Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ପୁଣି ଆସୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଏବେ ବର୍ଷା ଲାଗି ରହିଛି । ୧୩ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ଓ କାଲି ପ୍ରବଳ ବର୍ଷା ହୋଇପାରେ। ୧୩, ୧୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୪ରେ ବର୍ଷାର ପରିମାଣ ସର୍ବାଧିକ ରହିବ । ୩୦ ଜିଲ୍ଲାରେ ବର୍ଷିବ ।

୨) ଖୋଲିଲା ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୧୦ଟି ଗେଟ୍ ଖୋଲାଯାଇଛି । ଏବେ ଜଳଭଣ୍ଡାରେ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ, ବର୍ତ୍ତମାନ ଜଳସ୍ତର ୬୧୨ ଦଶମିକ ୬୨ ଫୁଟ ରହିଛି । ଗେଟ୍ ଖୋଲିବା ପୂର୍ବରୁ ସକାଳ ୯ଟା ୩୦ରୁ ସାଇରନ୍ ବଜାଇ ତଳମୁଣ୍ଡ ଲୋକଙ୍କୁ ସତର୍କ କରାଯାଇଥିଲା ।

୩) ଚଳିତ ମାସରେ ସରୁଛି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ । ତାଙ୍କ ପରେ କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଶାସନ ସଚିବ ? ଏହାକୁ ନେଇ ଲୋକସେବା ଭବନ କୁହନ୍ତୁ ଅବା IAS ଅଧିକାରୀମାନଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ଚାଲିଛି । ସୁରେଶଙ୍କ ଅବସର ପରେ ବରିଷ୍ଠ ଆଇଏଏସ୍ ପ୍ରଦୀପ କୁମାର ଜେନା ହୋଇ ପାରନ୍ତି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ।

୪) ପିଏମ ଆବାସ ଯୋଜନା ବୈଠକ ଶେଷ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗିରିରାଜ ସିଂହଙ୍କ ମଧ୍ୟରେ ଆଲୋଚନା ସରିଛି । ଓଡ଼ିଶାର ବାସହୀନ ଲୋକଙ୍କୁ କିଭଳି ଘର ମିଳିପାରିବ ସେ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଦେଶ ପାଇଁ ପିଏମ ଆବାସ ଯୋଜନାରେ ୪୮ ହଜାର କୋଟି ବ୍ୟୟ ବରାଦ କରିଛନ୍ତି । ସେଥିରୁ ଓଡ଼ିଶାର ଭାଗ ୭ ହଜାର କୋଟି । ଏଥିରେ ରାଜ୍ୟର ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଘର ଆବଣ୍ଟନ କରାଯିବା ନେଇ ଜଣାପଡ଼ିଛି । କିନ୍ତୁ ରାଜ୍ୟ ପାଇଁ ସର୍ତ୍ତ ରଖିଛନ୍ତି କେନ୍ଦ୍ର ସରକାର ।

୫) ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ । ସ୍ୱାଧୀନତା ଦିବସ ପୂର୍ବରୁ ଜମ୍ମୁ କାଶ୍ମୀରର ପରଗଲରେ ଉରି ଭଳି ଆକ୍ରମଣ ଟଳି ଯାଇଛି । କିଛି ଆତଙ୍କବାଦୀ ସେନା କ୍ୟାମ୍ପରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହାପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିମାଡ ହୋଇଥିଲା । ସେନାର ତିନି ଯବାନ ମଧ୍ୟ ସହିଦ ହୋଇଛନ୍ତି ।

୬) ଶ୍ରୀରାମ ଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ ଓ ଡାକ୍ତରଖାନାରୁ ୨ ଦଲାଲଙ୍କୁ ପୋଲିସ ଗିରଫ କରିଛି । ଜଣେ ଦଲାଲ ରକ୍ତ ଭଣ୍ଡାରରୁ ରକ୍ତ ଯୋଗାଦେବା ନାଁରେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଟଙ୍କା ନେଇଥିଲେ । ଅନ୍ୟ ଜଣେ ଦଲାଲ ଜନୈକ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ନେଉଥିଲେ । ଧରାପଡ଼ିଥିବା ଦୁଇ ଦଲାଲଙ୍କ ପରିଚୟ ସୁଶାନ୍ତ ଚୌଧୁରୀ ଓ ସୂର୍ଯ୍ୟନାରାୟଣ ସାହୁ ।

୭) ବ୍ରିଜ୍ ଉପରୁ ବ୍ୟାଙ୍କ କର୍ମଚାରୀ ନିଖୋଜ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ଅଙ୍ଗନଦୀ ପୋଲ ଉପରୁ ବ୍ୟାଙ୍କ କର୍ମଚାରୀ ନିଖୋଜ ହୋଇଥିବା ଜଣାପଡିଛି । ନିଖୋଜ ବ୍ୟାଙ୍କ କର୍ମଚାରୀ ଜଣକ ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର ବୋଲି ଜଣାପଡିଛି । ଗତକାଲି ସନ୍ଧ୍ୟାରେ ବ୍ୟାଙ୍କରୁ ବାହାରିବା ସମୟରେ ପରିବାର ଲୋକଙ୍କ ସହ ସେ ଫୋନରେ କଥା ହେବା ପରେ ତାଙ୍କର ଖୋଜ ଖବର ମିଳିନି ।

୮) ଆଜିଠୁ ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମବର୍ଷ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ଚଳିତ ବର୍ଷ ରାଜ୍ୟରେ ୨ ଲକ୍ଷ ୪୯ ହଜାର ୩୮୯ ସିଟରେ ନାମଲେଖା ହେବ । ସେଥିମଧ୍ୟରୁ ଯୁକ୍ତ ତିନି ପ୍ରଥମ ବର୍ଷ କଳାରେ ୧ ଲକ୍ଷ ୩୯ହଜାର ୬୯୭ ସିଟ୍ ଥିବା ବେଳେ ଫିଜିକାଲ୍ ସାଇନ୍ସରେ ୪୨ ହଜାର ୧୫, ବାୟୋଲୋଜିକାଲ୍ ସାଇନ୍ସରେ ୨୬ହଜାର ୬୦୪, ବାଣିଜ୍ୟରେ ୩୦ ହଜାର ୭୦୭, ସେଲ୍ଫ ଫାଇନାନ୍ସରେ ୧ହଜାର ୬୬୬ ଓ ସଂସ୍କୃତରେ ୮ହଜାର ୭ ଶହ ସିଟ୍ ରହିଛି । ନାମଲେଖା ଆବେଦନ ୨୫ ତାରିଖରେ ସରିବ ।

୯) ଯମୁନା ନଈରେ ବଡ଼ ଧରଣର ଦୁର୍ଘଟଣା । ୩୦ ଲୋକଙ୍କୁ ନେଇଯାଉଥିବା ମଝି ନଈରେ ବୁଡ଼ିଲା ଡଙ୍ଗା । ସୌଭାଗ୍ୟ ବଶତଃ ୪ ଜଣ ପହଁରି ପହଁରି କୂଳରେ ପହଞ୍ଚିଥିବା ବେଳେ ଡଙ୍ଗା ସହ ଅନ୍ୟ ୨୬ ଜଣଙ୍କର ଏଯାଏ ପତ୍ତା ମିଳୁ ନାହିଁ । ଘଟଣା ସ୍ଥଳରେ ଏସ୍ଡିଆର୍ଏଫ୍ ଟିମ୍ ଓ ସ୍ଥାନୀୟ ବୁଡ଼ାଳିଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟା ଜାରି ରହିଛି । ଉଦ୍ଧାର ବେଳେ ଦୁଇ ଜଣଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି ।

୧୦) କୋଇଲା ଚୋରା ଚାଲାଣ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର ୮ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଚରା ଉଚରା ନିମନ୍ତେ ଦିଲ୍ଲୀ ଡକାଇଛନ୍ତି । ଗୁରୁବାର ଗଣମାଧ୍ୟମକୁ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଆଇପିଏସ୍ ଅଧିକାରୀ ଏଡିଜି ସିଆଇଡି ଜ୍ଞାନବନ୍ତ ସିଂହ, କୋଟେଶ୍ୱର ରାଓ, ଏସ. ସେଲଭା ମୁରୁଗନ, ଶ୍ୟାମ ସିଂହ, ରାଜୀବ ମିଶ୍ର, ସୁକେଶ କୁମାର ଜୈନ ଓ ତଥାଗତ ବସୁ ଆଦି ଅଧିକାରୀଙ୍କୁ ଇଡି ସମନ୍ କରିଛି ।

୧୧) ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖଡ଼ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବୁଧବାର ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ଦଳର ବରିଷ୍ଠ ନେତା ସାମିଲ ହୋଇଥିଲେ ।

୧୨) ବିହାରରେ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବିଜେପି ଗୋଟି ଚଳାଇବା ଆରମ୍ଭ କରିଛି । ବିହାର ବିଧାନସଭା ଅଧ୍ୟକ୍ଷ ବିଜୟ କୁମାର ସିହ୍ନା ଜେଡିୟୁ-ଆରଜେଡି ମେଣ୍ଟ ଭାଙ୍ଗି ବିଜେପିକୁ କ୍ଷମତାକୁ ଆଣିବାକୁ ଯୋଜନା ଆରମ୍ଭ କରି ଦେଇଛ । ମେଣ୍ଟ ସରକାର ସ୍ପିକରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ଥାବ ଆଣିବା କାମ ଆରମ୍ଭ କରି ଦେଇଛି । ହେଲେ ବିଧାନସଭା ଅଧିବେଶନ ବିଳମ୍ବ ଅଛି । ଅଗଷ୍ଟ ୨୪ ତାରିଖରେ ଅଧିବେଶନ ବସିବ ।

୧୩) ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଦ ସରିଫଙ୍କୁ ଭେଟିପାରନ୍ତି । ଉଜବେକିସ୍ତାନରେ ଏହି ଭେଟ ହୋଇପାରେ । ସୂଚନା ଅନୁସାରେ ଏସସିଓ ଶିଖର ସମ୍ମିଳନୀର ବୈଠକରେ ଦୁଇ ନେତାଙ୍କ ଆଲୋଚନାର ସମ୍ଭାବନା ରହିଛି । ଆସନ୍ତା ସେପ୍ଟେମ୍ୱର ୧୫-୧୬ରେ ଉଜବେକିସ୍ତାନର ସମରକନ୍ଦରେ ଏସସିଓ ଅର୍ଥାତ ସଂଘାଇ କର୍ପୋରେସନ ଅର୍ଗାନାଇଜେସନର ଶିଖର ସମ୍ମିଳନୀ ହେବ ।

୧୪) ରିଲ୍ ଠାରୁ ରିଅଲ୍ ଲାଇଫ୍ ପାଇଁ ଖୁବ୍ ଚର୍ଚ୍ଚାରେ ଥାଆନ୍ତି ବିୟୁଟି କ୍ଵିନ୍ ସୁସ୍ମିତା ସେନ୍ ।  ନିକଟରେ ସେ ଲଲିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣି ଥରେ ତାଙ୍କ ପ୍ରେମ ଜୀବନ ବିଷୟରେ ଆଲୋଚନା କରାଯାଉଛି। ରୋହମନଙ୍କ ସହିତ ବ୍ରେକଅପ୍ ପରେ ସୁସ୍ମିତା ଲଲିତ ମୋଦିଙ୍କ ସହ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ । ଲଲିତଙ୍କ ସହ ସମ୍ପର୍କରେ ଆସିବା ପରେ ସୁସ୍ମିତାଙ୍କୁ ପୂର୍ବତନ ପ୍ରେମିକା ରୋହମନଙ୍କ ସହ ପୁଣିଥରେ ଦେଖିବାକୁ ମିଳିଛି ।

୧୫) ରାକ୍ଷୀ ପୂର୍ଣ୍ଣିମାରେ ଅକ୍ଷୟ କୁମାର ଆକ୍ସନ ଧମାଲ ମୁଡ୍ ନୁହେଁ ବରଂ ପାରିବାରିକ ଡ୍ରାମା ତଥା ଭାଇ-ଭଉଣୀର ମଧୁର ସମ୍ପର୍କକୁ ନେଇ ମନୋରଞ୍ଜନ କରିବାକୁ ଆସିଛନ୍ତି । ରିଲିଜ୍ ହୋଇଛି ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନ । ଦର୍ଶକମାନେ ଚଳଚ୍ଚିତ୍ରକୁ ଖୁବ୍ ପସନ୍ଦ କରୁଛନ୍ତି । ଭାଇଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କର କାହାଣୀ ରକ୍ଷାବନ୍ଧନ ଫିଲ୍ମ ଦେଖିବା ପରେ ଲୋକମାନେ ଭାବପ୍ରବଣ ହେଉଛନ୍ତି ।

Leave A Reply

Your email address will not be published.