପ୍ରମକୋର୍ଟଙ୍କ ରାୟ ଗୁରୁତ୍ୱପୂର୍ଣ୍ଣ ଦିଗ-

୧-ଧାରା ୩୭୦ ହଟାଇବା ରାଷ୍ଟ୍ରପତିଙ୍କ ଅଧିକାର ରହିଛି, ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ସାମ୍ବିଧାନିକ ଭାବେ ଠିକ

୨-ସମ୍ବିଧାନର ସବୁ ନିୟମ ଏବେ ଜମ୍ମୁ-କଶ୍ମୀରରେ ଲାଗୁ କରାଯିବ । ଏହି ନିଷ୍ପତ୍ତି ଜମ୍ମୁକଶ୍ମୀରର ଏକୀକରଣ ପାଇଁ ଉଦ୍ଦିଷ୍ଟ ଥିଲା

୩-ଧାରା ୩୭୦ ହଟାଇବା ପଛରେ କୌଣସି ଦୁର୍ଭାବନା ନ ଥିଲା

୪-ଜମ୍ମୁ କାଶ୍ମୀରରେ ନିର୍ବାଚନ କରିବା ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆ ଯାଉ । ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଏଠାରେ ନିର୍ବାଚନ କରାଯାଉ

୫-ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଜମ୍ମୁକଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ ।

୬-ଲଦାଖକୁ ଅଲଗା କରିବା ନିଷ୍ପତ୍ତି ମଧ୍ୟ ବୈଧ ଥିଲା ।

୭-ଜମ୍ମୁ-କଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତ ପାଇଁ କହିଛନ୍ତି ସୁପ୍ରିମକୋର୍ଟ

ସୂଚନାଥାଉ କି,   ଧାରା ୩୭୦  ଉଚ୍ଛେଦ ବିରୋଧରେ କେନ୍ଦ୍ର ସରକାର ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ଓ ନାଶନାଲ କଂଗ୍ରେସ । ଆଜି ଏହି ମାମଲାର ଶୁଣାଣି କରିଥିଲେ ମୁଖ୍ୟବିଚାରପତି ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ

Leave A Reply

Your email address will not be published.