Latest Odisha News

BREAKING NEWS

ମନ୍ଦିରରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କଲେ ବନ୍ଦ ହେବ ମନ୍ଦିର 

ଭୁବନେଶ୍ବର: ମନ୍ଦିରରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କଲେ ବନ୍ଦ ହେବ ମନ୍ଦିର । ମହାଶିବରାତ୍ରୀ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଭକ୍ତମାନଙ୍କ ଗାଡିଗୁଡିକ ପାର୍କିଂ ପାଇଁ ତିନୋଟି ସ୍ଥାନରେ ବ୍ୟବସ୍ଥା ରହିଛି । ମନ୍ଦିର ମୁଖ୍ୟ ଦ୍ବାର ପର୍ଯ୍ୟନ୍ତ କୌଣସି ଗାଡି ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଏନେଇ ଟ୍ରାଫିକ୍ ଅଡିସିନାଲ ଡିସିପି କେ କେ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଭକ୍ତ ସମାଗମକୁ ଧାଡ଼ିରେ ସୁନିୟନ୍ତ୍ରିତ କରିବା ଲାଗି ଦେବୀ ପାଦହରା ପୁଷ୍କରିଣୀ ପୂର୍ବ ପାର୍ଶ୍ବ ଗଙ୍ଗାଜମୁନା ଛକଠାରୁ ମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବ୍ୟାରିକେଡ୍‌ ନିର୍ମାଣ କରିଛି । କାର୍‌, ବସ୍‌ ଆଦି ପାର୍କିଂ ନିମନ୍ତେ ଶ୍ରୀଲିଙ୍ଗରାଜ ମାର୍କେଟ୍ କମ୍ପେ୍ଲକ୍ସ ପରିସରରେ ବ୍ୟବସ୍ଥା କରାଯାଇଛି । ମହାଖଳା ଓ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟକୁ ଗାଡ଼ିମଟର ଶୂନ୍ୟ କରିବା ଲାଗି ୬ଟି ସ୍ଥାନରେ ବ୍ଲକେଡ୍‌ କରାଯାଇଛି । ଟ୍ରାଫିକ୍‌ ଓ ଭିଡ଼ ନିୟନ୍ତ୍ରଣ ସହିତ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ କମିଶନରେଟ୍‌ ପୋଲିସ ପକ୍ଷରୁ ୨୪ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହେବେ । ସେମାନଙ୍କୁ ୧୦୦ ଅଫିସର ତଦାରଖ କରିବେ ।

ଏପଟେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ଜାତୀୟସ୍ତରୀୟ ଭଜନ ସମାରୋହ ପାଇଁ ମଞ୍ଚ ନିର୍ମାଣ ସରିଛି । କୋଭିଡ୍‌ କଟକଣା ମୁତାବକ ମଞ୍ଚ ସାମନାରେ ନିର୍ଦ୍ଦିଷ୍ଟ ବ୍ୟବଧାନ ରଖି ୫୦୦ ଚୌକି ପକାଇବାକୁ ନିଷ୍ପତ୍ତି ହୋଇଛି । ଅନୁରୂପ ଭାବେ ବ୍ରହ୍ମେଶ୍ୱର, ମେଘେଶ୍ୱର, ନାଗେଶ୍ୱର, କପିଳେଶ୍ୱର, ରାମେଶ୍ୱର ଆଦି ଶୈବପୀଠରେ ଜାଗର ଯାତ୍ରାକୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ମୁତାବକ ସମାପନ କରିବା ଦିଗରେ ସମସ୍ତ ପ୍ରସ୍ତୁତି ସରିଛି ।

Leave A Reply

Your email address will not be published.