Latest Odisha News

BREAKING NEWS

କବିତାଙ୍କ ଅକ୍ସଫୋର୍ଡ ଭବିଷ୍ୟବାଣୀ, ତେଲେଙ୍ଗାନାରେ ହ୍ୟାଟ୍ରିକ କରିବେ କେସିଆର!

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏକ ବଡ଼ ଲଢେଇ ଦେଖିବାକୁ ମିଳୁଛି। ଯେବେଠୁ ରାଜ୍ୟ ପ୍ରତିଷ୍ଠା ହେଲାଣି ତା ଭିତରେ ଦୁଇଟି ନିର୍ବାଚନ ହୋଇଛି। ଉଭୟ ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି ବିଜୟ ଲାଭ କରି ସରକାରରେ ରହିଛି। ଆଗାମୀ ନିର୍ବାଚନରେ ହ୍ୟାଟ୍ରିକ କରି ଦଳ ତୃତୀୟ ଥର କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି।

କିନ୍ତୁ ଏଥର ଶାସକ ବିଆରଏସ ପାଇଁ ଜିତିବା ଏତେ ସହଜ ନୁହେଁ ବୋଲି କୁହାଯାଉଛି। ବିଭିନ୍ନ ଓପିନିଅନ ପୋଲ ମଧ୍ୟ ବିଆରଏସ ସପକ୍ଷରେ ମତ ରଖୁନାହାନ୍ତି। ବିଆରଏସ ସହ କଂଗ୍ରେସ ଏଥର କଡା ଟକ୍କର ଦେଉଛି। ବିଜେପି ମଧ୍ୟ ଲଢେଇରେ ନିଜକୁ ସାମିଲ କରିଛି।

ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଏମଏଲସି କେ କବିତା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଆଗାମୀ ନିର୍ବାଚନକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ନେଇ ଏବେ ତେଲେଙ୍ଗାନାରେ ଜୋରଦାର ଚର୍ଚ୍ଚା।

ତେଲେଙ୍ଗାନାରେ ସାମୁହିକ ବିକାଶ ଯୋଗୁ ରାଜ୍ୟ ବହୁ କ୍ଷେତ୍ରରେ ସମୃଦ୍ଧ ହୋଇଛି। ଏହା ଆଗାମୀ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବା ସହ ଦଳ ତୃତୀୟ ଥର କ୍ଷମତାକୁ ଆସିବ ବୋଲି କବିତା କହିଛନ୍ତି।

ତେଲେଙ୍ଗାନା ମଡେଲକୁ ବ୍ୟାଖ୍ୟା କରିବା ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡକାଯାଇଥିଲା। ଯେଉଁଠି ଉପସ୍ଥିତ ରହି ସେ ଏ ସବୁର ତଥ୍ୟ ରଖିଛନ୍ତି। ୨୦୧୪ ରେ ତେଲେଙ୍ଗାନା ରାଜ୍ୟ ଗଠନ ହେବା ପରେ ତାଙ୍କ ବାପା ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦ୍ଵାରା ନିଆଯାଇଥିବା ରଣନୀତି ଓ ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ସେ ଅବଗତ କରିଛନ୍ତି।

ତେଲେଙ୍ଗାନା ମଡେଲ ଏକ ସମୃଦ୍ଧ ମଡେଲ ବୋଲି କହିବା ସହ ଯାହାକି ରାଜ୍ୟବାସୀଙ୍କ ଜୀବନଶୈଳୀକୁ ଏକ ଭିନ୍ନ ସ୍ତରକୁ ନେବାକୁ ସହାୟକ ହୋଇଛି। ଏପରିକି ଦଳ ପକ୍ଷରୁ ଯାହା ପ୍ରତିଶ୍ରୁତି ବି ଦିଆଯାଇ ନ ଥିଲା ତାହା ବି ପୂରଣ କରାଯାଇଛି ବୋଲି ସେ କହିଛନ୍ତି।

ତେଣୁ କେସିଆର ହିଁ ତେଲେଙ୍ଗାନାବାସୀଙ୍କ ଶୁଭଚିନ୍ତକ ଓ ଲୋକେ କେସିଆରଙ୍କୁ ସମର୍ଥନ କରିବେ ବୋଲି କବିତା ଆଶା ରଖିଛନ୍ତି। ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ କବିତା କହିଛନ୍ତି କି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ତୃତୀୟଥର ସ୍ପଷ୍ଟ ବହୁମତ ସହ ନିର୍ବାଚନ ଜିତିବ।

ଏକ ସ୍ଲାଇଡ଼ ମାଧ୍ୟମରେ କବିତା ତେଲେଙ୍ଗାନାରେ କୃଷକଙ୍କୁ ମାଗଣା ବିଜୁଳି, ପାଣି ଓ କୃଷକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ସଂପର୍କିତ ନିବେଶ ସଂପର୍କରେ ସୂଚନା ଦେଇଥିଲେ। ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ କ୍ଷେତ୍ରରେ ସରକାର କରିଥିବା ଯୋଜନାକୁ ସେ ଉପସ୍ଥାପିତ କରିଛନ୍ତି।

ଗତ ୧୦ବର୍ଷ ମଧ୍ୟରେ ସେ ନିଜକୁ ପ୍ରସ୍ତୁତ କରିଛନ୍ତି ଓ ଆଗକୁ ସ୍ବପ୍ନକୁ ଆହୁରି ବଡ଼ କରିବାକୁ ପଡିବ ବୋଲି କବିତା କହିଛନ୍ତି। କେସିଆରଙ୍କ ଛତ୍ରଛାୟାରେ ଏସବୁ କରିହେବ ବୋଲି ସେ କହିଛନ୍ତି।

ଦେଶର ଦ୍ରୁତ ବିକାଶ ହେଉଥିବା ବେଳେ ପୂର୍ବାପେକ୍ଷା ଭାରତ ଆହୁରି ମଜବୁତ ହୋଇଛି। କେସିଆରଙ୍କ ଭଳି ନେତାଙ୍କ ଯୋଗୁ ତେଲେଙ୍ଗାନା ମଡେଲକୁ ବିଶ୍ବସ୍ତରରେ ପ୍ରସ୍ତୁତ କରାଯାଉଥିବା ସେ କହିଛନ୍ତି।

ତେଣୁ ତେଲେଙ୍ଗାନାରେ କଂଗ୍ରେସ ବିଆରଏସକୁ ସତ୍ତାରୁ ହଟାଇବା ପାଇଁ ସବୁ ଶକ୍ତି ଲଗାଇଦେଇଥିବା ବେଳେ କବିତାଙ୍କ ଏଭଳି ମନ୍ତବ୍ୟ ଚର୍ଚ୍ଚାକୁ ବଢ଼ାଇ ଦେଇଛି।

ଏପରିକି ରାହୁଲ ଗାନ୍ଧୀ କିଛି ଦିନ ତଳେ ତେଲେଙ୍ଗାନାରେ ବିଜେପି, ବିଆରଏସର ସମ୍ପର୍କ କଥା କହିଥିବା ବେଳେ କବିତାଙ୍କ ଦେଶ ପୂର୍ବାପେକ୍ଷା ସମୃଦ୍ଧ ହୋଇଥିବା ମନ୍ତବ୍ୟ ପରୋକ୍ଷରେ ବିଜେପିକୁ ପ୍ରଶଂସା ବୋଲି ଚର୍ଚ୍ଚା ହେଉଛି। ଯାହାକୁ ତେଲେଙ୍ଗାନା ରାଜନୀତିକୁ ଆହୁରି ଚଳଚଞ୍ଚଳ କରିଛି।

Leave A Reply

Your email address will not be published.