Textbook Errors Issue: ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ଅଭିଭାବକ ସଂଘର ଦାବି
ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂଆ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ ପ୍ରସଙ୍ଗ । ଲୋକସେବା ଭବନରୁ ଆରମ୍ଭ କରି ଗାଁ ଗହଳି ସବୁଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏହି ଘଟଣାରେ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ ହୋଇଥିଲା । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟି ୭ ଦିନ ଧରି ତନାଘନା ତଦନ୍ତ କରି ରିପୋର୍ଟ ଦାଖଲ କରିଛନ୍ତି ।
ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଅଭିଭାବକ ସଂଘ । ଏହି ସମଗ୍ର ବିଷୟର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ ଏବଂ କେଉଁଠି ଭୁଲ୍ ହୋଇଛି ତାହା ସ୍ପଷ୍ଟ କରାଯାଉ ବୋଲି ସରକାରଙ୍କୁ ଦାବି କରିଛି ଅଭିଭାବକ ସଂଘ । ଅଭିଭାବକ ସଂଘର କହିଛି ଯେ, ବହି ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟାରେ ଯଦି କୌଣସି ବିଭ୍ରାଟ ହୋଇଥାଏ, ତେବେ ତାହା ପାଇଁ କିଏ ଦାୟୀ ସରକାର ଏହା ସ୍ପଷ୍ଟ କରିବା ଦରକାର ।
ସେହିପରି ଟଙ୍କା ଆଦାୟ କାହାଠାରୁ ହେବ ଓ କେମିତି ପ୍ରକ୍ରିୟାରେ ହେବ, ଏନେଇ ମଧ୍ୟ ସରକାରୀ ସ୍ପଷ୍ଟତା ଆବଶ୍ୟକ ବୋଲି ସଂଘ ଦାବି କରିଛି । ଏହା ସହ ଚଳିତ ଶିକ୍ଷା ବର୍ଷରେ ପୁରୁଣା ବହି ଦ୍ୱାରା ପାଠପଢ଼ା ଚାଲୁ ରଖିବାକୁ ମଧ୍ୟ ଅଭିଭାବକ ସଂଘ ଦାବି କରିଛି । ସଂଘ କହିଛି ଯେ, ନୂଆ ବହି ପ୍ରସ୍ତୁତି ପ୍ରକ୍ରିୟାରେ ବହୁ ସମୟ ଲାଗିବାର ସମ୍ଭାବନା ରହିଛି ।
ସେପଟେ, ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି । ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଲାଗୁଛି । ତଦନ୍ତ ପାଇଁ କମିଟି ଗଠନ ହୋଇଛି, ୭ ଦିନ ଭିତରେ ରିପୋର୍ଟ ଆସିବ । ଷଡ଼ଯନ୍ତ୍ର ଥିଲେ ରିପୋର୍ଟ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
