ପୁରୀ: ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଭିତରେ ବିଶୃଙ୍ଖଳା ସୂଚନା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ଧସ୍ତାଧସ୍ତି ହୋଇଛନ୍ତି । ଏହାପରେ ମେକାପ ସେବକଙ୍କୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟାଦେଶ ପର୍ଯ୍ୟନ୍ତ ସେବା ଓ ପୂଜାରୁ ନିଲମ୍ବିତ ରହିବେ ମେକାପ ସେବକ ।
ବରିଷ୍ଠ ଅଧିକାରୀ, ତଦାରଖ କମିଟି ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଭଣ୍ଡାର ମେକାପ ସେବକ ଦାଦା ମଧୁସୂଦନ ମେକାପ ଓ ପୁତୁରା ନାରାୟଣ ମେକାପ ହାତାହାତି ହେଇଛନ୍ତି । ପାଳିକୁ ନେଇ ଉଭୟ ପରିବାର ଭିତରେ ବିବାଦ ଥିଲା । ମଙ୍ଗଳବାର ଉଭୟ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବା ପରେ ପୁରୁଣା କଥାକୁ ଉଠାଇ ହାତାହାତି ହୋଇଥିଲେ । ପ୍ରାଶାସନିକ ଅଧିକାରୀ ଓ ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।
ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଘଟଣାକୁ ନେଇ ଗଣତିମଣତି କାର୍ଯ୍ୟ କୌଣସି ପ୍ରଭାବିତ ହୋଇନି । ସେମାନଙ୍କ ପୂର୍ବ ବିବାଦରୁ ଏହି ଘଟଣା ଘଟିଛି । ସେମାନେ ଏହାକୁ ପରସ୍ପର ଭିତରେ ଆଲୋଚନା କରି ସମାଧାନ କରିଦେବା ଭଲ ।
ସୂଚନାଥାଉକି, ପୁତୁରା ନାରାୟଣ ମେକାପଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟକୁ ନେଇ ପ୍ରାଶାସନିକ କର୍ତ୍ତୃପକ୍ଷ ଅଧିକ ପଚରାଉଚରା କରିଛନ୍ତି ।
ଏପଟେ ଭିତର ରତ୍ନ ଭଣ୍ଡାରର ଗଣତି ୭ ଦିନରେ ପହଞ୍ଚିଛି । ଆଜି ବନକ ଲାଗି ନୀତି ଯୋଗୁଁ ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ସ୍ଥଗିତ ରହିବ । ପୁଣି ୨୧ରେ ହେବ ଗଣତି କାର୍ଯ୍ୟ ।