Latest Odisha News

BREAKING NEWS

ଆଜି ତ୍ରିବେଣୀ ଅମାବାସ୍ୟା: ଜନ୍ମ ତିଥିରେ ସାବିତ୍ରୀ ବେଶରେ ଦର୍ଶନ ଦେବେ ମା’ ବିରଜା

ଯାଜପୁର: ଆଜି ପବିତ୍ର ମୌନି ତଥା ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ପବିତ୍ର ପୁଷ୍କରିଣୀ ଗୁଡ଼ିକରେ ବୁଡ଼ ପକାଇଛନ୍ତି । ଏହାସହ ପ୍ରୟାଗରାଜ ଓ ଅନ୍ୟ ସ୍ଥାନରେ ମଧ୍ୟ ଶ୍ରଦ୍ଧାଳୁ ମାନେ ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ସକାଳୁ ସକାଳୁ ଭିଡ଼ ଲଗାଇଛନ୍ତି । ବୁଡ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି । କେହି କେହି ପିତୃପୁରୁଷଙ୍କ ଅର୍ଥେ ପିଣ୍ଡଦାନ ମଧ୍ୟ କରିଛନ୍ତି ।

ତ୍ରିବେଣୀ ଅମାବାସ୍ୟା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର (ଜନ୍ମୋତ୍ସବ) ପାଳନ ହେଉଛି । ଏଥିପାଇଁ ଚଳଚଞ୍ଚଳ ହୋଇଛି ବିରଜା ପୀଠ । ବ୍ରାହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ଏନେଇ ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଛି । ମା’ବିରଜାଙ୍କ ଜନ୍ମୋତ୍ସବ ଅବସରରେ ମନ୍ଦିରକୁ ଫୁଲ ଓ ଆଲକ ମାଳାରେ ସଜାଯାଇଛି ।

ସ୍ନାନ ପରେ ଶ୍ରଦ୍ଧାଳୁଙ୍କୁ ସାବିତ୍ରୀ ବେଶରେ ଦର୍ଶନ ଦେବେ ମା’ ବିରଜା । ତେବେ ମା’ ଙ୍କର ଏହି ଅନନ୍ୟ ବେଶର ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହେବ । ଯାହାକୁ ନେଇ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେପରି ଭକ୍ତ ମାନେ ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ମନ୍ଦିର ପରିସରରେ ବହୁ ପୋଲିସ କର୍ମୀ ମୂତୟନ ହୋଇଛନ୍ତି ।

Leave A Reply

Your email address will not be published.