Latest Odisha News

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ଏହି ସବୁ ମାର୍ଗରେ ଯାନବାହନ ଚଳାଚଳ ଉପରେ କଟକଣା

ଭୁବନେଶ୍ଵର: ଆସନ୍ତା ୨୬ ତାରିଖରେ ଭୁବନେଶ୍ଵର ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ଓ ୨୩ ତାରିଖ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୨୪ ତାରିଖ ସକାଳ ୭ଟା ରୁ ୧୧.୩୦ ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟତ ନିମନ୍ତେ କଟକଣା ଲାଗୁ କରାଯାଇଛି। ୨୬ ତାରିଖ ସକାଳ ୬.୩୦ରୁ ପରେଡ ଶେଷ ହେବା ପର୍ଯ୍ୟନ୍ତ କୌଣସି ଭାରୀଯାନ ରାମମନ୍ଦିର ଏବଂ ରାଜମହଲ ଛକ ପଟୁ ମାଷ୍ଟରକ୍ୟାଣ୍ଟିନ ଛକ ମଧ୍ୟରେ ଚଳାଚଳ କରିପାରିବେ ନାହିଁ। କେବଳ ଦୁଇ ଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଆଡକୁ ଆସିପାରିବେ କିନ୍ତୁ ପିଏମଜି ଛକ ଆଡକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଛକ ଆଡକୁ ଯାଇପାରିବ ନାହିଁ। କେଶରୀ ଟକିଜ୍ ଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ଯାଇପାରିବେ।

ସେହିପରି ଏ.ଜି ଛକରୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଯାନବାହନ ଗୁଡିକ ଜୟଦେବ ଭବନ ଠାରୁ ଡାହାଣ ପାର୍ଶ୍ଵ ଦେଇ ଇଡକଲ ଅଡିଟୋରିୟମ ରାସ୍ତା ଦେଇ ଯାଇପାରିବେ। ୧୨୦ ବାଟାଲିୟନ ଛକ ପଟୁ ରବିନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଯାନବାହନ ଏମଏଲଏ କଲୋନୀ ପାଖ ୟୁନିଟ-୪ ରାସ୍ତା ଦେଇ ଯାଇପାରିବ। ମହାତ୍ମାଗାନ୍ଧୀ ମାର୍ଗକୁ ଲାଗି ଥିବା ସମସ୍ତ ଗଳିକନ୍ଦି ରାସ୍ତା ବନ୍ଦ ରହିବ। କେବଳ ପଥଚାରୀମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗକୁ ଯିବାକୁ ଦିଆଯିବ।

ପରେଡ ସମୟରେ ରେଲୱେ ଷ୍ଟେସନ ପାଖ ବିଡିଏ ବସ୍ ଷ୍ଟାଣ୍ଡ, କଂଗ୍ରେସ ଭବନ ସାମ୍ନାରେ ଥିବା ଖାଲି ସ୍ଥାନ, ଇଡକଲ ଅଡିଟୋରିୟମ ସାମ୍ନାରେ ଥିବା ଖାଲି ସ୍ଥାନ, ଜୟଦେବ ଭବନ ସାମ୍ନାରେ ଥିବା ଖାଲି ସ୍ଥାନ, ଏସବିଆଇ ୟୁନିଟ-୩ ସାମ୍ନାରେ ଥିବା ଖାଲି ସ୍ଥାନ, ରବୀନ୍ଦ୍ର ମଣ୍ଡପ ସାମ୍ନାରେ ଥିବା ଖାଲି ସ୍ଥାନ, ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ଗାଡି ପାର୍କିଂ କରିପାରିବେ। ସେହିପରି ସାଧାରଣତନ୍ତ୍ର ଦିବସ ଦିନ ସକାଳ ୬.୩୦ ରୁ ପାରେଡ୍ ସରିବା ପର୍ଯ୍ୟନ୍ତ ପିଏମଜି ଛକ ଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ମଧ୍ୟରେ କୌଣସି ବ୍ୟକ୍ତି ଗ୍ୟାସ ବେଲୁନ ବିକ୍ରି କରିପାରିବେ ନାହିଁ ।

Comments are closed.