Latest Odisha News

BREAKING NEWS

ବିଜେପି ପାଇଁ ଆଗରେ ପ୍ରଦୀପ !

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ପୁଣିଥରେ ଚର୍ଚ୍ଚାରେ। ଶାସକ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଲଗାତର ଟାର୍ଗେଟ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କେବେଠୁ ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କେଉଁ ଦଳରୁ ଲଢ଼ିବେ କିମ୍ବା ତାଙ୍କ ଆଭିମୁଖ୍ୟ କଣ ରହିବ ତାକୁ ନେଇ ଆଲୋଚନା ଜୋର ଧରିଛି।

ଏପରିକି ଗୋପାଳପୁରରେ ବିଜେଡି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ୱ ଦେଇଛି। ଦଳକୁ ଗୋପାଳପୁରରେ ଶକ୍ତିଶାଳୀ କରିବା ସହ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ଭାବ୍ୟ ପଦକ୍ଷେପକୁ ଚେକ ଦେବାକୁ ସବୁ ପଦକ୍ଷେପ ନିଆଯାଉଛି।

କିନ୍ତୁ ପ୍ରଦୀପ ପାଣିଗ୍ରାହୀ ଆସନ୍ତା ନିର୍ବାଚନରେ ଗୋପାଳପୁରରୁ ଲଢ଼ିବେ କି ଓ ଯଦି ଲଢିବେ କେଉଁ ଦଳରୁ ଲଢ଼ିବେ ତାକୁ ନେଇ କେବେଠୁ ଆଲୋଚନା ହେଉଛି। ଏପରିକି ସେ ବିଜେପିରୁ ଲଢ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଏଭଳି ଚର୍ଚ୍ଚା ମଧ୍ୟରେ ଏକ ଚିତ୍ରକୁ ନେଇ ଏବେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଗ୍ରହଣ ଉତ୍ସବର ଏକ ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା ହେଉଛି।

ରଘୁବର ଦାସଙ୍କ ଶପଥ ଗ୍ରହଣ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନେ ବସିଥିବା ବେଳେ ଆଗ ଧାଡିରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଗ ଧାଡିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବାଚସ୍ପତି ଓ ରାଜ୍ୟର ବହୁ ମନ୍ତ୍ରୀ ତଥା ବିଧାୟକଙ୍କୁ ଦେଖିବାକୁ ମିଳିଥିଲା।

ସେ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଆଗ ଧାଡିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିଥିଲା। ପ୍ରଦୀପ ପାଣିଗ୍ରାହୀ ଧର୍ମେନ୍ଦ୍ରଙ୍କ ବାମ ପଟେ ବସିଥିବା ଦେଖିବାକୁ ମିଳିଥିଲା।

ତାଙ୍କ ପାଖରେ ବାଚସ୍ପତି ପ୍ରମିଳା ମଲ୍ଲିକ ବସିଥିଲେ। ତେଣୁ ଏହି ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିରେ ସବୁଠୁ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଆଗକୁ ନିର୍ବାଚନ ଥିବାବେଳେ ପ୍ରଦୀପଙ୍କୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି। ଏଭଳି ସମୟରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ଧର୍ମେନ୍ଦ୍ରଙ୍କ ପାଖରେ ଆଗଧାଡ଼ିରେ ପ୍ରଦୀପ ବସିବା ପ୍ରସଙ୍ଗକୁ ନେଇ ରାଜନୈତିକ ସ୍ତରରେ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି।

ପ୍ରଦୀପ ବିଜେପିର ନିକଟତର ହେଉଥିବା ଚର୍ଚ୍ଚା ହେଉଥିବା ବେଳେ ବିଜେପି ମଧ୍ୟ ଆଗାମୀ ନିର୍ବାଚନରେ ତାଙ୍କୁ ଗୋପାଳପୁରରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।

ଗଞ୍ଜାମକୁ ଫାଇଭ ଟି ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କ ଆଗ୍ରେସିଭ ରାଜନୀତିକୁ ନେଇ ଚର୍ଚ୍ଚା ହୋଇଥିଲା। ସେହିପରି ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସରକାରୀ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସମୟରେ ପ୍ରଦୀପ ବିଜେଡିର ଶୀର୍ଷ ନେତୃତ୍ୱକୁ ଜୋରଦାର ଟାର୍ଗେଟ କରିଥିଲେ।

ଏପରିକି ବିଧାନସଭାରେ କହିବାର ସୁଯୋଗ ନ ଦେବା ପ୍ରସଙ୍ଗକୁ ନେଇ ମଧ୍ୟ ଶାସକ ଦଳ ଉପରେ ବର୍ଷିଥିଲେ ପ୍ରଦୀପ। ଏବେ ଆଗକୁ ନିର୍ବାଚନ ଥିବାବେଳେ ରାଜ୍ୟର ଏକ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଧର୍ମେନ୍ଦ୍ରଙ୍କ ସହ ଆଗ ଧାଡିରେ ଦେଖିବାକୁ ମିଳିବା କିଛି ଏକ ଭିନ୍ନ ସଂକେତ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.