Latest Odisha News

BREAKING NEWS

ସମ୍ବଲପୁରରେ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ 

ସମ୍ବଲପୁର: ଦିନିକିଆ ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଆଇଏମର ନବ ନିର୍ମିତ କ୍ୟାମ୍ପସକୁ ଉଦଘାଟନ କରିବା ସହ ୬୮,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ‘ଧାମରା-ଅନୁଗୁଳ ପାଇପଲାଇନ ସେକ୍ସନ୍’କୁ ଉଦ୍ଘାଟନ କରିଛନ୍ତି । ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଅଧୀନରେ ୨୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ୍ ଗ୍ରୀଡ୍ ସହ ସଂଯୋଗ କରିବ। ମୁମ୍ବାଇ-ନାଗପୁର-ଝାରସୁଗୁଡ଼ା ପାଇପଲାଇନର ‘ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନ’ର ଶିଳାନ୍ୟାସ ମଧ୍ୟ କରିଛନ୍ତି । ପ୍ରାୟ ୨୮,୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି ।

ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ପ୍ରକଳ୍ପଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨×୮୦୦ ମେଗାୱାଟ୍) ଏବଂ ଏନ୍ଏସପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ (୧x୨୫୦ ମେଗାୱାଟ୍) ଅନ୍ତର୍ଭୁକ୍ତ। ଅନୁଗୁଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ୍-୩ (୨×୬୬୦ ମେଗାୱାଟ)ର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ୨୭,୦୦୦ କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ (ଏନଏଲସି) ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡର କୋଇଲା ଭିତ୍ତିଭୂମି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି , ଯେଉଁଥିରେ ଅନୁଗୁଳ ଜିଲ୍ଲାର ତାଳଚେର କୋଲଫିଲ୍ଡରେ ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱରୀ ଏଫଏମସି ପ୍ରକଳ୍ପ ଏବଂ ଲାଜକୁରା ରାପିଡ୍ ଲୋଡିଂ ସିଷ୍ଟମଅନ୍ତର୍ଭୁକ୍ତ । ଝାରସୁଗୁଡ଼ା ଜିଲ୍ଲାରେ ୫୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଇବ୍ ଭ୍ୟାଲି ୱାଶେରୀକୁ ମଧ୍ୟ ଉଦଘାଟନ କରିଛନ୍ତି । ୮୭୮ କୋଟି ଟଙ୍କା ନିବେଶ ସହିତ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲାଇନ୍ ଫେଜ୍-୧ର ୫୦ କିଲୋମିଟର ଲମ୍ବା ଦ୍ୱିତୀୟ ଟ୍ରାକ୍ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

ପାଖାପାଖି ୨୧୧୦ କୋଟି ଟଙ୍କା ବ୍ୟୟରେ ବିକଶିତ ଜାତୀୟ ରାଜପଥର ତିନୋଟି ସଡ଼କ କ୍ଷେତ୍ର ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୨୧୫ (ନୂତନ ଜାତୀୟ ରାଜପଥ ନଂ ୫୨୦)ର ରିମୁଳି-କୋଇଡା ସେକ୍ସନକୁ ୪ ଲେନ୍, ଜାତୀୟ ରାଜପଥ ୨୩ (ନୂଆ ଜାତୀୟ ରାଜପଥ ନଂ ୧୪୩)ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ଏଣ୍ଡ ସେକ୍ସନର ୪ ଲେନ୍ ଏବଂ ୨୩ ନମ୍ବର ଜାତୀୟ ରାଜପଥ (ନୂଆ ଜାତୀୟ ରାଜପଥ ନଂ ୧୪୩)ର ବ୍ରାହ୍ମଣୀ ବାଇପାସ୍ ଏଣ୍ଡ-ରାଜାମୁଣ୍ଡା ସେକ୍ସନକୁ ୪ ଲେନ୍ କରିବା ଆଦି ପ୍ରକଳ୍ପ ରହିଛି। ଏହାବ୍ୟତୀତ ପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି ।ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନ (୧୬୮ କିଲୋମିଟର) ଏବଂ ଝାରତରଭା ସୋନପୁର ନୂଆ ରେଳଲାଇନ (୨୧.୭ କିଲୋମିଟର)କୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଏହାବ୍ୟତୀତ ସେ ଝାରସୁଗୁଡ଼ା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ସାଂସଦ ନୀତିଶ ଗଙ୍ଗଦେବ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

 

 

Leave A Reply

Your email address will not be published.