Latest Odisha News

BREAKING NEWS

ଭାରତରେ ଟେସଲାର ପ୍ରଥମ ଶୋ’ରୁମ୍ ଏହି ସହରରେ ଖୋଲିବ…

ମୁମ୍ବାଇ: ଭାରତୀୟ ବଜାର ଦୀର୍ଘ ଦିନ ଧରି ଏଲନ ମସ୍କ (Elon Musk)ଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା (Tesla)ର ଅପେକ୍ଷାରେ ରହିଛି। କିନ୍ତୁ ଗତ କିଛି ସପ୍ତାହ ମଧ୍ୟରେ, ଏପରି କିଛି ଖବର ଆସିଛି ଯାହା ସ୍ପଷ୍ଟ କରିଛି ଯେ ଏହି ଅପେକ୍ଷାର ଅନ୍ତ ଖୁବ୍ ଶୀଘ୍ର ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଭାରତରେ ଏହାର ଶୋ’ରୁମ୍ ପାଇଁ ସ୍ଥାନ ଚୂଡାନ୍ତ କରିସାରିଛି । ଏପରିକି କମ୍ପାନୀ ଭାରତରେ ଏହାର ପ୍ରଥମ ଶୋ’ରୁମ୍ ପାଇଁ ୪,୦୦୦ ବର୍ଗଫୁଟର ଜାଗା ଭଡାରେ ନେଇଛି ।

ସୂଚନାମୁତାବକ, ଟେସଲା ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ରେ ନିଜର ପ୍ରଥମ ଶୋ’ରୁମ୍ ଖୋଲିବାକୁ ଏକ ଡିଲ୍ ଫାଇନାଲ କରିଛି।  କମ୍ପାନୀ ବିକେସିରେ ଏକ ବ୍ୟବସାୟିକ ଶୋ’ରୁମ୍ ସ୍ଥାପନ ପାଇଁ ୪,୦୦୦ ବର୍ଗଫୁଟର ଜାଗା ଭଡାରେ ନେଇଛି । ଏଥିପାଇଁ ପ୍ରତିମାସରେ ପ୍ରାୟ ୩୫ଲକ୍ଷ ଟଙ୍କା ଦେବ । ଏହି ଲିଜ୍ ଏଗ୍ରିମେଣ୍ଟ ପାଞ୍ଚ ବର୍ଷ ପାଇଁ ରହିଛି । ଯଦି ସବୁକିଛି ଠିକ ରହେ, ତେବେ କମ୍ପାନୀ ଏପ୍ରିଲରୁ କାର ବିକ୍ରି ଆରମ୍ଭ କରିପାରିବ । ମୁମ୍ବାଇ ବ୍ୟତୀତ ଟେସଲା ଦେଶର ରାଜଧାନୀ ଦିଲ୍ଲୀରେ ଏକ ଶୋ’ରୁମ ଖୋଲିବାକୁ ଯୋଜନା କରୁଛି ।ଏଥିପାଇଁ କମ୍ପାନୀ ଦିଲ୍ଲୀର ଏରୋସିଟିରେ ଏକ ଶୋ’ରୁମ୍ ପାଇଁ ସ୍ଥାନ ଖୋଜୁଛି। ତେବେ ଏପର୍ଯ୍ୟନ୍ତ ଏନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ଖବର ମୁତାବକ, ଖୁବ୍ ଶୀଘ୍ର ଭାରତ ସରକାର ବୈଦ୍ୟୁତିକ ଯାନ ପଲିସିରେ ପରିବର୍ତ୍ତନ ଆଣିପାରନ୍ତି। ଫଳରେ ବିଦେଶରୁ ଆସୁଥିବା କାରଗୁଡିକ ଉପରେ କଷ୍ଟମ୍ ଡ୍ୟୁଟି ୧୫% କୁ ହ୍ରାସ କରାଯାଇପାରିବ । ଏଥିରୁ ଟେସଲା ସବୁଠାରୁ ବଡ ଲାଭ ପାଇବ । ଯାହାଦ୍ବାରା କମ୍ପାନୀ ଭାରତରେ କାରକୁ କମ୍ ମୂଲ୍ୟରେ ଲଞ୍ଚ କରିବାକୁ ସକ୍ଷମ ହେବ ।

କିଛି ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇଥିଲେ । ମୋଦୀ ଏହି ଗସ୍ତ ସମୟରେ ଏଲନ ମସ୍କଙ୍କୁ ମଧ୍ୟ ଭେଟିଥିଲେ । ଏହାପରେ ଦିଲ୍ଲୀ, ମୁମ୍ବାଇ ଏବଂ ପୁଣେ ଭଳି ସହରରେ ବିଭିନ୍ନ ପଦବୀ ପାଇଁ ଟେସଲା ପକ୍ଷରୁ ବିଜ୍ଞପ୍ତି ବାହାରି ଥିଲା । ଏଥିପାଇଁ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ୧୩ଟି ପଦ ପାଇଁ ଆବେଦନ ବାହାର କରିଥିଲା ।

 

 

 

Comments are closed.