କନ୍ଧମାଳ: ମହାସିଙ୍ଗ ବ୍ରିଜ୍ ନିକଟରେ ବାଇକ୍କୁ ଧକ୍କା ଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ, ବାଲିଗୁଡ଼ା ହସ୍ପିଟାଲ୍ରେ ଆଉ ୨ ମୃତ। ୩ ମୃତକଙ୍କ ପରିଚୟ ମିଳିନି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ବାଲିଗୁଡ଼ା ଥାନା ଅଧୀନ ମହାସିଙ୍ଗି ବ୍ରିଜରେ ଏହି ଦୁର୍ଘଟଣା ଘଟିଛି ।
ସୂଚନାନୁଯାୟୀ, ବ୍ରିଜ ନିକଟରେ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇ ଚାଲିଯାଇଥିଲା। ଏତେ ଜୋରରେ ଧକ୍କା ଦେଇଥିଲା ଯେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ମୃତ ୩ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫେରାର ଗାଡ଼ିକୁ ଚିହ୍ନଟ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।