Latest Odisha News

କର୍ଣ୍ଣାଟକରେ ‘ପେସିଏମ’ ଭଳି ତେଲେଙ୍ଗାନାରେ ‘ଏଟିଏମ’ କଂଗ୍ରେସକୁ ଜିତାଇଦେବ!

ଭୁବନେଶ୍ୱର: ତେଲେଙ୍ଗାନାରେ ସମ୍ପୂର୍ଣ୍ଣ କର୍ଣ୍ଣାଟକ ଢାଞ୍ଚାରେ ଆଗ୍ରେସିଭ ପ୍ରଚାର କରୁଛି କଂଗ୍ରେସ। କର୍ଣ୍ଣାଟକ ନିର୍ବାଚନରେ ଯେଭଳି ୪୦ ପ୍ରତିଶତ କମିଶନ ସରକାର କ୍ୟାମ୍ପେନ କରି ତତ୍କାଳୀନ ବିଜେପି ସରକାର ବିପକ୍ଷରେ ଏକ ବଡ଼ ମାହୋଲ ତିଆରି କରିଥିଲା ।

କଂଗ୍ରେସ ଏବେ ତେଲେଙ୍ଗାନାରେ ବିଆରଏସ ସରକାର ବିରୋଧରେ ସେମିତି ଅସ୍ତ୍ର ପ୍ରୟୋଗ କରିଛି। କର୍ଣ୍ଣାଟକରେ କଂଗ୍ରେସର ସବୁଠୁ ଚର୍ଚ୍ଚିତ ଥିଲା କ୍ୟାମ୍ପେନ ପେ ସିଏମ କ୍ରାଏ ପିଏମ।

ପେଟିଏମ ଭଳି କରାଯାଇଥିବା ଏହି ପୋଷ୍ଟରକୁ କର୍ଣ୍ଣାଟକର ଗଳି କନ୍ଦିରେ ଦେଖିବାକୁ ମିଳିଥିଲା। ଏବେ ଠିକ ସମାନ ଢଙ୍ଗରେ ତେଲେଙ୍ଗାନାରେ କାଲେଶ୍ୱରମ ଏଟିଏମ କ୍ୟାମ୍ପେନ ଆରମ୍ଭ କରିଛି କଂଗ୍ରେସ।

ଏହାକୁ ପ୍ରଚାରର ମୁଖ୍ୟ ପ୍ରସଙ୍ଗ କରିବା ସହ ଦଳ ଏହାକୁ ନେଇ କେସିଆରଙ୍କ ବିରୋଧରେ ମାହୋଲ ପ୍ରସ୍ତୁତ କରିଛି। ଖୋଦ ରାହୁଲ ଗାନ୍ଧୀ ବିଜୟଭେରୀ ଯାତ୍ରାରେ ବୁଲି ଏହି ଏଟିଏମ ଫଟୋକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରୁଥିବା ଦେଖିବାକୁ ମିଳିଛି।

ତେଲେଙ୍ଗାନାର ଫ୍ଲାଗସିପ ପ୍ରକଳ୍ପ କୁହାଯାଉଥିବା କାଲେଶ୍ୱରମ ଉଠା ଜଳସେଚନ ପ୍ରକଳ୍ପକୁ ଶାସକ ବିଆରଏସ ବିରୋଧରେ କଂଗ୍ରେସ ପ୍ରଚାରର ମୁଖ୍ୟ ଅସ୍ତ୍ର କରିଛି। ଏହି ପ୍ରକଳ୍ପରେ ଏକ ଲକ୍ଷ କୋଟିରୁ ଅଧିକ ଦୁର୍ନୀତିର ଅଭିଯୋଗ କରିବା ସହ କଂଗ୍ରେସ ଏହାକୁ ମୁଖ୍ୟମନ୍ତ୍ରୀ କେସିଆର ଓ ତାଙ୍କ ପରିବାରର ଏଟିଏମ ଆଖ୍ୟା ଦେଇଛି।

ଏହି ପ୍ରକଳ୍ପର ଅଂଶ କୁହାଯାଉଥିବା ମେଡିଗଡା ବ୍ୟାରେଜକୁ ରାହୁଲ ଗସ୍ତ କରିବା ସହ ଏହି ଦୁର୍ନୀତିକୁ ନେଇ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। ତେଲେଙ୍ଗାନାରେ ଦୁର୍ନୀତି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ କେସିଆରଙ୍କୁ ଟାର୍ଗେଟ କରିବା ସହ ତାଙ୍କୁ ଏକଛତ୍ରବାଦୀ ବୋଲି କହିଛନ୍ତି।

କେସିଆର ଓ ତାଙ୍କ ପରିବାର ତେଲେଙ୍ଗାନା ସରକାରର ମୁଖ୍ୟ ବିଭାଗ ସବୁ ନିଜ କବଜାରେ ରଖିଥିବା ରାହୁଲ କହିଛନ୍ତି। ତେଲେଙ୍ଗାନା ରାଜ୍ୟ ଗଠନ ପୂର୍ବରୁ ଏହି ପ୍ରକଳ୍ପ ପ୍ରାଣହିତ ଚେଭାଲା ପ୍ରକଳ୍ପ ନାଁରେ ନାମିତ ହୋଇଥିବା ବେଳେ ପରେ ଏହା କାଲେଶ୍ୱରମ ପ୍ରକଳ୍ପ ନାଁ ଦିଆଯାଇଛି।

ତେଣୁ ଏହାକୁ କଂଗ୍ରେସ ତେଲେଙ୍ଗାନାରେ ଏକ ବଡ଼ ରାଜନୈତିକ ପ୍ରସଂଗ କରିଛି। ଏପରିକି କର୍ଣ୍ଣାଟକରେ ଯେଭଳି ପେ ସିଏମ କ୍ୟାମ୍ପେନ ପଛରେ କଂଗ୍ରେସର ରଣନୀତିକାର ସୁନୀଲ କାନୁଗୋଲୁଙ୍କ ପ୍ରମୁଖ ଭୂମିକା ଥିଲା ତେଲେଙ୍ଗାନାରେ ମଧ୍ୟ ଏହା ସୁନିଲଙ୍କ ଯୋଜନା ବୋଲି କୁହାଯାଉଛି।

କର୍ଣ୍ଣାଟକ ଭଳି ତେଲେଙ୍ଗାନା ମଧ୍ୟ ଏକ ଦକ୍ଷିଣୀ ରାଜ୍ୟ ହୋଇଥିବାରୁ ଏହି କ୍ୟାମ୍ପେନ ଲୋକଙ୍କ ଉପରେ କିଭଳି ପ୍ରଭାବ ପକାଉଛି ତା ଉପରେ ନଜର।

Leave A Reply

Your email address will not be published.