Latest Odisha News

BREAKING NEWS

‘ନବୀନଙ୍କ ପ୍ରତିକ୍ରିୟା’ ଜୟନାରାୟଣ ଇଫେକ୍ଟ ନୁହେଁ ତ ?

ଭୁବନେଶ୍ୱର: ଗଣମାଧ୍ୟମରେ ନବୀନଙ୍କ ପ୍ରତିକ୍ରିୟାକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀଙ୍କ ବାରମ୍ବାର ଟାର୍ଗେଟ ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଲି ମୁହଁ ଖୋଲିନାହାଁନ୍ତି। ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିମାନେ ହାତରେ ବୁମ ଧରି ନବୀନଙ୍କ ପାଖରେ ଛିଡା ହୋଇ ପ୍ରତିକ୍ରିୟା ସଂଗ୍ରହ କରିଛନ୍ତି। ଯାହାକି ନବୀନଙ୍କ କ୍ଷେତ୍ରରେ ବିରଳ ବୋଲି କୁହାଯାଏ।

ପୂର୍ବରୁ କୌଣସି ପ୍ରସଙ୍ଗରେ ନବୀନ ନିଜେ କହିବାକୁ ଚାହିଁଲେ କୁହନ୍ତି। ତାହା ପୁଣି ପୋଡିୟମରେ ବୁମ ରଖାଯାଏ ଓ ନବୀନ କୁହନ୍ତି। ଆଉ ବେଳେ ବେଳେ ନବୀନ ନିବାସରେ ମିଶ୍ରଣ କାର୍ଯ୍ୟକ୍ରମ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ଡକାଯାଇଥିବାବେଳେ ନବୀନ ଚାହିଁଲେ ପ୍ରତିକ୍ରିୟା ଦିଅନ୍ତି।

କିନ୍ତୁ କରୋନା ପରଠୁ ଏ କଥା ବହୁଦିନ ଧରି ଆଉ ଦେଖାଯାଉ ନାହିଁ। ଏପରିକି ନବୀନ ଏବେ ଯେଉଁ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସେ ପ୍ରସଙ୍ଗକୁ ନେଇ ବିରୋଧୀ ଲଗାତର ଭାବେ ବର୍ଷ ବର୍ଷ ଧରି ବିଜେଡି ଓ ନବୀନଙ୍କୁ ଟାର୍ଗେଟ କରି ଆସୁଛନ୍ତି। ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ କେତେଦିନରୁ ବିଜେଡି ଓ ନବୀନଙ୍କୁ ବିରୋଧୀ ଟାର୍ଗେଟ କରୁଛନ୍ତି। କିନ୍ତୁ ଏବେ ହଠାତ ନବୀନ କାହିଁକି ବହୁ ଗଣମାଧ୍ୟମକୁ ଅତି ନିକଟରେ ପ୍ରତିକ୍ରିୟା ଦେଲେ ତାକୁ ନେଇ ଜୋରଦାର ଚର୍ଚ୍ଚା।

ବିଶେଷ କରି ବିରୋଧୀ ଯେ କୌଣସି ପ୍ରସଙ୍ଗରେ ସରକାରଙ୍କୁ ଯେତେ ଆକ୍ଷେପ କଲେ ମଧ୍ୟ ନବୀନ ପ୍ରତିକ୍ରିୟା ଦେଇ ନ ଥାନ୍ତି। ପ୍ରସଙ୍ଗ ଯେତେ ବଡ଼ ଯେତେ ଗୁରୁତ୍ୱପୂର୍ଣ୍ଣ ବୋଲି ବିରୋଧୀ କୁହନ୍ତୁ ନାଁ କାହିଁକି ନବୀନଙ୍କ ମୁହଁରୁ ପଦେ ଶୁଣିବା ସ୍ୱପ୍ନ ହୋଇପଡେ।

ପ୍ରତିକ୍ରିୟାଶୀଳ ନ ହେବା, ସରଳତା, ନରମ ସ୍ଵଭାଵ ଆଦି ନବୀନଙ୍କର ବିଶେଷ ପରିଚୟ। ବିବାଦୀୟ ପ୍ରସଙ୍ଗରେ ବିଜେଡିର ଅନ୍ୟ ନେତା ପ୍ରତିକ୍ରିୟା ରଖୁଥିଲେ ମଧ୍ୟ ନବୀନ ପ୍ରାୟ ଚୁପ ରୁହନ୍ତି। କୌଣସି ସ୍ଥିତିରେ ସୁଯୋଗ ପାଇ ଗଣମାଧ୍ୟମ ପ୍ରଶ୍ନ ରଖିଲେ ମଧ୍ୟ ନବୀନ ଏହାକୁ ଏଡାଇଯିବା ଦେଖାଯାଏ। ଦୀର୍ଘ ବର୍ଷର ଶାସନକାଳ ମଧ୍ୟରେ ଅଳ୍ପ କିଛି ସ୍ଥାନରେ ନବୀନ ସାମ୍ବାଦିକଙ୍କ କିଛି ପ୍ରଶ୍ନର ଉତ୍ତର ଏଭଳି ଢଙ୍ଗରେ ରଖନ୍ତି।

ଏପରିକି ସମ୍ବେଦନଶୀଳ ପ୍ରସଙ୍ଗଗୁଡିକରେ ନବୀନ କିଛି କୁହନ୍ତୁ ବୋଲି ବିରୋଧୀ ଯେତେ କହିଲେ ମଧ୍ୟ ସେ କିଛି କହି ନ ଥିବା ପ୍ରାୟ ଦେଖାଯାଏ। କିନ୍ତୁ ଏବେକାର ନବ ଦାସ ହତ୍ୟା ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ। ନବଙ୍କ ହତ୍ୟାକୁ ଦୁଇ ମାସ ହେବାକୁ ବସିଥିବାବେଳେ ଏଥିରେ ସ୍ପଷ୍ଟତା ଆସୁନି। ଏପରିକି ଏହା ଶାସକ ଦଳ ନେତାଙ୍କ ପ୍ରାୟୋଜିତ ହତ୍ୟା ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏ ପ୍ରସଙ୍ଗକୁ ନେଇ ଲଗାତର ନବୀନଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରି ଆସୁଛନ୍ତି। ଜୟନାରାୟଣ ଯେଉଁ ପ୍ରସଙ୍ଗ ଓ ଯେଉଁ ଢଙ୍ଗରେ ସରକାରୀ ଦଳକୁ ଶାଣିତ ଆକ୍ରମଣ କରୁଛନ୍ତି ତାହା ଲୋକଙ୍କ ଦ୍ୱାରା ଆଲୋଚନା ବି ହେଉଛି।

ଜୟଙ୍କ କଥାକୁ ଲୋକେ ଗୁରୁତ୍ୱର ସହ ନେଉଥିବା ଚର୍ଚ୍ଚା ବି ହେଉଛି। ଏପରିକି ଖାଲି ସେତିକି ନୁହେଁ ଜୟ ନାରାୟଣ ଫାଇଭ ଟି ଉପରେ ପ୍ରଶ୍ନ ଉଠାଇବା ସହ ଅଫିସରମାନଙ୍କ ନିକଟରେ ମନ୍ତ୍ରୀ ନତମସ୍ତକ ହେବା ପ୍ରସଙ୍ଗକୁ ମଧ୍ୟ ଲଗାତର ଉଠାଇ ଚାଲିଛନ୍ତି।

ପୂର୍ବରୁ ବିରୋଧୀ ଦଳର ପ୍ରମୁଖ ପଦରେ ଥାଇ ସରକାରୀ ଦଳ ମଙ୍ଗୁଆଳମାନଙ୍କୁ ସମ୍ବେଦନଶୀଳ ପ୍ରସଙ୍ଗ ଗୁଡିକରେ ଏଭଳି ଲଗାତର ଆକ୍ରମଣ କରିବା ଦେଖାଯାଏ ନାହିଁ। ଯାହାକି ଏବେ ହେଉଛି। ଯାହା ଯେତେ କହିଲେ ବି ଜୟଙ୍କ ତୁଣ୍ଡରେ ବିରାମ ଲାଗୁନି। ଯାହାକି ସରକାରୀ ଦଳକୁ ଅଡୁଆରେ ପକାଉଥିବା ଚର୍ଚ୍ଚା ହେଉଛି।

ତେଣୁ ଏସବୁକୁ ଆଖି ଆଗରେ ରଖି ନବୀନ ଗଣମାଧ୍ୟମ ସମ୍ମୁଖକୁ ଆସି ପ୍ରତିକ୍ରିୟା ରଖିଲେ କି ବୋଲି ଚର୍ଚ୍ଚା ହେଉଛି। ଆଗକୁ ନିର୍ବାଚନ ଥିବାରୁ ବିରୋଧୀ ବିଶେଷ କରି ଜୟ ନାରାୟଣ ଯେଉଁଭଳି ଭାବେ ଆଟାକିଙ୍ଗ ମୋଡ଼କୁ ଆସିଛନ୍ତି ସେଭଳି ସମୟରେ ନବୀନଙ୍କ ପ୍ରତିକ୍ରିୟାକୁ ନେଇ ଆଲୋଚନା ହେଉଛି।

କିନ୍ତୁ ଗଣମାଧ୍ୟମରେ ନବୀନଙ୍କ ଏହି ପ୍ରତିକ୍ରିୟା ଲୋକଙ୍କ ନିକଟରେ ବିରୋଧୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି ନା ଆଉ କିଛି ଭିନ୍ନ ଚର୍ଚ୍ଚା ପାଇଁ ସୁଯୋଗ ଦେଉଛି ତା ଉପରେ ସମସ୍ତଙ୍କର ନଜର।

Leave A Reply

Your email address will not be published.