Latest Odisha News

BREAKING NEWS

କ’ଣ ପିନ୍ଧିବେ ତାଜିକିସ୍ତାନ ମହିଳା…ନିଷ୍ପତ୍ତି ନେବେ ସରକାର

ନୂଆଦିଲ୍ଲୀ: ମୁସଲିମ ବହୁଳ ତାଜିକିସ୍ତାନରେ ମହିଳାଙ୍କ ଜାତୀୟ ପୋଷାକ ଅପଡେଟ୍ କରାଯାଇଛି। ବୁଧବାର ପୋଷାକ ନେଇ ନୂଆ ଅପଡେଟ୍ ଆସିଥିବା ବେଳେ ଏନେଇ ଏକ ବହିରେ ପ୍ରକାଶ କରାଯିବ । ଫଳରେ ଘରେ ଓ ସାର୍ବଜନୀନ ସ୍ଥାନରେ କେଉଁ ପୋଷାକ ପିନ୍ଧିବେ, ସେନେଇ ଜାଣିପାରିବେ ମହିଳା । ମଧ୍ୟଏସୀୟ ଦେଶ ତାଜିକିସ୍ତାନ ଦେଶର ମହିଳାଙ୍କ ପୋଷାକ ନେଇ ନିଷ୍ପତ୍ତି ନେଇଥାଏ । ପାରମ୍ପରିକ ତାଜିକ ପୋଷାକକୁ ସମର୍ଥନ କରିବା ସହ ବିଦେଶୀ ପୋଷାକ ଉପରେ ଦେଶ ପ୍ରତିବନ୍ଧକ ଲଗାଇଆସିଛି । କେବଳ ବିଦେଶୀ ପୋଷାକ ନୁହେଁ ହିଜାବ, ନକାବ ଭଳି ଇସଲାମୀୟ ଡ୍ରେସ କୋଡ୍ ଉପରେ ବି କଟକଣା ଲଗାଯାଇଛି ।

କେମିତି ପୋଷାକ ପିନ୍ଧିବେ ମହିଳା?

ଜୁଲାଇରେ ମହିଳାଙ୍କ ଜାତୀୟ ପୋଷାକ ସଂପର୍କିତ ନୂଆ ସୁପାରିସ ନେଇ ବହି ପ୍ରକାଶ ପାଇବ । ଏନେଇ ତାଜିକିସ୍ତାନ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବହିରେ କେଉଁ ବୟସର ମହିଳା କିଭଳି ପୋଷାକ ପିନ୍ଧିବେ ସେନେଇ ଲେଖାଯିବ । ସେହିପରି ଘର, ଥିଏଟର, ସାର୍ବଜନୀନସ୍ଥଳରେ ବି ଡ୍ରେସକୋଡ୍ ନେଇ ସୂଚନା ଦିଆଯିବ । ପୁରୁଣା ସମୟରେ ତାଜିକି ମହିଳା ପିନ୍ଧୁଥିବା ପୋଷାକ ଏବେବି ଏଠାକାର ମହିଳାଙ୍କ ଡ୍ରେସ୍ କୋଡ ରହିଛି । ସାଧାରଣ ଭାବେ ତାଜିକିସ୍ତାନର ମହିଳା ରଙ୍ଗ ବେରଙ୍ଗର ଏମ୍ବ୍ରୋଇଡେରୀ ଥିବା ଲମ୍ବା ସ୍ଲିଭର ଟ୍ୟୁନିକ ସହ ଢିଲା ଟ୍ରାଉଜର ପିନ୍ଧନ୍ତି । ସେଠାରେ ମହିଳାଙ୍କୁ ମିନି ସ୍କଟ୍, ହିଜାବ, ଫ୍ଲାଟ୍ ଜୋତା କିମ୍ବା ଛୋଟ ସ୍ଲିଭର ପୋଷାକ ପିନ୍ଧିବାକୁ ମନା କରାଯାଏ । ପୋଷାକ ରାଷ୍ଟ୍ରୀୟ ସଂସ୍କୃତିର ପ୍ରମୁଖ ତତ୍ବ, ଏହା ପୂର୍ବପୁରୁଷଙ୍କଠାରୁ ମିଳିଛି । ବର୍ଷ ବର୍ଷ ଧରି ଏହାର ସୌନ୍ଦର୍ଯ୍ୟ ପୂର୍ବଭଳି ରହିଆସିଥିବା ସାଂସ୍କୃତିକ ସଂସ୍ଥାନ ଓ ଲୋକଶିଳ୍ପ ବିଭାଗ ମୁଖ୍ୟ କହିଛନ୍ତି ।

ହିଜାବ ପିନ୍ଧିବା ଉପରେ କଟକଣା

ଆଫଗାନିସ୍ତାନ ସୀମାରେ ରହିଥିବା ତାଜିକିସ୍ତାନରେ ମୋଟ୍ ଜନସଂଖ୍ୟାର ୯୦ପ୍ରତିଶତ ମୁସଲିମ । ଏହାପରେ ବି ଦେଶରେ ଇସଲାମୀୟ ପୋଷାକ ପିନ୍ଧିବା ଉପରେ କଟକଣା ରହିଛି । ୧୯୯୪ରୁ ତାଜିକିସ୍ତାନର ରାଷ୍ଟ୍ରପତି ରହିଥିବା ଇମୋମାଲି ରହମାନଙ୍କ ମତରେ ହିଜାବ ପିନ୍ଧିବା ସମାଜ ପାଇଁ ସମସ୍ୟା । ଗତବର୍ଷ ଜୁନରେ ତାଜିକିସ୍ତାନରେ ହିଜାବ ପିନ୍ଧିବା ଉପରେ ଆଇନଗତ ପ୍ରତିବନ୍ଧକ ଲଗାଯାଇଛି । ସଂସଦର ଉଭୟ ସଦନରେ ହିଜାବ ସହ ବିଦେଶୀ ପୋଷାକ ପିନ୍ଧିବା ଉପରେ କଟକଣା ନେଇ ବିଲ୍ ପାସ କରାଯାଇଥିଲା । ଦେଶରେ ହିଜାବ ବା ବିଦେଶୀ ପୋଷାକ ପିନ୍ଧିଲେ ଆଇନ ଅନୁସାରେ ୬୨ହଜାର ୮୯୩ ଟଙ୍କାରୁ ୩ଲକ୍ଷ ୧୩ହଜାର ୬୭୩ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରିବ । ଆଇନ ଅନୁସାରେ ଇଦରେ ପିଲାଙ୍କୁ ଦିଆଯାଉଥିବା ଇଦି ଉପରେ ବି କଟକଣା ଲାଗିଛି ।

କାହିଁକି ହିଜାବକୁ ନା?

ସାଧାରଣତଃ ମୁସଲିମ ବହୁଳ ଦେଶରେ ହିଜାବ ପିନ୍ଧିବା ଉପରେ ଜୋର୍ ଦିଆଯାଏ । ଏପରିକି ଅନେକ ଦେଶରେ ହିଜାବ ନପିନ୍ଧିବା ବିରୋଧରେ କଡା ଆଇନ ରହିଛି । ହେଲେ ତାଜିକିସ୍ତାନ ମୁସଲିମ ବହୁଳ ଦେଶ ହୋଇବି ହିଜାବ ଉପରେ କଟକଣା ଲଗାଇଛି । ତେବେ ଏହା ପଛରେ କାରଣ ହେଉଛି ରାଷ୍ଟ୍ରପତି ରହମାନଙ୍କ ନୀତି । ଏଥିରେ ତାଜିକିସ୍ତାନ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ସାର୍ବଜନୀନ ଜୀବନରେ ଧାର୍ମିକ ଦିଖାବାକୁ ନିୟନ୍ତ୍ରଣ କରିବାକୁ ଜୋର୍ ଦିଆଯାଇଛି । ୩୦ବର୍ଷରୁ ଅଧିକ ସମୟ ଧରି ତାଜିକିସ୍ତାନରେ ରାଷ୍ଟ୍ରପତି ରହିଥିବା ରହମାନ ପ୍ରଥମରୁ ହିଁ ଧାର୍ମିକ ରାଜନୈତିକ ଦଳଙ୍କୁ ବିରୋଧ କରିଥିଲେ  । ସେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ । ୧୯୯୪ରୁ ଲମ୍ବା ସମୟ ଧରି ସେ କ୍ଷମତାରେ ରହିଛନ୍ତି ।

Comments are closed.