ଭୁବନେଶ୍ୱର: ରାଜ୍ୟରେ ସ୍ୱଚ୍ଛ ଏବଂ ନିରନ୍ତର ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କ୍ୟାବିନେଟ୍ ‘ଓଡ଼ିଶା ସିଟି ଗ୍ୟାସ ବିତରଣ ନୀତି’କୁ ଅନୁମୋଦନ ପ୍ରଦାନ କରିଛନ୍ତି । ସମଗ୍ର ରାଜ୍ୟରେ ପିଏନଜି ଏବଂ ସିଏନଜି ଭିତ୍ତିଭୂମିର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ସହ ଜାତୀୟ ସ୍ତରରେ ସ୍ୱଚ୍ଛ ଇନ୍ଧନର ବ୍ୟବହାରକୁ ବଢ଼ାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ପୂର୍ବରୁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଏକାଧିକ ବିଭାଗରୁ ଅନୁମୋଦନ ଆଣିବା ଏବଂ ଏକ ସୁବ୍ୟବସ୍ଥିତ ରୂପରେଖର ଅଭାବ ଯୋଗୁଁ ଅନେକ ସମସ୍ୟା ଉପୁଜୁଥିଲା । ନୂତନ ନୀତି ଏହି ପ୍ରକ୍ରିୟାକୁ ସରଳୀକରଣ କରିବା ସହ ପ୍ରକଳ୍ପଗୁଡ଼ିକର ଦ୍ରୁତ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବ ।
ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ:
- ପିଏନଜି ଏବଂ ସିଏନଜି ଭିତ୍ତିଭୂମି ନିର୍ମାଣ ପାଇଁ ଏକ ସ୍ୱଚ୍ଛ ତଥା ଦକ୍ଷ ରୂପରେଖ ପ୍ରସ୍ତୁତ କରିବା ।
- ଅନୁମୋଦନ ପ୍ରକ୍ରିୟାକୁ ସହଜ କରିବା ଏବଂ ସ୍ୱଚ୍ଛ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ଦେବା ।
- ସିଜିଡି ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟରେ ରୂପାୟନ ଏବଂ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ।
- ସ୍ୱଚ୍ଛ ଭାରତ ମିଶନ ଅଧୀନରେ ସିବିଜି ପ୍ଲାଣ୍ଟର ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ।
- ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ‘ଗୃହ ଏବଂ ନଗର ଉନ୍ନୟନ ବିଭାଗ’ ନୋଡାଲ୍ ଏଜେନ୍ସି ଭାବରେ କାର୍ଯ୍ୟ କରିବ। ଏହାକୁ ସହାୟତା କରିବା ପାଇଁ ଏକ ରାଜ୍ୟ ସ୍ତରୀୟ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଏବଂ ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ଗଠନ କରାଯିବ ।
ବିଶେଷ କଥା ହେଉଛି, ଏହି ନୀତି ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ । ବରଂ ଏହା ଘରୋଇ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ସହ ନୂତନ କର୍ମସଂସ୍ଥାନ ସୃଷ୍ଟି କରିବ ଏବଂ ବ୍ୟବସାୟିକ ସୁଗମତାକୁ ବୃଦ୍ଧି କରିବ । ପ୍ରକଳ୍ପକୁ ଆଗେଇ ନେବା ପାଇଁ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁମୋଦନ ଦେୟ ଉପରେ ରିହାତି ପ୍ରଦାନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।