Latest Odisha News

ପୂର୍ବତନ ରେଳମନ୍ତ୍ରୀ ତଥା ଟିଏମସି ନେତା ମୁକୁଲ ରୟ ନିଖୋଜ!

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିଜେପି ଛାଡି ନିଜ ପୂର୍ବ ରାଜନୈତିକ ଦଳ ତୃଣମୂଳ କଂଗ୍ରେସକୁ ଫେରିଥିବା ବରିଷ୍ଠ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରୟ ସୋମବାର ବିଳମ୍ବିତ ସନ୍ଧ୍ୟାରୁ ନିଖୋଜ ରହିଛନ୍ତି। ତାଙ୍କ ପୁଅ ଶୁଭ୍ରାଂଶୁ ରୟ ଏହି ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ତାଙ୍କ ବାପାଙ୍କର ଏବେ କୌଣସି ଖୋଜଖବର ମିଳିନାହିଁ । ସେ ତାଙ୍କୁ ଯୋଗାଯୋଗ କରିବାରେ ଅସମର୍ଥ ହୋଇଛନ୍ତି। ମୁକୁଲ ରୟ ସୋମବାର ସନ୍ଧ୍ୟାରେ ବିମାନ ଯୋଗେ ଦିଲ୍ଲୀ ଯିବାର ଥିଲା। କିନ୍ତୁ ଏବେ ସେ କୁଆଡେ ଗଲେ କୌଣସି ଯୋଗାଯୋଗ ହୋଇପାରୁନି।

ୟୁପିଏ ସରକାରରେ ମମତା ବାନାର୍ଜୀ ରେଳମନ୍ତ୍ରୀ ଭାବେ ଓହରିବା ପରେ ଦଳୀୟ କୋଟାରୁ ମୁକୁଲ ରୟ ରେଳମନ୍ତ୍ରୀ ହୋଇଥିଲେ। ଏକଦା ସେ ଟିଏମସିରେ ଦୁଇ ନମ୍ବର ନେତା ଥିଲେ। ଟିଏମସି ନେତୃତ୍ୱ ସହ ମତଭେଦ ଯୋଗୁଁ ୨୦୧୭ରେ ବିଜେପିରେ ଯୋଗଦେଇଥିଲେ। ତାଙ୍କୁ ବିଜେପିର ଜାତୀୟ ଉପାଧ୍ୟକ୍ଷ କରାଯାଇଥିଲା, ଏବଂ ସେ ବିଜେପି ଟିକେଟରେ ୨୦୨୧ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ତେବେ ଫଳାଫଳ ପ୍ରକାଶ ପାଇବା ପରେ ସେ ପୁଣି ଟିଏମସିକୁ ଫେରି ଯାଇଛନ୍ତି।

ରୟ ନିଖୋଜ ହେବା ନେଇ ଟିଏମସିରେ ଥିବା ତାଙ୍କ ସମର୍ଥକ ଓ ସହକର୍ମୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତାଙ୍କୁ ଦଳର ଜଣେ ପ୍ରମୁଖ ସଦସ୍ୟ ଭାବେ ବିବେଚନା କରାଯାଉଥିବା ବେଳେ ତାଙ୍କ ଅନୁପସ୍ଥିତି ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ଯ, ଚିଟଫଣ୍ଠ ସହିତ ଅନେକ ମାମଲାରେ ରାଜ୍ୟରେ ସିବିଆଇ ଏବଂ ଇଡି ତଦନ୍ତ କରୁଛି। ଚିଟଫଣ୍ଡ ମାମଲାରେ ସଂପୃକ୍ତି ଥିବାରୁ ମୁକୁଲ ରୟ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ ବୋଲି କୁହାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ପୁଣିଥରେ ଟିଏମସିକୁ ଫେରିଆସିଛନ୍ତି। ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ପ୍ରସଙ୍ଗରେ ତଦନ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ମତଭେଦ ରହିଛି।

Leave A Reply

Your email address will not be published.