Tamil Nadu Election Result: ହାରିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ … କୋଲାଥୁର ଆସନରେ ପୁରୁଣା ସହଯୋଗୀଙ୍କ ଦ୍ୱାରା ପରାସ୍ତ
ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଡିଏମ୍କେ ମୁଖ୍ୟ ଏମକେ ଷ୍ଟାଲିନ କୋଲାଥୁର ଆସନରୁ ପରାଜିତ ହୋଇଛନ୍ତି । ଷ୍ଟାଲିନ ତାଙ୍କର କୋଲାଥୁର ଆସନରୁ ୮ ହଜାର ଭୋଟରେ ନିର୍ବାଚନ ହାରିଲେ । କୋଲାଥୁର ଆସନକୁ ଷ୍ଟାଲିନଙ୍କ ଗଡ଼ କୁହାଯାଏ,କାରଣ ସେ କ୍ରମାଗତ ତିନି ଥର (୨୦୧୧, ୨୦୧୬, ୨୦୨୧) ଜିତିଥିଲେ। ଏବେ ସେ ବିଜୟ ଥାଲାପତିଙ୍କ ତମିଲଗା ବେତ୍ରି କଡଗମ (TVK)ର ପ୍ରାର୍ଥୀ ତଥା ନିଜର ପୁରୁଣା ସହଯୋଗୀ ଭି.ଏସ. ବାବୁଙ୍କ ଠାରୁ ପରାସ୍ତ ହୋଇଛନ୍ତି।
ପୂର୍ବରୁ ୨୦୨୧ ବିଧାନସଭା ନିର୍ବାଚନରେ, ଏମକେ ଷ୍ଟାଲିନ AIADMKର ଆଦି ରାଜାରାମଙ୍କୁ ପରାସ୍ତ କରିଥିଲେ।
ଭିଏସ ବାବୁ ପୂର୍ବରୁ ଡିଏମକେ ବିଧାୟକ ଥିଲେ। ସେ ୨୦୧୧ ବିଧାନସଭା ନିର୍ବାଚନ ସମୟରେ କୋଲାଥୁର ନିର୍ବାଚନମଣ୍ଡଳୀରେ ଏମକେ ଷ୍ଟାଲିନଙ୍କ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିଲେ, କିନ୍ତୁ ପରେ ଦଳ ଛାଡି ଏଆଇଏଡିଏମକେରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ୭ ଫେବୃଆରୀ, ୨୦୨୬ ରେ ସେ ବିଜୟ ଥାଲାପତିଙ୍କ ଟିଭିକେ ଦଳରେ ଯୋଗ ଦେଇଥିଲେ।
ଏମକେ ଷ୍ଟାଲିନ ପାଞ୍ଚଥର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ପୁଅ। ୨୦୧୮ରେ କରୁଣାନିଧିଙ୍କ ମୃତ୍ୟୁ ପରେ, ସେ ଡିଏମକେର ସଭାପତି ପଦ ଗ୍ରହଣ କରିଥିଲେ। ୨୦୧୧ ମସିହାରେ, ଭିଲିଭାକକମ୍ ଏବଂ ପୁରସଭାକକମ୍ ନିର୍ବାଚନମଣ୍ଡଳୀର କିଛି ଅଂଶକୁ ମିଶାଇ କୋଲାଥୁର ବିଧାନସଭା ନିର୍ବାଚନମଣ୍ଡଳୀ ସୃଷ୍ଟି କରାଯାଇଥିଲା। ଏହାର ଗଠନ ହେବା ପରଠାରୁ, ଏମ.କେ. ଷ୍ଟାଲିନ ବିଧାୟକ ଅଛନ୍ତି।