Latest Odisha News

BREAKING NEWS

୧୫ ବର୍ଗଫୁଟରେ ନିର୍ମିତ ରାମେଶ୍ଵରମ୍ କାଫେ, ଜାଣନ୍ତୁ ଏହାର କାହାଣୀ

ବେଙ୍ଗାଲୁରୁ: ଗତକାଲି ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଏକ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜ୍ ରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି କାଉଣ୍ଟରରେ ଖାଇବା ଅର୍ଡର ଦେଇଛି । କିନ୍ତୁ କିଛି ସମୟ ପରେ ଖାଦ୍ୟ ନନେଇ ସେଠାରେ ଏକ ବ୍ୟାଗକୁ ଛାଡି ଚାଲିଯାଇଛି । ଏହା ପରେ ସେଠାରେ ବିସ୍ଫୋରଣ ଘଟିଥିଲା ।

ତେବେ ବିସ୍ଫୋରଣ ପୂର୍ବରୁ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା ଏହି ରମେଶ୍ୱରମ୍ କାଫେ । ଏହା ବେଙ୍ଗାଲୁରୁର ସର୍ବୋତ୍ତମ କାଫେ ମଧ୍ୟରେ ଗଣାଯାଏ | କାଫେ ବାହାରେ ଗ୍ରାହକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥାଏ । ଏହି ଘଟଣା ପରେ କାଫେ ଏକ ବିବୃତ୍ତି ଜାରି କରି ହୋଇଥିବା ବିସ୍ଫୋରଣକୁ ନେଇ ଦୁଃଖ ପ୍ରକାଶ କରିଛି ଏବଂ ତଦନ୍ତରେ ପୋଲିସ ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶୃତି ଦେଇଛି। ତେବେ ଆସନ୍ତୁ ଜାଣିବା ଏହି କାଫେ ଏବଂ କାଫେ ମାଲିକ ସହିତ ଜଡିତ କିଛି ବିଶେଷ ସୂଚନା |

ସୁସ୍ୱାଦୁ ଦକ୍ଷିଣ ଭାରତୀୟ ରୋଷେଇ ପାଇଁ ଜଣାଶୁଣା ରମେଶ୍ୱରମ୍ କାଫେ ୨୦୨୧ ମସିହାରେ ରାଘବେନ୍ଦ୍ର ରାଓ ଏବଂ ଦିବ୍ୟା ରାଓଙ୍କ ଦ୍ଵାରା ଆରମ୍ଭ ହୋଇଥିଲା। ଏହାକୁ ଆରମ୍ଭ କରିବା ପାଇଁ ପୁରା ଯୋଜନା ଲକଡାଉନ୍ ସମୟରେ ପ୍ରସ୍ତୁତ ହୋଇଥିଲା | ରାଘବେନ୍ଦ୍ର ରାଓ ଜଣେ ମେକାନିକାଲ ଇଞ୍ଜିନିୟର । ତାଙ୍କ ପାଖରେ ଫୁଡ୍ ଇଣ୍ଡଷ୍ଟ୍ରୀରେ ୨୦ ବର୍ଷରୁ ଅଧିକ ଅଭିଜ୍ଞତା ଅଛି । ସେ IDC କିଚେନର ପ୍ରତିଷ୍ଠାତା ତଥା ପ୍ରମୋଟର |

ସେହିପରି ଦିବ୍ୟାଙ୍କ ପାଖରେ ୧୨ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ସେ ICAI ର ଦକ୍ଷିଣ ଭାରତୀୟ ଆଞ୍ଚଳିକ ପରିଷଦର ବେଙ୍ଗାଲୁରୁ ଶାଖାର ପରିଚାଳନା କମିଟିର ସଦସ୍ୟ ମଧ୍ୟ ଅଟନ୍ତି | CA କରିବା ପରେ, ଦିବ୍ୟା ଅଧିକ ଅଧ୍ୟୟନ ପାଇଁ ଆଇଆଇଏମ୍ ଅହମ୍ମଦାବାଦ ଯାଇଥିଲେ | ସେଠାରେ ସେ ମ୍ୟାନେଜମେଣ୍ଟ ଓ ଫାଇନାନ୍ସ ଅଧ୍ୟୟନ କରୁଥିଲେ ଏବଂ ଖାଦ୍ୟ ବ୍ୟବସାୟ ଉପରେ ଏକ କେସ୍ ଷ୍ଟଡି କରୁଥିଲେ | ତାଙ୍କୁ ବିଶ୍ଵରେ ଉତ୍ପନ୍ନ ବିଦେଶୀ ଖାଦ୍ୟ ବ୍ରାଣ୍ଡଗୁଡିକ (ଷ୍ଟାରବକ୍ସ, କେଏଫସି, ମ୍ୟାକଡୋନାଲ୍ଡସ୍) ବିଷୟରେ ଅଧ୍ୟୟନ କରିବାକୁ ପଡିଥିଲା |

ଥରେ କ୍ଲାସ୍ ଚାଲିଥିବା ସମୟରେ ଜଣେ ପ୍ରଫେସର କହିଥିଲେ ଯେ, ଭାରତୀୟମାନେ ବେକାର ଅଟନ୍ତି । ସେମାନଙ୍କର କୌଣସି ନିଜସ୍ଵ ବ୍ରାଣ୍ଡ ନାହିଁ | ଏହି କଥାରେ ଦିବ୍ୟା ରାଗିଯାଇଥିଲେ । ଏହା ପରେ ସେ ଦକ୍ଷିଣ ଭାରତୀୟ ଖାଦ୍ୟକୁ ବିଶ୍ୱ ସ୍ତରକୁ ନେବାକୁ ସ୍ଥିର କଲେ ଏବଂ ରାଘବେନ୍ଦ୍ର ରାଓଙ୍କ ସହ ହାତ ମିଳାଇ ୨୦୨୧ ମସିହାରେ ‘ରମେଶ୍ୱରମ୍ କାଫେ’ ଆରମ୍ଭ କରିଥିଲେ।

B2B ଷ୍ଟାର୍ଟଅପ୍ ଉଡାନର ସହ-ପ୍ରତିଷ୍ଠାତା ସୁଜିତ କୁମାର ଜୀରୋଦ୍ଦାର ସିଇଓ ନିଖିଲ କାମାଥଙ୍କ ସହ ଏକ ପୋଡକାଷ୍ଟରେ ରମେଶ୍ୱରମ୍ କାଫେର ରୋଜଗାର ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଏହି କାଫେ ମାସକୁ ୪.୫ କୋଟି ଟଙ୍କା ରୋଜଗାର କରୁଛି । ରମେଶ୍ଵରମ୍ କାଫେ ଦିନକୁ ୭,୫୦୦ଟି ବିଲ୍ କାଟେ । ୧୫ ବର୍ଗଫୁଟରେ ନିର୍ମିତ ଏହି ଦୋକାନ ବର୍ଷକୁ ପ୍ରାୟ ୫୦ କୋଟି ଟଙ୍କା ବ୍ୟବସାୟ କରୁଛି ।

Leave A Reply

Your email address will not be published.