Latest Odisha News

BREAKING NEWS

ଏଣିକି ପ୍ରତିବର୍ଷ ହେବ ବାଘ ଗଣନା:ପିସିସିଏଫ୍

ଭୁବନେଶ୍ଵର; ଏଣିକି ରାଜ୍ୟରେ ପ୍ରତିବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

ସୂଚନା ଅନୁସାରେ, ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭ ଥିବାକୁ ଭୁଲ୍ ଦର୍ଶାଇ ଓଡ଼ିଶା ସରକାର ପ୍ରଥମଥର ପାଇଁ ନିଜସ୍ୱ ବାଘ ଗଣନା କରିଥିଲେ । ଯାହାର ରିପୋର୍ଟ ଗତକାଲି ପ୍ରକାଶ ପାଇଛି । ୨୦୨୨ ମସିହା ବାଘ ଗଣନା ରିପୋର୍ଟକୁ ଏବେର ରିପୋର୍ଟ ସହ ତୁଳନା କଲେ ମହାବଳ ବାଘ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ ବଢ଼ିଛି ।ଗତକାଲି ପ୍ରକାଶ ପାଇଥିବା ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡ଼ିଛି। ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି ।

କିନ୍ତୁ ଚିନ୍ତା ବଢାଉଛି ରାଜ୍ୟରେ କଳା ବାଘ ସଂଖ୍ୟା । ବର୍ତ୍ତମାନ ଶିମିଳିପାଳରେ ଅଛନ୍ତି ୧୩ଟି କଳା ବାଘ । ଇନ୍ ବ୍ରିଡ଼ିଂ ଯୋଗୁଁ କଳା ବାଘଙ୍କ ସଂଖ୍ୟା ବଢ଼ୁଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍। ଏହି ସମସ୍ୟାର ସମାଧାନ ପାଇଁ ଅନ୍ୟ ସ୍ଥାନରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡିବାକୁ ଯୋଜନା କରାଯାଉଛି ।

ସେପଟେ ଅନ୍ୟ ଏକ ଚିନ୍ତାର ବିଷୟ ଏହା ଯେ, ସେପଟେ ସାତକୋଶିଆରେ ନାହାନ୍ତି ଗୋଟେ ହେଲେ ବି ମହାବଳ ବାଘ । ସାତକୋଶିଆରେ ବାଘ ବଂଶ ବୃଦ୍ଧି ନେଇ ଯୋଜନା କରାଯାଉଛି । ଅଭୟାରଣ୍ୟ ଭିତରେ ଥିବା ଜନବସତିକୁ ବିସ୍ଥାପିତ କରି ବ୍ୟାଘ୍ର ପ୍ରକଳ୍ପରେ ବାଘ ଛଡାଯିବା ନେଇ ଯୋଜନା କରାଯିବ ବୋଲି ପିସିସିଏଫ କହିଛନ୍ତି ।

Leave A Reply

Your email address will not be published.