Latest Odisha News

BREAKING NEWS

କନଷ୍ଟେବଳଙ୍କୁ ମାଡ଼ ମାରି ୨ ଅଭିଯୁକ୍ତ ଥାନାରୁ ଫେରାର ଘଟଣା: ଜଣଙ୍କୁ କାବୁ କଲା ପୋଲିସ

କୋରାପୁଟ: ଥାନା ଭିତରେ ପୋଲିସ କନଷ୍ଟେବଳକୁ ଆକ୍ରମଣ କରି ଫେରାର ମାରିଥିବା ଘଟଣାରେ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହେଲା ପୋଲିସ । କୋରାପୁଟ ନନ୍ଦପୁର ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା। କନଷ୍ଟେବଳଙ୍କୁ ମାଡ ମାରି ୨ ଅଭିଯୁକ୍ତ ଥାନାରୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତ ଭଣଜା ଓ ମାମୁ ଥାନା ଭିତରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ତେବେ କନଷ୍ଟେବଲଙ୍କୁ ମାଡ଼ ମାରି ଫେରାର ଥିବା ଅଭିଯୁକ୍ତ ଗିରଫ ହୋଇଛି। ବିଲାପୁଟ ଗାଁ ଶ୍ବଶୁର ଘରୁ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଥିବା ବେଳେ ପୋଲିସର ଛାନଭିନ୍ ଜାରି ରହିଛି।

ସୂଚନା ଅନୁଯାୟୀ, ନନ୍ଦପୁର ଦଳିତ ସାହିର ଉମେଶ ଗୁଣ୍ଠା କିଛି ଦିନ ତଳେ ଖିଳୁଆ ଗାଁର ଜଣେ ନାବାଳିକାଙ୍କୁ ଅପହରଣ କରିଥିଲା। ଅଭିଯୁକ୍ତ ବିବାହିତ ଏବଂ ନାବାଳିକାଙ୍କୁ ଦ୍ବିତୀୟ ବିବାହ କରିବାକୁ ଅପହରଣ କରିଥିବା କୁହାଯାଉଛି। ଏ ନେଇ ନାବାଳିକାଙ୍କ ବାପା ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ଉମେଶକୁ ପୋଲିସ ଥାନାକୁ ଆଣି ପଚରାଉଚୁରା ଆରମ୍ଭ କରିଥିଲା। ଏହି ସମୟରେ ଉମେଶ ଚକ୍‌ମା ଦେଇ ଥାନାରୁ ଫେରାର ହୋଇଯାଇଥିଲା। ଉମେଶକୁ ଖୋଜାଖୋଜି ଆରମ୍ଭ କରିବାରୁ ଅଭିଯୁକ୍ତକୁ ପତ୍ରପଣ୍ଡି ଗାଁରେ ରହୁଥିବା ମାମୁଁ ଏସ୍‌.କେ ସାଇନ୍‌ ଆଶ୍ରୟ ଦେଇଥିବା ପୋଲିସ ଜାଣିବାକୁ ପାଇଲା। ତେଣୁ ଏସ୍‌.କେ ସାଇନ୍‌କୁ ଥାନାକୁ ଆଣି ଅଟକ ରଖିଥିଲା।

ତେବେ ଥାନାରୁ ମାମୁଁ ଏସ୍‌.କେ ସାଇନ୍‌ ମଧ୍ୟ ଚମ୍ପଟ ମାରିଲା। କିନ୍ତୁ ଚମ୍ପଟ ବେଳେ ଥାନାର ଗୋଟିଏ ବନ୍ଧୁକରେ କନେଷ୍ଟବଳ ଭୂଷିତ ଟାକ୍ରିଙ୍କୁ ଆକ୍ରମଣ କରିଥିଲା। ଭୂଷିତ ଆଘାତ ପାଇ ତଳେ ପଡ଼ିଯିବାରୁ ମାମୁଁ ମଧ୍ୟ ଥାନାରୁ ଚମ୍ପଟ ମାରିବାରେ ସଫଳ ହେଲା। ଆକ୍ରମଣରେ ଭୂଷିତଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାମୁ ଓ ଭଜଣା ଥାନା ଭିତରୁ ଫେରାର ହୋଇଯିବା ପରେ ଅଜଣା ସ୍ଥାନରେ ଆଶ୍ରୟ ନେଇଥିଲେ। ତେବେ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଥିବା ବେଳେ ପୋଲିସର ଛାନଭିନ୍ ଜାରି ରହିଥିବା ଏସ୍‌ଡିପିଓ ଓ ଆଇଆଇସି ସୂଚନା ଦେଇଛନ୍ତି।

Leave A Reply

Your email address will not be published.