Latest Odisha News

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା: ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟରେ ଏକ ନୂଆ ମୋଡ଼ ନେଇଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ମାମଲା । ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ସିବିଆଇ ତଦନ୍ତ ଦାବି ମାମଲା ନେଇ ମାନ୍ୟବର ହାଇକୋର୍ଟ ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ମାର୍ଚ୍ଚ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ମାର୍ଚ୍ଚ ୫ ସୁଦ୍ଧା ଏନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆବେଦନକାରୀ ତାଙ୍କ ପିଟିସନ୍‌ରେ ଲକ୍ଷ୍ମଣାନନ୍ଦଙ୍କୁ ଷଡ଼ଯନ୍ତ୍ର କରାଯାଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । କିନ୍ତୁ ଯେଉଁଭଳି ଏହି ଘଟଣାର ତଦନ୍ତ କରାଗଲା, ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିନାହିଁ । ଘଟଣାର ସିବିଆଇ ତଦନ୍ତ କରାଗଲେ ଅନେକ ରହସ୍ୟର ଉନ୍ମୋଚନ ହୋଇପାରିବ ବୋଲି ଆବେଦନକାରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଦିନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଏବଂ ତାଙ୍କର ଅନ୍ୟ ୪ ଜଣ ଅନୁଗତଙ୍କୁ ଦୁର୍ବୃତ୍ତ ମାନେ ନିର୍ମମ ଭାବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା କନ୍ୟାଶ୍ରମରେ ହତ୍ୟା କରିଥିଲେ । ଇତି ମଧ୍ୟରେ ସେହି ଘଟଣାକୁ ଦୀର୍ଘ ବର୍ଷ ବିତିଗଲାଣି । ପ୍ରତିବର୍ଷ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସ୍ଵାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭାରରେ ସ୍ୱାମୀଜୀଙ୍କ ପ୍ରକୃତ ହତ୍ୟାକରୀଙ୍କୁ ଧରିବା ସହ କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି ରଖିଥାନ୍ତି ପରିଷଦ ଲୋକେ ।

Leave A Reply

Your email address will not be published.