Latest Odisha News

BREAKING NEWS

ବିବାହ ଉତ୍ସବ ପାଳନ କରିବାକୁ ଯାଉଥିଲେ, ଦୁର୍ଘଟଣାରେ ପ୍ରାଣ ହରାଇଲେ ଡାକ୍ତର

ଭୁବନେଶ୍ୱର: ନିକଟରେ ବିବାହ କରିଥିବା ଜଣେ ଡାକ୍ତର ରବିବାର ପୂର୍ବାହ୍ନରେ ଭୁବନେଶ୍ୱରର ଫାୟାର ଷ୍ଟେସନ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ଡାକ୍ତର ମନୋଜ କୁମାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ୟାନସର ବିଭାଗର ପ୍ରଫେସର ଭାବେ କାର୍ଯ୍ଯ କରୁଥିଲେ। ତିନି ମାସ ତଳେ (ଫେବୃଆରୀ 28) କଟକ ଏସସିବି ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତର ସୁଶ୍ରୀ ସଙ୍ଗୀତାଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ପରିବାର ଲୋକଙ୍କ କହିବାନୁସାରେ, ରବିବାର କଟକରେ ପତ୍ନୀଙ୍କ ସହ ତିନି ମାସର ବିବାହ ବାର୍ଷିକୀ ପାଳନ କରିବା ପାଇଁ ଡାକ୍ତର ମନୋଜ କୁମାର ବାଇକରେ ଭୁବନେଶ୍ୱରସ୍ଥିତ ତାଙ୍କ ରୁମ୍ରୁ ବାହାରିଥିଲେ। ହେଲେ ଫାୟାର ଷ୍ଟେସନ ଛକ ନିକଟରେ ଏକ ଦୁର୍ଘଟଣାର ସାମ୍ନା କରିଥିଲେ। ଦୁଘର୍ଟଣା ଘଟିବାର ସମୟ ପାଖାପାଖି ୧୨ଟା ୩୦ ଥିଲା।

ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ମନୋଜ କୁମାରଙ୍କ ଅକାଳ ବିୟୋଗ ଖବର ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ଅକଳ୍ପନୀୟ ଦୁଃଖ ଆଣିଦେଇଛି। ପୁଅ-ବୋହୂଙ୍କ ୩ ମାସର ବିବାହ ଉତ୍ସବକୁ ପାଳନ କରିବାକୁ ଉତ୍ସାହିତ ଥିବା ପରିବାର ଲୋକଙ୍କ ପାଇଁ ଏହି ଖବର ମର୍ମାହତ କରିଛି।

ରବିବାର କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ମୃତ ଡାକ୍ତରଙ୍କ ମରଶରୀରକୁ ତାଙ୍କ ଶୋକସନ୍ତପ୍ତ ପରିବାରକୁ ହସ୍ତାନ୍ତର କରାଯାଇଛି। ମନୋଜ କୁମାରଙ୍କ ଦୁର୍ଘଟଣାର କାରଣ ଜାଣିବା ପାଇଁ ପୁଲିସ ସମସ୍ତ ସମ୍ଭାବ୍ୟ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.