ଇସଲାମାବାଦ: ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନର ଇତିହାସ ଏବଂ ଭୂଗୋଳ ପରିବର୍ତ୍ତନ ମନ୍ତବ୍ୟ ପରେ ପାକିସ୍ତାନ ଚିହିଁକିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଭାରତକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ପାକିସ୍ତାନ ବିରୁଦ୍ଧରେ ଆଉ କୌଣସି ଦୁଃସାହସିକ କାର୍ଯ୍ୟ କଲେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଯିବ ଭାରତ। ସେ ଭାରତର ଭୂଗୋଳକୁ ପରିବର୍ତ୍ତନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଦେଶର ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ସାକ୍ଷାତକାର ସମୟରେ ଏହି ମନ୍ତବ୍ୟ ଦେଇଥିଲେ। ଗତ ବର୍ଷ ମେ ମାସରେ ଭାରତ ସହିତ ହୋଇଥିବା ସଂଘର୍ଷକୁ ଉଲ୍ଲେଖ କରି ଆସିଫ୍ କହିଥିଲେ ଯେ ପାକିସ୍ତାନ ଭାରତକୁ ଏକ ଭୟଙ୍କର ଜବାବ ଦେଇଛି।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଆସିଫ୍ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ମନ୍ତବ୍ୟ ଉପରେ ଏକ ପ୍ରଶ୍ନର ଏଭଳି ଉତ୍ତର ରଖିଥିଲେ।
ଅପରପକ୍ଷରେ ଜେନେରାଲ୍ ଦ୍ୱିବେଦୀ କହିଥିଲେ ଯେ “ପାକିସ୍ତାନ ନିଷ୍ପତ୍ତି ନେବା ଉଚିତ ଯେ ସେ ଭୂଗୋଳର ଅଂଶ ହେବାକୁ ଚାହେଁ କି ଇତିହାସର ଅଂଶ ହେବାକୁ ଚାହେଁ।” ଯାହାପରେ ଆସିଫ୍ କହିଥିଲେ ଯେ ଏପରି ମନ୍ତବ୍ୟ ଦେଇ ଭାରତୀୟ ସେନା ମୁଖ୍ୟ ତାଙ୍କର ହଜିଯାଇଥିବା ସମ୍ମାନ ଫେରି ପାଇବାକୁ ଚେଷ୍ଟା କରୁଛନ୍ତି।