Latest Odisha News

ଅଙ୍ଗଦାନ କରିଥିବା ଦୁଇ ଜଣଙ୍କ ପରିବାରକୁ ‘ସୁରଜ’ ପୁରସ୍କାର

ବିଶ୍ଵ ଅଙ୍ଗ ଦାନ ଦିବସ

ବ୍ରହ୍ମପୁର:ଅଙ୍ଗଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତି ବର୍ଷ ଅଗଷ୍ଟ ୧୩ ତାରିଖକୁ ବିଶ୍ବ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଇଥାଏ। ଗଞ୍ଜାମ ଜିଲାରେ ଅଙ୍ଗଦାନକୁ ପ୍ରୋତ୍ସାହନ ପାଇଁ ‘ସୁରଜ’ ପୁରସ୍କାର ପ୍ରଦାନ କରାଯାଏ । ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟର ଓସ୍ବାନ ହଲ୍ ଠାରେ ବିଶ୍ବ ଅଙ୍ଗଦାନ ଦିବସ ତଥା ତୃତୀୟ ସୁରଜ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟସ୍ତରୀୟ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫ୍ରେନ୍ସିଂ ଜରିଆରେ ସାମିଲ ହୋଇଥିଲେ । ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ହସ୍ତରେ ଚଳିତ ବର୍ଷର ‘ସୁରଜ’ ପୁରସ୍କାର ପ୍ରଦାନ କରାଯାଇଥିଲା । ଜଗନ୍ନାଥପ୍ରସାଦ ବ୍ଲକର ଅଲାଡିର ସ୍ବର୍ଗତ ସୁଶୀଲ ସାହୁଙ୍କ ମୃତ୍ୟୁ ପରେ ପରିବାର ବର୍ଗ ତାଙ୍କର ବୃକକ୍‌, ଫୁସଫୁସ, ଚକ୍ଷୁ, ହୃତ୍‌ପିଣ୍ଡ ଦାନ କରିଥିଲେ । ତାଙ୍କ ପତ୍ନୀ ପିଙ୍କି ସାହୁଙ୍କୁ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହିଭଳି ବ୍ରହ୍ମପୁର ସହର ବାସୁଦେବନଗରର ସିଦ୍ଧି ସମୃଦ୍ଧିଙ୍କ ମୃତ୍ୟୁ ପରେ ପରିବାର ବର୍ଗ ତାଙ୍କର ଦୁଇଟି ବୃକକ୍‌କୁ ଦାନ କରିଥିଲେ । ତାଙ୍କ ପିତା ସପନ କୁମାର ବିନ୍ଧାଣୀଙ୍କୁ ପାଞ୍ଚଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା। ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପରିବାର ବର୍ଗଙ୍କ ପାଖରେ ସମାଜ ଋଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାର ପ୍ରଭାବ ସମାଜ ଉପରେ ପଡ଼ିବ । ଏହି ପରି ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରିବା ସହିତ ଏକ ସୁନ୍ଦର ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଅଙ୍ଗଦାନ ଅନେକ ପରିବାର ପାଇଁ ଆଶା ସୃଷ୍ଟି କରିପାରୁଛି। ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୁଣ୍ୟ କାର୍ଯ୍ୟ। ଅଙ୍ଗଦାନ ଏକ ସାହସିକ ନିଷ୍ପତ୍ତି ଏବଂ ଦାନ କରୁଥିବା ପରିବାର ବର୍ଗଙ୍କ ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 

ବାଚସ୍ପତି ଆରୁଖ୍ ନିଜ ବକ୍ତବ୍ୟରେ ଅଧିକରୁ ଅଧିକ ବ୍ୟକ୍ତି ଅଙ୍ଗଦାନ ପ୍ରତି ଆଗକୁ ଆସିବା ଆବଶ୍ୟକ ବୋଲି କହିଥିଲେ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଉଭୟ ପରିବାରକୁ ପ୍ରଶଂସା କରିଥିଲେ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପରିଚାଳନା କରି ସୁରଜ ପୁରସ୍କାରର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ । ଏହି ଦିଗରେ ଅନ୍ୟ ପରିବାର ବର୍ଗଙ୍କୁ ପ୍ରୋତ୍ସାହନ ମିଳିଲେ ଲୋକଙ୍କ ଅମୂଲ୍ୟ ଜୀବନ ସୁରକ୍ଷିତ ରହିବ ବୋଲି କହିଥିଲେ । ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସଂଚାଳନ କରିଥିଲେ । ଏନଏଚଏମ୍‌ର ନିର୍ଦେଶିକା ସାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିବା ବେଳେ ଡିଏମ୍‌ଇଟି ପ୍ରଫେସର ରମାରମଣ ମହାନ୍ତି ଧନ୍ୟବାଦ ଦେଇଥିଲେ । ଲୋକସେବା ଭବନରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପିକେ.ଜେନାଙ୍କ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, ୨୦୧୯ ମସିହା ଅକ୍ଟୋବର ୨୯ ତାରିଖରେ ଗଞ୍ଜାମର ସୁରଜ ବେହେରା ଗୁଜରାଟର ସୁରତରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ବ୍ରେନ୍‌ଡେଡ୍‌ ପରେ ଶରୀରର ୬ଟି ଜୀବନରକ୍ଷାକାରୀ ଅଙ୍ଗକୁ ପରିବାର ବର୍ଗ ଦାନ କରିଦେଇଥିଲେ । ଏହି ମହତ କାର୍ଯ୍ୟକୁ ସ୍ମରଣ ସହ ଅଙ୍ଗଦାନ ପ୍ରତି ଉତ୍ସାହ ସୃଷ୍ଟି ପାଇଁ ପରିବର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଜ ପୁରସ୍କାର ଘୋଷଣା କରିଥିଲେ । ଜୀବନ ରକ୍ଷାକାରୀ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି ।

Leave A Reply

Your email address will not be published.