Latest Odisha News

BREAKING NEWS

ସହଜ ନୁହେଁ ସାନଖେମୁଣ୍ଡି

ଭୁବନେଶ୍ବର : ସାନଖେମୁଣ୍ଡିରେ ସରିଛି ସମରସଜ୍ଜା । ଗୋଟେପଟେ କଂଗ୍ରେସ ହେଭିଓ୍ବେଟ୍ ରମେଶ ଜେନା ତ ଅନ୍ୟପଟେ ଧରାକୋଟ ରାଜଜେମା ସୁଲକ୍ଷଣା ଗୀତାଞ୍ଜଳି ଦେବୀ । କ୍ୟାମ୍ପେନିଂରେ କମ୍ପୁଛି ଗାଁ, ରୁଦ୍ଧଦ୍ବାର ବୈଠକରେ ପ୍ରସ୍ତୁତ ଚାଲିଛି ବିଜୟ ବ୍ଲୁପ୍ରିଣ୍ଟ । ଭାବିଚିନ୍ତି ଗୋଟି ଚଳାଉଛନ୍ତି ପ୍ରାର୍ଥୀ । କାହାର ହେବେ ଜନତା? କଣ କହୁଛି ସାନଖେମୁଣ୍ଡି ସମୀକରଣ ?

BjdElectrycity

ବିଜୟ ସ୍କୋରବୋର୍ଡ ଆଗରେ କଂଗ୍ରେସ
ଆସିକା ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ସାନଖେମୁଣ୍ଡି ବିଧାନସଭାରେ ଏଥର କାଣ୍ଟେ କି ଟକ୍କର । ୨୦୦୯ରୁ ଧରାକୋଟ ଓ ସାନଖେମୁଣ୍ଡି ବ୍ଲକକୁ ନେଇ ଗଠିତ ହୋଇଛି ଏହି ବିଧାନସଭା ଆସନ । ଚତୁର୍ଥ ଥର ପାଇଁ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଏପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡିର ସ୍କୋର ରହିଛି ୨ ଓ ୧ । ୨୦୦୯ ଓ ୨୦୧୯ରେ କଂଗ୍ରେସ ବାଜିମାତ୍ କରିଛି ତ ୨୦୧୪ରେ ସାନଖେମୁଣ୍ଡି ଜିତିଛି ବିଜେଡି ।

ସବୁଥର ବଦଳିଛି ବାଜି
୨୦୦୯ରେ ବିଜେପି ପ୍ରାର୍ଥୀ କିଶୋର ଚନ୍ଦ୍ର ସିଂହଦେଓଙ୍କୁ ହରାଇ ବିଜୟୀ ହୋଇଥିଲେ କଂଗ୍ରେସର ରମେଶ ଜେନା । ୨୦୧୪ରେ କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ନନ୍ଦିନୀ ଦେବୀଙ୍କୁ ଦଳରେ ମିଶାଇ ପ୍ରାର୍ଥୀ କରିଥିଲା ବିଜେଡି । ସେଥର କଂଗ୍ରେସର ରମେଶ ଜେନାଙ୍କୁ ୮ହଜାରରୁ ଅଧିକ ଭୋଟରେ ହରାଇଥିଲେ ନନ୍ଦିନୀ ଦେବୀ । ୨୦୧୯ରେ ପୁଣି ମୁହାଁମୁହିଁ ହୋଇଥିଲେ ରମେଶ ଜେନା ଓ ନନ୍ଦିନୀ ଦେବୀ । ତେବେ ଏଥର ବାଜି ମାରିଥିଲେ ରମେଶ ଜେନା । ୨୩ହଜାରରୁ ଅଧିକ ଭୋଟରେ ନନ୍ଦିନୀ ଦେବୀଙ୍କୁ ହରାଇଥିଲେ । ଗତଥର ଗଞ୍ଜାମର ଏକମାତ୍ର ସିଟ୍ ଭାବେ ସାନଖେମୁଣ୍ଡି ଦଖଲ କରିଥିଲା କଂଗ୍ରେସ ।

କଣ କହୁଛି ଚବିଶ ହିସାବ?
ସାନଖେମୁଣ୍ଡି ଲଢେଇ କାହା ପାଇଁ ବି ସହଜ ହେବନି । କିଶୋର ଚନ୍ଦ୍ର ସିଂହଦେଓ ଓ ନନ୍ଦୀନି ଦେବୀଙ୍କୁ ପୂର୍ବରୁ ହରାଇଥିବା ରମେଶ ଜେନା ସୁଲକ୍ଷଣାଙ୍କୁ ମାତ୍ ଦେବାକୁ ଅଙ୍କ କଷୁଛନ୍ତି । ଦୁଇ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିବା ରମେଶ ଜେନାଙ୍କର ତୃଣମୂଳସ୍ତରରେ ବଡ ସଂଗଠନ ରହିଛି । ସେପଟେ ମାତ୍ର ୨୫ବର୍ଷ ବୟସରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ହୋଇଥିବା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରମେଶଙ୍କୁ ଚେକ୍ ଦେବାକୁ ରଣନୀତି କରୁଛନ୍ତି । ଉଭୟ ପ୍ରଚାର ମଇଦାନରେ ବେଶ୍ ଆକ୍ଟିଭ୍ ରହିଛନ୍ତି ।

ବିଜେପିରେ `ପ୍ରଦୀପ’ ଫ୍ୟାକ୍ଟର !
ଆଜି ପର୍ଯ୍ୟନ୍ତ କେବଳ ରାଜ ପରିବାର ଓ ରମେଶ ଜେନାଙ୍କ ମଧ୍ୟରେ ସୀମିତ ରହିଥିଲା ସାନଖେମୁଣ୍ଡି ଲଢେଇ। ହେଲେ ଏଥର ଫାଇଟରେ ବିଜେପିର ଦମଦାର ଏଣ୍ଟ୍ରି ହୋଇପାରେ । ସାନଖେମୁଣ୍ଡିରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଉତ୍ତମ ପାଣିଗ୍ରାହୀ । ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାକୁ ଅସ୍ତ୍ର କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଉତ୍ତମ। ଏଥର ପ୍ରଦୀପ ପାଣିଗ୍ରାହୀ ଫ୍ୟାକ୍ଟର ବି ବିଜେପି ପାଇଁ ସହାୟକ ହୋଇପାରେ । ପୂରା ଗଞ୍ଜାମ ଜିଲ୍ଲାରେ ତୃଣମୂଳସ୍ତରରେ ଭଲ ଦଖଲ ରଖୁଥିବା ପ୍ରଦୀପ ପାଣିଗ୍ରାହୀ ଶାସକ ବିରୋଧୀ ହାଓ୍ବା ବଢାଇପାରନ୍ତି ।

ତ୍ରିମୁଖୀ ଲଢେଇ ହେବାକୁ ଥିବା ସାନଖେମୁଣ୍ଡିରେ କାହା ପାଇଁ ବି ସହଜ ହେବନି ବିଜୟ। ଗଡ ରକ୍ଷା କରିବେ କି ରମେଶ ଜେନା? ସାନଖେମୁଣ୍ଡି ସିଂହାସନ ଦଖଲ କରିବେ କି ରାଜଜେମା ? ନା ପ୍ରଥମ ଥର ପାଇଁ ପଦ୍ମ ଫୁଟାଇବେ ଉତ୍ତମ ପାଣିଗ୍ରାହୀ?

Leave A Reply

Your email address will not be published.