(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)
ପୁଅ ବେଦି ଉପରେ ବସିଛି । ହାତଗଣ୍ଠି ପଡ଼ିସାରିଲାଣି । ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ ଚାଲିଛି । ଏବେ ବେଦି ଉପରେ ବନ୍ଦାଣ ପଡ଼ିବ । ପରିବାରର ବରିଷ୍ଠ ମହିଳାମାନେ ହୁଳହୁଳି ପକାଇ ପୁଅ ବୋହୂକୁ ବନ୍ଦାପନା କରୁଛନ୍ତି । ମହୁରିଆ ମହୁରୀ ବଜାଇବାରେ ବ୍ୟସ୍ତ । ବାଜାବାଲା ମଝିରେ ମଝିରେ ଟିକିଏ ଚାଙ୍ଗୁଟାକୁ ବଜେଇ ଦେଉଛି । ଏପଟେ କୁଣିଆ ମଇତ୍ରଙ୍କ ଲାଗି ଖନ୍ଦାଶାଳରେ ରନ୍ଧାରନ୍ଧି ଚାଲିଛି । ହେଲେ ପୁଅ ବାହାଘର କଥା କିଏ ବୁଝିବ ବା କିଏ ବୁଝୁଛି, ସେକଥା ବାପାଙ୍କୁ ଜଣାନାହିଁ । ସେ ନିଜ ଦୁନିଆରେ ବ୍ୟସ୍ତ। ଦିନ ତମାମ ପଣ୍ଡିତମାନଙ୍କ ସହିତ ବସି ଶାସ୍ତ୍ର ଚର୍ଚ୍ଚା କରୁ କରୁ ଆଉ କେତେବେଳେ ସମୟ ଅଛି ଯେ, ସେ ନିଜ ପୁଅ ବାହାଘର କଥା ବୁଝନ୍ତେ । ନିଜ କବିତା, ଗୀତ, ଛାନ୍ଦ, ଚଉପଦୀ ଭିତରେ ଜୀବନ ତମାମ ହଜିଯିବାକୁ ଭଲ ପାଉଥିବା ମଣିଷଟି ହେଉଛନ୍ତି ଏହି ତାରାଚାନ୍ଦ ପାହାଡ଼ସିଂହ । ତାରାଚାନ୍ଦ ଓ ତାଙ୍କ ବଡ଼ଭାଇ ରାମଚାନ୍ଦ । ବଡ଼ଭାଇଙ୍କ ସମ୍ପୂର୍ଣ୍ଣ ଆଜ୍ଞାବହ ତାରାଚାନ୍ଦ । ଭାଇ କହିଲେ ଉଠ୍ .. ଭାଇ କହିଲେ ବସ୍। ତେବେ ଯେତେବେଳେ ତାରାଚାନ୍ଦ ନିଜ ଶାସ୍ତ୍ର ଚର୍ଚ୍ଚା ଭିତରେ ମଗ୍ନ, ସେତେବେଳେ ସେ ଦୁନିଆର ଆଉ କିଛି ଦେଖିପାରନ୍ତିନି ।
ସେଦିନ ବି ସେଇଆ ହେଲା । ପୁଅ ବାହାଘର ଚାଲିଥିଲା ବେଳେ ଟିକିଏ ଫୁରସତ୍ ବାହାର କରି ସେ ଆସିଯାଇଥିଲେ ବେଦି ପାଖକୁ, କେବଳ ଦେଖିବା ପାଇଁ ଯେ ତାଙ୍କର ଏକମାତ୍ର ପୁଅର ବାହାଘର ସରିଲାଣି ନା ନାହିଁ । ବେଦି ଆଡ଼କୁ ଟିକିଏ ଅନେଇ ଦେଇ ତାରାଚାନ୍ଦ କହିଲେ, ହାତଗଣ୍ଠି ପଡ଼ଗଲାଣି ତ, ହଉ କାମ ବଢ଼ାଅ । ସେଇ ଜଗନ୍ନାଥେ ଅଛନ୍ତି, ସର୍ବମଙ୍ଗଳା ଜଗନ୍ନାଥ କହିଦେଲେ ସବୁ କାମ ହେଇଯିବ । ସେଇଠୁ ଟିକିଏ ଖନ୍ଦାଶାଳ ଆଡ଼େ ବୁଲିଯାଇ କହିଲେ, ଭାଇମାନେ .. ନିଜେ ରାନ୍ଧିବ, ନିଜେ ଖାଇବ । ଭଲ ତମର, ମନ୍ଦ ତମର । ମୁଁ ଚାଲିଲି । ପୁଣି ତାରାଚାନ୍ଦ ପାହାଡ଼ସିଂହ ଫେରିଗଲେ ନିଜ ଦୁନିଆକୁ । ପୁଣି ଭଞ୍ଜ ସାହିତ୍ୟର ଚର୍ଚ୍ଚା ପରିଧିକୁ ।
ପୁଅ ବାହାଘର ପରେ, ଧୀରେ ଧୀରେ ତାରାଚାନ୍ଦଙ୍କ ହାବଭାବରେ ପରିବର୍ତ୍ତନ ହେବା ନଜରକୁ ଆସିଲା । ଦେଖୁ ଦେଖୁ ତାରାଚାନ୍ଦଙ୍କ ନାତିଟିଏ ହେଲା । ନାତି ଟୋକାକୁ ଦେଖି, ତାରାଚାନ୍ଦଙ୍କ ପାଦ ତଳେ ଲାଗୁନଥାଏ । ଛୋଟିଆ ଘରଟାଏ ଭିତରେ ଏତେ ବଡ଼ ଖୁସିକୁ କେମିତି ବାନ୍ଧି ରଖିପାରିବେ ସେ, ସେ କଥା ସେ ଚିନ୍ତା କରୁଥାନ୍ତି । ନାତିକୁ କୋଳେଇ କାଖେଇ ବଡ଼ କରିବାରେ ଲାଗିପଡ଼ିଲେ ତାରାଚାନ୍ଦ । ତାକୁ କାନ୍ଧରେ ବସାଇ ମେଳା ଦେଖାଇଲେ । ତାର ପ୍ରଥମ ଗୁରୁ ସାଜି ଅକ୍ଷର ଶିକ୍ଷା ବି ଦେଇଥିଲେ ତାରାଚାନ୍ଦ । ପଛକୁ ପଛ, ତାଙ୍କର ଆଉ ଦୁଇଟି ନାତି ନାତୁଣୀ ବି ହେଲେ । ପୁଅର ସୁଖୀ ସଂସାର ଦେଖି ବେଶ୍ ଆନନ୍ଦିତ ଥାଆନ୍ତି ତାରାଚାନ୍ଦ । ତେବେ ନାତି ନାତୁଣୀଗୁଡ଼ାକ ଭାରି ଦୁଷ୍ଟ । ସବୁଦିନ ସନ୍ଧ୍ୟାରେ ବସିଯାଆନ୍ତି ଜେଜେଙ୍କ ପାଖରେ, କିଛି ନୂଆ କାହାଣୀ ଶୁଣିବାକୁ ।
ତାରାଚାନ୍ଦଙ୍କ ପ୍ରତିଟି କାହାଣୀ ନାତି ନାତୁଣୀଙ୍କ ପାଇଁ ଥିଲା ଆଲାଦିନର କୁହୁକ ପେଡ଼ି ଭଳି । ସବୁଦିନ ସେଥିରୁ କିଛି ନା କିଛି ନୂଆ କାହାଣୀ ବାହାରୁଥିଲା । ତେବେ ସେମାନଙ୍କ ସହିତ ଏତେ ସମୟ ଧରି ଗପିଲେ ବି କେବେ ଥକି ପଡୁନଥିଲେ ତାରାଚାନ୍ଦ । ଦିନେ କହୁ କହୁ ସେ କହିବସିଲେ ନିଜ ଜୀବନ ସଂଘର୍ଷର କାହାଣୀ । କେମିତି ସେ ଚାହିଁଲେ ବି ନିଜ ଇଚ୍ଛା ମୁତାବକ ପାଠ ପଢ଼ିପାରିଲେ ନାହିଁ, କିନ୍ତୁ ପଢ଼ିବାର ଇଚ୍ଛା ତାଙ୍କୁ ଧୀରେ ଧୀରେ ଅଧିକ ଜିଜ୍ଞାସୁ କରିଦେଇଥିଲା । ଗାଁ ଆଖପାଖର ବିଭିନ୍ନ ସହରାଞ୍ଚଳକୁ ଯାଇ ସେଠାକାର ପାଠଗାରରୁ ଆଣିଥିବା ବହି, ସତେ ଯେମିତି ତାଙ୍କର ଆଉ ଏକ ଦୁନିଆ ସହିତ ପରିଚିତ କରାଇ ଦେଉଥିଲା । ତେଣୁ ଜୀବନର ଶେଷ ମୁହୂର୍ତ୍ତ ଯାଏଁ ବି ସେ ନିଜକୁ ବହିଠୁ ଦୂରେଇ ପାରିନଥିଲେ । କଥା ପ୍ରସଙ୍ଗରେ କହୁ କହୁ ତାରାଚାନ୍ଦ କହିଲେ, ନିଜ ତରୁଣ ବୟସର କିଛି ଅନୁଭୂତି । ତେଇଶି ବର୍ଷ ବୟସରେ ଘର ଚଳାଇବା ପାଇଁ ଆବଶ୍ୟକ ରୋଜଗାରର ସନ୍ଧାନରେ ଘର ଛାଡ଼ିଦେଇଥିଲେ ତାରାଚାନ୍ଦ । କେଉଁ ଏକ ଠିକାଦାରର ପ୍ରଲୋଭନରେ ଗାଁରୁ ସେ ଚାଲିଯାଇଥିଲେ ଆସାମ । ତେବେ ତାଙ୍କ ଉଦ୍ଦେଶ୍ୟ ଥିଲା ରେଙ୍ଗୁନ ଯିବା । କିନ୍ତୁ ରେଙ୍ଗୁନ ବଦଳରେ ଆସାମରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଲା ତାରାଚାନ୍ଦଙ୍କୁ । ସେଇଠି କିଛି ଦିନ କାମ କରିବା ପରେ, ସେ ଜାଣିପାରିଲେ ଯେ, ନିଜ ଗାଁରେ ନିଜ ଜମିବାଡ଼ିରେ କାମ କରି ଓଳିଏ ଖାଇ ଓଳିଏ ଓପାସରେ ସିନା ରହିବ, ହେଲେ ପର ରାଜ୍ୟକୁ ଆସି ନାଁ ପକାଇବାର କିଛି କାରଣ ନାହିଁ । କାରଣ ପରିଶ୍ରମ ତୁଳନାରେ ପାରିଶ୍ରମିକ ନଥିଲା । ଛଅ ମାସ କାମ କରିବା ପରେ ନିଜର ଖାଇବା ପିଇବା ବାହାରେ ସେ ସଞ୍ଚୟ କରିପାରିଥିଲେ ମାତ୍ର ଛଅ ଟଙ୍କା । ଏଇ କଥାଟା ତାରାଚାନ୍ଦଙ୍କୁ ଅତି ବିବ୍ରତ କରିଦେଲା । ତେଣୁ ସେ ବାଧ୍ୟ ହୋଇ ଠିକାଦାରର ଅଜାଣତରେ ହିଁ କାମ ଛାଡ଼ି ଗାଁ ମୁହାଁ ହେଲେ । ଆସାମରୁ ଟ୍ରେନରେ ବିନା ଟିକେଟରେ ଆସିଲେ କାଳେ ଟିଟିଇ ଧରିବ, ସେହି ଭୟରେ ମାଲବାହୀ କୋଇଲା ବୋଝେଇ ଟ୍ରେନରେ ଚଢ଼ି ଯାଇଥିଲେ ତାରାଚାନ୍ଦ । ପହଞ୍ଚିଲେ ସିଅଲଦା ଷ୍ଟେସନରେ । ଷ୍ଟେସନରେ କାଳେ ପୋଲିସ କିମ୍ବା ଟିଟିଇ ଧରିନେବ, ସେହି ଭୟରେ ଟ୍ରେନ୍ ଗତି ମନ୍ଥର ହେବା ସଙ୍ଗେ ସଙ୍ଗେ ପ୍ଲାଟଫର୍ମ ଆସିବା ପୂର୍ବରୁ ହିଁ ଓହ୍ଲାଇ ପଡ଼ିଥିଲେ ତାରାଚାନ୍ଦ ।
ରାତି ପ୍ରାୟ ଦଶଟା ପାଖାପାଖି । ପ୍ଲାଟଫର୍ମ ବାହାରେ ରେଳଧାରଣା ମାନେ ତ ଅନ୍ଧାରଟା ସ୍ୱାଭାବିକ କଥା । ଅଶୀ ବର୍ଷ ତଳେ ବିଜୁଳି ଆଲୁଅ, ତା ପୁଣି ପ୍ଲାଟଫର୍ମ ବାହାରେ, ତାହା କେବଳ କଳ୍ପନାର କଥା । ତେଣୁ ସେହି ଅନ୍ଧକାର ଭିତରେ ଟ୍ରେନରୁ ଓହ୍ଲାଇ ପଡ଼ି ରେଳ ଧାରଣା କଡ଼େ କଡ଼େ ଚାଲୁଥିଲା ବେଳେ ହଠାତ୍ କେହି ଜଣେ ବ୍ୟକ୍ତି ତାରାଚାନ୍ଦଙ୍କୁ ଡେଣା ଧରି ଟାଣିବାରେ ଲାଗିଲା । ଯାହା ପଇସା ପତ୍ର ଅଛି ଦେବା ପାଇଁ ଧମକ ଦେଲା। ଯୁବକ ତାରାଚାନ୍ଦ ଓ ସେ ଦୁର୍ବୃତ୍ତ ମଧ୍ୟରେ ଟଣାଓଟରା ଚାଲିଥାଏ, ଏତିକିବେଳେ ଷ୍ଟେସନ ଅଞ୍ଚଳରେ ପ୍ରହରା ଦେଉଥିବା ପୋଲିସର ଦୃଷ୍ଟି ପଡ଼ିଲା ଉଭୟଙ୍କ ଉପରେ । ଦୂରରୁ ଟର୍ଚ୍ଚ ଆଲୁଅ ପକାଇ ଏଇମାନଙ୍କୁ ଆଡ଼କୁ ଝପଟି ଆସିଲା ସେହି ଚୌକିଦାର । ତାର ପାଟି ଶୁଣି ଦୁର୍ବୃତ୍ତଟି ତାରାଚାନ୍ଦଙ୍କୁ ଛାଡ଼ିଦେଇ ଦୌଡ଼ି ପଳାଇଲା । ତା ପରେ ତାରାଚାନ୍ଦଙ୍କୁ ଧଇଲା ସେ ଚୌକିଦାର । ଜାଣିପାରିଲା ଯେତେବେଳେ ଏ ବଙ୍ଗାଳି କି ହିନ୍ଦୀ ଭାଷୀ ନୁହନ୍ତି ବରଂ ଓଡ଼ିଆ ଏବଂ ସେ ଠିକ୍ ଭାବେ ଅନ୍ୟ କୌଣସି ଭାଷା କହିପାରୁନାହାନ୍ତି କି ବୁଝି ପାରୁନାହାନ୍ତି, ସେତେବେଳେ ସେ ତାରାଚାନ୍ଦଙ୍କୁ ଧମକ ଦେଲା । ବାନ୍ଧି ଥାନା ହାଜତକୁ ପଠେଇ ଦେବାକୁ ବି ଡର ଦେଖାଇଲା । ତେବେ କେମିତି କଣ କରି, ତା କବଳରୁ ମୁକ୍ତି ପାଇଲେ ତାରାଚାନ୍ଦ । ସେଠାରୁ ବାହାରି ମୁଖ୍ୟ ରାସ୍ତାକୁ ଆସିବା ପରେ ଦୀର୍ଘଶ୍ୱାସଟିଏ ମାରିଲେ ସେ । ମନେ ମନେ ନିଜକୁ ସାବାସୀ ଦେଉଥିଲେ ତାରାଚାନ୍ଦ । କାରଣ ନିଜ ଯୋଗାଡ଼ିଆ ମୁଣ୍ଡ ଖଟେଇ ସେ ନିଜ ସାର୍ଟ କୋଲାରର ଭିତର ପଟେ କଣାଟିଏ କରିଦେଇ, ସେ ଭିତର ଦେଇ ନିଜର କଷ୍ଟାର୍ଜିତ ଛଅ ଟଙ୍କାକୁ ସାଇତି ରଖିଥିଲେ । ତା ନହୋଇଥିଲେ, ପାଦରୁ ମୁଣ୍ଡ ଯାଏଁ ହାତମାରି ଯାଞ୍ଚ କରିଥିବା ଚୌକିଦାର କି ଏ ଛଅ ଟଙ୍କାକୁ ଛାଡ଼ିଥାନ୍ତା ?
ସିଅଲଦା ଷ୍ଟେସନରୁ ଚାଲି ଚାଲି ତାରାଚାନ୍ଦ ପହଞ୍ଚିଲେ ହାଓଡ଼ା ଷ୍ଟେସନରେ । ସେଠାରୁ ପୁଣି ଟ୍ରେନ୍ ଧରି ଗାଁକୁ ଫେରିବାକୁ ପଡ଼ିବ । ରାତି ପାହିଲେ ଶ୍ରୀଗୁଣ୍ଡିଚା । ତେଣୁ ଦ୍ୱିଧାରେ ଥାଆନ୍ତି ତାରାଚାନ୍ଦ । ଗାଁକୁ ଫେରିବେ ନା ପୁରୀ ଯାଇ ଠାକୁରଙ୍କୁ ରଥ ଉପରେ ଦେଖିବେ । ମନ ଜଗନ୍ନାଥମନସ୍କ ଥିଲା । ତେଣୁ ହାଓଡ଼ାରୁ ସିଧା ପୁରୀ ଚାଲିଲେ ତାରାଚାନ୍ଦ । ଦି ଅଣାର ଚୁଡ଼ା ଓ ଅଣାଏର ଗୁଡ଼ କିଣି ନିଜ ଗାମୁଛା କାନିରେ ବାନ୍ଧିଥାନ୍ତି ସେ । ପୂର୍ବରୁ କୋଇଲା ବୋଝେଇ ଟ୍ରେନରେ ବସି ଆସିଥିବାରୁ ତାଙ୍କ ଧୋତିଟା ପୂରା ଗୋଟାତୁଲେ କଳା ପଡ଼ିଯାଇଥିଲା । ସାର୍ଟର ଅବସ୍ଥା ନକହିଲେ ଭଲ । ତଥାପି ବଡ଼ଦାଣ୍ଡରେ ପହଞ୍ଚିଗଲା ପରେ ଆଉ କିଏ ଦେଖୁଛି ଏ ସାର୍ଟ । ପୁରୀ ଷ୍ଟେସନରେ ପହଞ୍ଚିଲା ପରେ ସେଇଠି ଥିବା ନଳ ଖୋଲି ନିଜ କାନିରେ ହିଁ ବନ୍ଧା ହୋଇଥିବା ଚୁଡ଼ାରୁ ମୁଠାଏ କାନିରେ ହିଁ ଧୋଇଦେଇ ସେଥିରେ ଗୁଡ଼ଟିକିଏ ମନ୍ଥି ଦେଇ ଖାଇଦେଲେ ତାରାଚାନ୍ଦ । ତାଙ୍କୁ ମନେହେଲା ସତେ ଯେମିତି ଆନନ୍ଦବଜାରରେ କେହି ତାଙ୍କୁ ମହାପ୍ରସାଦ ପରଷି ଦେଇଛି । ତା ପରେ ଗାମୁଛାଟିକୁ ସେହି ନଳରେ ହିଁ ଧୋଇଦେଇ ମୁଣ୍ଡରେ ବାନ୍ଧିଦେଲେ ତାରାଚାନ୍ଦ । ତା ପରେ ଠାକୁରେ ପହଣ୍ଡି ହୋଇ ରଥକୁ ଉଠିଲା ପରେ ଛେରାପହଁରା ନୀତି ବଢ଼ିଲା । ରଥରେ ଘୋଡ଼ା ଯୋଚା ହୋଇ ରଥଟଣା ଆରମ୍ଭ ହେବା ପରେ ଠାକୁରଙ୍କୁ ମୁଣ୍ଡିଆଟିଏ ମାରି ପୁଣି ଗାଁକୁ ମୁହାଁଇଲେ ତାରାଚାନ୍ଦ । ତିନି ଦିନ ଚାଲି ଚାଲି ସେ ଗାଁ ପାଖାପାଖି ହେଲେ ।
ଗାଁକୁ ଯିବା ବାଟରେ ପଡ଼ିଲା ଜୟପାଟଣା ଗାଁ । ସେଇଟା ତାରାଚାନ୍ଦଙ୍କ ମାମୁଘର ଗାଁ । ଭାବିଲେ ମାମୁଘର ଗାଁରେ ଟିକିଏ ବିଶ୍ରାମ କରି ପୁଣି ନିଜ ଗାଁ ଆଡ଼କୁ ବାହାରିଲେ ହୁଅନ୍ତା । ତେବେ କେଜାଣି କାହିଁକି ତାଙ୍କ ମନ ମାନିଲାନି । ଘରକୁ ପହଞ୍ଚିବାର ନିଶା ଘାରିଥାଏ । ଏତିକି ବେଳେ ବାଟରେ ଗୋଟିଏ ଷୋଡ଼ଶୀ ସୁନାନାକୀ ସୁନ୍ଦରୀ ଝିଅ ଜଣେ ବୟସ୍କା ମହିଳାଙ୍କ ସହିତ ଯାଉଥିବା ଦେଖି ଟିକିଏ ବାହୁଡ଼ି ଅନାଇଦେଲେ ତରୁଣ ତାରାଚାନ୍ଦ । ତାଙ୍କ ନଜର ସେହି ଷୋଡ଼ଶୀଙ୍କ ଉପରେ ପଡ଼ିଛି କି ନାହିଁ, ସେତିକି ବେଳେ ସମ୍ପୃକ୍ତ ମହିଳା ଜଣକ କହିଲେ, ଆଲୋ ଦେଖୁଛୁ ଟି, ୟାକୁ ହିଁ ତୁ ବାହାହେବୁ । ଝିଅଟି ଏତକ ଶୁଣି ସଙ୍ଗେ ସଙ୍ଗେ ମୁହଁ ମୋଡ଼ିଦେଲା । କହିଲା, ଏ ମାଆ .. ଏ ଭୂତା କାଳିଆଟାକୁ କିଏ ବିଭାହେବ ଲୋ ମାଆ । କଥାଟା ତାରାଚାନ୍ଦଙ୍କ କାନରେ ପଡ଼ିଲା । ସେ ବି କେଉଁ ଛାଡ଼ିବା ଲୋକ, କହିଲେ .. ଆଲୋ ତୁ ଜାଣିନୁ ବୋଧେ । କାଳିଆଠାକୁରକୁ ତ ପୁଣି ସୁନାବର୍ଣ୍ଣୀ ଲକ୍ଷ୍ମୀ ଠାକୁରାଣୀ ବାହା ହୋଇଛନ୍ତି । ତୁ କଣ ତାଙ୍କଠୁ ବଳିଗଲୁ କି? ଏଇ କଥାଟା ସେହି ଷୋଡ଼ଶୀକୁ ବେଶ୍ ମନ ପାଇଯାଇଥିଲା । ଲାଜରେ ସେ ମୁଣ୍ଡ ପୋତି ସାଙ୍ଗରେ ଥିବା ମହିଳାଙ୍କ ପିଠି ପଛରେ ମୁହଁ ଲୁଚାଇଦେଲା । ତା ପରେ ମାତ୍ର କିଛି ସମୟ ଭିତରେ ଘରେ ପହଞ୍ଚି ଯାଇଥିଲେ ତାରାଚାନ୍ଦ ।
ତାରାଚାନ୍ଦଙ୍କଠାରୁ ତାଙ୍କ ଜୀବନ କାହାଣୀ ଶୁଣିଲା ବେଳେ ସାନ ନାତି ନାତୁଣୀ ଦୁଇଜଣଙ୍କ ଆଖିରେ ନିଦ ଆସିଯାଇଥିଲା । ସେମାନେ ତାରାଚାନ୍ଦଙ୍କ କୋଳରେ ହିଁ ଶୋଇପଡ଼ିଥିଲେ । ହେଲେ ବଡ଼ ନାତିଟା ସେମିତି ହିଁ ଶୁଣୁଥାଏ ଜେଜେଙ୍କ କଥା । ପଚାରିଲା, ଜେଜେ .. ତମେ ଯେଉଁ ସୁନ୍ଦରୀ ସୁନାନାକୀ ଝିଅ କଥା କହୁଥିଲ, ସିଏ କୁଆଡ଼େ ଗଲା? ତାକୁ ତମେ ଏମିତି ହିଁ କହିଦେଇଥିଲ, ନା ପ୍ରକୃତରେ ତା ସାଙ୍ଗରେ ତମର ବାହାଘର ହେଲା? ନାତିର ଏ କଥା ଶୁଣି ଠୋ ଠୋ ହୋଇ ହସିଉଠିଲେ ତାରାଚାନ୍ଦ । କହିଲେ, ଆରେ ସେ ପରା ତୋ ଜେଜେମା । ଏ ଯାଏଁ ଜାଣି ପାରିଲୁନି । କହିଲୁ ଦେଖି, ତୋ ଜେଜେମା ଭଳି ସୁନ୍ଦରୀ ଆଉ କିଏ ଅଛି? ମୁଁ ତ ତା ଭଳି ସୁନ୍ଦରୀ କାହାକୁ ଆଜିଯାଏଁ ଦେଖିନି । ନାତିଟୋକା ଆଉ କିଛି କହିଲା ନାହିଁ । ମନେ ମନେ ଭାବୁଥିଲା ମୁଁ ତ ଦେଖିଲା ବେଳକୁ ଜେଜେମା ବୁଢ଼ୀ ହୋଇଗଲାଣି । ହେଲେ ଏବେ ବି ତ ମୁଣ୍ଡରେ ସିନ୍ଦୂର ଟୋପାଏ ଲଗାଇ ଈଶାଣରେ ଯେତେବେଳେ କ୍ଷୀରଚାଉଳ ଦେଇ ନିଜ କପାଳରେ ସେହି କ୍ଷୀରଚାଉଳକୁ ଲଗାଉଛି, ମୋତେ ଲାଗୁଛି, ଯେମିତି ମୋ ସାମ୍ନାରେ ନିଜେ ଲକ୍ଷ୍ମୀଠାକୁରାଣୀ ଠିଆ ହୋଇଛନ୍ତି । ###
ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ. ପିନ୍-୧୪୦୪୨୩
ଫୋନ୍- ୯୯୩୭୨୫୨
Comments are closed.