Latest Odisha News

BREAKING NEWS

କବି ସୁରେଶ ନାୟକ ପାଇଲେ ମହୁରି ସମ୍ମାନ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ପତ୍ରିକା ‘ମହୁରି’ର ଦ୍ୱାଦଶ ବାର୍ଷିକୋତ୍ସବ ‘ମହୁରି ମହୋତ୍ସବ’ ସ୍ଥାନୀୟ ହୋଟେଲ୍ ସେଣ୍ଡିସ୍ ଟାୱାର୍ଠାରେ ଆୟୋଜିତ ହୋଇଯାଇଛି।

ଓଡ଼ିଶା ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ସୁଜିତ୍ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ତଥା ଅନୁବାଦିକା ପ୍ରବାସିନୀ ମହାକୁଡ଼ ମୁଖ୍ୟବକ୍ତା, ବିଶିଷ୍ଟ ଲେଖିକା ଡ.ଅପର୍ଣ୍ଣା ମହାନ୍ତି ଓ ମହୁରିର ସଂପାଦକ ସୁକାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ମହୁରିର ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲ ସଭାପତିତ୍ୱ କରିଥିବା ବେଳେ ଯୁବ ଲେଖକ ଡ. ଶୁଶୀଳ କୁମାର ବାଗ୍ ମଂଚ ସଂଚାଳନ କରିଥିଲେ। ମହୁରିର ସହ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ କଥିତ ଭାଷାକୁ କାବ୍ୟ ଭାଷାରେ ରୂପାନ୍ତରିତ କରୁଥିବା ବିଶିଷ୍ଟ କବି ତଥା ‘ସମୟର ଆକାଂକ୍ଷା’ର ମୁଖ୍ୟ ସଂପାଦକ ଡ.ସୁରେଶ ନାୟକଙ୍କୁ ମହୁରି ସମ୍ମାନ-୨୦୧୯ ପ୍ରଦାନ କରାଯାଇଥିଲା।

ଏ ବାବଦକୁ ତାଙ୍କୁ ମାନପତ୍ର, ₹୧୧,୧୦୧/-ର ଚେକ୍ ଓ କଳାହାଣ୍ଡି କାଷ୍ଠଶିଳ୍ପ ମହୁରି ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ମହୁରିର ସହ-ସଂପାଦକ ସୁଶୀଲ କୁମାର ବାଗ। ପରେପରେ ଆୟୋଜିତ କବିତା ପାଠୋତ୍ସବରେ ସୁଖ୍ୟାତ କବି ସୌଭାଗ୍ୟକୁମାର ମିଶ୍ର ଏକକ ଅତିଥି ଭାବେ ଯୋଗଦେଇଥିବା ବେଳେ ଯୁବ କବି ତଥା କଥାକାର ସରୋଜ ବଳ ସଂଯୋଜନା ଏବଂ ଯୁବ ଲେଖକ ଡିଲେଶ୍ୱର ରଣା ସହଯୋଗ କରିଥିଲେ। ଏଥିରେ କବି ଭାରତ ମାଝୀ, ସ୍ୱପ୍ନା ମିଶ୍ର, ପବିତ୍ରମୋହନ ଦାଶ, ସୁରେଶ ସାଗର, ଶ୍ୱେତା ରାଉତ, ଗାରିମା ନାଥ, ମାନମୟୀ ରଥ, ଲକ୍ଷ୍ମୀନାରାୟଣ ହୋତା, ଚାଇଁଆ ମୁରୁଖ, ବାଦଲ ମହାନ୍ତି, ଶକ୍ତି ମହାନ୍ତି, କେଦାର ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ।

ଲେଖକ ସକିତ ରତେ, ପରେଶ କୁମାର ପଟ୍ଟନାୟକ, କ୍ଷୀରୋଦ ପରିଡ଼ା, ଅଞ୍ଜୁମନ୍ ଆରା, ରଜତ ରଶ୍ମୀ ସ୍ୱାଇଁ, ସରୋଜ, ସୁନନ୍ଦା ପ୍ରଧାନ, ଲକ୍ଷ୍ମୀକାନ୍ତ ବାଗ, ସଚିନ୍ ଜୈନ, ପବିତ୍ରମୋହନ ପରିଡ଼ା ପ୍ରମୁଖଙ୍କ ସହ ଶତାଧିକ ସାହିତ୍ୟପ୍ରେମୀ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.