Latest Odisha News

BREAKING NEWS

ପୁରୀ ବୁଲିବାକୁ ଆସିଥିବା ବିଦେଶୀ ପର୍ଯ୍ୟଟକ ଲୁଟ୍ ର ଶିକାର, ନିଜ ଦେଶକୁ ପଠାଇବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ପୁରୀ: ପୁରୀ ବୁଲିବାକୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକ ଲୁଟ୍ ର ଶିକାର ହୋଇ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ବେଳେ, ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପରେ ଆନ୍ଥୋନିଙ୍କୁ ତାଙ୍କ ଦେଶ ନେଦରଲ୍ୟାଣ୍ଡ କୁ ପଠାଇବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ଗତ ଡିସେମ୍ବର ମାସରେ ନେଦରଲ୍ୟାଣ୍ଡ ରୁ ଆନ୍ଥୋନି ଭ୍ୟାନ୍ ଆର୍କେଲ୍ ନାଗପୁର ରେ ଆସି ପହଞ୍ଚିଥିଲେ । ପରେ ଗତ ଜାନୁଆରୀ ୯ ତାରିଖରେ ପୁରୀ ଆସି ଏକ ହୋଟେଲରେ ରହିଥିଲେ । ପରଦିନ ଭିତରକନିକା ଅଭୟାରଣ୍ୟ ବୁଲିବା ପାଇଁ ଏକ କାର୍ ଭଡା କରି ଯାଇଥିଲେ । ଚାନ୍ଦବାଲି ନିକଟରେ ଆନ୍ଥୋନି ଙ୍କୁ ପରିଶ୍ରା ଲାଗିବାରୁ ସେ ଗାଡ଼ିରୁ ଓହ୍ଲାଇବାର ସୁଯୋଗ ନେଇ ସମ୍ପୃକ୍ତ କାର୍ ଡ୍ରାଇଭର ତାଙ୍କର ୩ ଲକ୍ଷ ୫୦ ହଜାର ଟଙ୍କା ଚୋରି କରି ନେଇଥିଲେ ।

କେବଳ ସେତିକି ନୁହେଁ ଉକ୍ତ ଡ୍ରାଇଭର ଜଣକ ଆନ୍ଥୋନିଙ୍କୁ ଭୁବନେଶ୍ୱର ଏବଂ ପୁରୀରେ ଏକ ଘରେ ତାଲା ପକାଇ ରଖିଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଛି । ପରେ ଡ଼୍ରାଇଭର ଜଣକ ଆନ୍ଥୋନି ଙ୍କୁ ବଳିଆପଣ୍ଡା ଅଞ୍ଚଳରେ ଛାଡ଼ି ଚମ୍ପଟ ମାରିଥିଲା । ତେବେ ଆନ୍ଥୋନି ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ କିଛି ସମାଜସେବୀ ତାଙ୍କୁ ଉଦ୍ଧାର କରି ଲୋକନାଥ ରୋଡ ନିଳାଦ୍ରୀ ନିଳୟ ସହରାଞ୍ଚଳ ଆଶ୍ରୟ ସ୍ଥଳୀରେ ନେଇ ରଖିଥିଲେ ।

ଗତ ଜାନୁଆରୀ ୨୫ ତାରିଖରୁ ଦୀର୍ଘ ଦିନ ହେବ ସେ ସେଠାରେ ପଡ଼ି ରହିଥିବା ବେଳେ ପୋଲିସ ଓ ଜିଲ୍ଲା ପ୍ରଶାସନ କେହି ବି ତାଙ୍କୁ ଉଦ୍ଧାର କରି ନଥିବା ସେ ଅଭିଯୋଗ କରିଛନ୍ତି । ପରେ କିଛି ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଆନ୍ଥୋନି ଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ପାନ୍ଥନିବାସ ରେ ନେଇ ରଖିଛି । ତାଙ୍କ ଦେଶ ନେଦରଲ୍ୟାଣ୍ଡ କୁ ଆନ୍ଥୋନି କିଭଳି ଫେରି ପାରିବେ ସେନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସେପଟେ ଆନ୍ଥୋନି ଙ୍କୁ ଲୁଟ୍ କରିଥିବା ଘଟଣା ଜଣାପଡିବା ପରେ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ଫେରାର ଥିବାରୁ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଟ୍ୟାକ୍ସି କୁ ଜବତ କରାଯାଇଥିବାବେଳେ ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବ ବୋଲି ପୁରୀ ଏସପି ପିନାକ ମିଶ୍ର କହିଛନ୍ତି । ନେଦରଲ୍ୟାଣ୍ଡ ଦୂତାବାସ ସହିତ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିବା ବେଳେ ତାଙ୍କୁ ପ୍ରଶାସନ ପକ୍ଷରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇ ତାଙ୍କ ଦେଶକୁ ଖୁବଶୀଘ୍ର ପଠାଯିବ ବୋଲି ପୁରୀ ଏସପି ସୁଚନା ଦେଇଛନ୍ତି ।

ବିଦେଶୀ ପର୍ଯ୍ୟଟକ ଙ୍କୁ ଅତିଥି ଦେବୋ ଭବଃ ଆଧାରରେ ସ୍ବାଗତ ଏବଂ ସାହାଯ୍ୟ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ କରୁଛନ୍ତି । ହେଲେ କିଛି ହାତଗଣତି ଅସାମାଜିକ ବ୍ୟକ୍ତିଙ୍କ ଯୋଗୁଁ ଆନ୍ଥୋନି ଙ୍କ ଭଳି ବିଦେଶୀ ପର୍ଯ୍ୟଟକ ଲୁଟ୍ ର ଶିକାର ହେଉଥିବାବେଳେ ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ବିଦେଶୀ ପର୍ଯ୍ୟଟକ ଙ୍କୁ ସୁରକ୍ଷା ଏବଂ ସହଯୋଗ ପାଇଁ ପ୍ରଶାସନ ସବୁବେଳେ ତତ୍ପର ରହିବା ସହିତ ପର୍ଯ୍ୟଟକଙ୍କୁ ହଇରାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.