Latest Odisha News

BREAKING NEWS

ତୋଷାଳି ମେଳା ଆୟୋଜନ ହୋଇପାରିବ, ପୁସ୍ତକ ମେଳା କାହିଁକି ନୁହେଁ ?

ଭୁବନେଶ୍ୱର: ସୋମବାର ପାଖରୁ ରଜଧାନୀର ଜନତା ମୈଦାନରେ ଆରମ୍ଭ ହୋଇଛି ତୋଷାଳି ମେଳା । କୋଭିଡ ପାଇଁ ରାଜଧାନୀରେ ବିଭିନ୍ନ ମେଳାର ଆୟୋଜନ ବନ୍ଦ ରହିଥିଲା। ଏବେ କିନ୍ତୁ ନିୟମ ସବୁ ହଟିବା ପରେ ଧୀରେ ଧୀରେ ରାଜଧାନୀରେ ବିଭିନ୍ନ ମେଳାର ଆୟୋଜନ ହେଉଛି । ଏହାକୁ ନେଇ ରାଜଧାନୀବାସି ମଧ୍ୟ ବେଶ ଖୁସିପ୍ରକଟ କରିଛନ୍ତି । କିନ୍ତୁ କରୋନା ପାଇଁ ଦୀର୍ଘ ବର୍ଷହେବ ବନ୍ଦ ହୋଇପଡିଥିବା ପୁସ୍ତକ ମେଳାର ଆୟୋଜନକୁ କାହିଁକି ପ୍ରଶାସନ ଅନୁମତି ଦେଉନି ତାହା ଏବେ ବଡ଼ ପ୍ରଶ୍ନ ।

ସୋଶିଆଲ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାର ପୁସ୍ତକ ମେଳା ପାଇଁ ଅନୁମତି ନଦେଇ ଅନେକ ଲେଖକ ଏବଂ ବହି ପ୍ରକାଶକଙ୍କ ଅଣ୍ଟାରେ ମାଡ ମାରୁଛନ୍ତି ବୋଲି କୁହାଯାଉଛି। ମନ ଇଚ୍ଛା ବହି ମେଳାକୁ ବାତିଲ କରିବା ରାଜ୍ୟର ଲେଖକ ଏବଂ ପ୍ରକାଶକଙ୍କୁ ଘୋର ଅପମାନ ବୋଲି ବିଶିଷ୍ଟ ସାହିତ୍ୟିକ କେଦାର ମିଶ୍ର ନିଜ ସୋଶିଆଲ ମିଡିଆରେ କହିଛନ୍ତି।

ସେହିପରି ପୁସ୍ତକ ମେଳା ପ୍ରତି ରୁଚି ରଖୁଥିବା ବ୍ୟକ୍ତି କହିଛନ୍ତି, ସରକାର ଏପରି କରି ନିଜର ଏକଛାଟିଆ ମନୋଭାବକୁ ଲୋକଙ୍କ ଆଗରେ ରଖୁଛନ୍ତି। ଯଦି ରାଜଧାନୀରେ ନିର୍ବାଚନ ରାଲି ହୋଇପାରିବ, ଶିଶିର ସରସ ମେଳା, ତୋଷାଳି ମେଳା ହୋଇପାରିବ, ବଡ ବଡ ହୋଟେଲରେ ଲୋକେ ଏକାଠି ହୋଇ ବୈଠକ କରିପାରିବେ ତାହେଲେ ପୁସ୍ତକ ମେଳାକୁ ଅନୁମତି ଦେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି।

ରାଜଧାନୀରେ ପୁସ୍ତକ ମେଳାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ୨୦୧୮ରେ ମୁଖ୍ୟମନ୍ତ୍ରୀ ଏହି ମେଳାର ଉଦଘାଟନ କରି କହିଥିଲେ ପୁସ୍ତକ ମେଳା ହେଉଛି ଜ୍ଞାନର ମେଳା । ହେଲେ ଏବେ ଏହି ପୁସ୍ତକ ମେଳା ପାଇଁ ଅନୁମତି ନମିଳିବା ଅନେକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପାଠକମାନଙ୍କ ବୌଦ୍ଧିକ ବିକାଶ, ରାଜ୍ୟ ତଥା ରାଜ୍ୟ ବାହାରର ଲେଖକ ଓ ପ୍ରକାଶକମାନଙ୍କ ପାଇଁ ‘ପୁସ୍ତକ ମେଳା’ କେବେ ପଠନର ଶୋଷ ମେଣ୍ଟାଉଥିଲା ତ’ କେବେ ରୋଜଗାର ସୁବିଧା ଦେଉଥିଲା। କିନ୍ତୁ କରୋନା ମହାମାରୀ ପରେବି ଏଯାବତ ସ୍ଥିତିରେ ସ୍ୱାଭାବିକ ଆସିନି ।

Leave A Reply

Your email address will not be published.