Latest Odisha News

ଚିତାବାଘ ସହ ଲଢି ୮ ବର୍ଷର ପୁଅକୁ ରକ୍ଷା କଲେ ସାହସୀ ମହିଳା

ଭୁବନେଶ୍ୱର: ବୀରତ୍ୱର ଗାଥା କହିଲେ ଭୁଲ ହେବନି । ଚିତାବାଘ କବଳରୁ ନିଜ ଜନ୍ମକଲା ୮ ବର୍ଷର ଛୁଆକୁ ବଂଚାଇ ଆଣିଲା ସାହସୀ ମାଆ । କୌଣସି ଫିଲ୍ମରେ ଏହି ଦୃଶ୍ୟ ହୁଏ ତ ସାଧାରଣ ଲାଗିପାରେ । ହେଲେ ଅସଲ ଜୀବନରେ ଏହି ଘଟଣା ଦେଖିବା ତ ଦୂରର କଥା କଳ୍ପନା କଲେ ମଧ୍ୟ ଦେହ ଶୀତେଇ ଉଠେ ।

ମଧ୍ୟପ୍ରଦେଶ ବଡି ଝରିଆ ଗାଁର ଜଣେ ଆଦିବାସୀ ମହିଳା ଦେଖାଇଥିଲେ ଅଦମ୍ୟ ସାହସ । ସିଦ୍ଧି ଜିଲ୍ଲା ସଂଜୟ ଟାଇଗର ରିଜର୍ଭ ଅଧିନରେ ଥିବାରୁ ଏଠାରେ ବାଘ ଓ ଅନ୍ୟାନ୍ୟ ହିଂସ ଜୀବଜନ୍ତୁ ଦେଖାଯିବା କିଛି ନୂଆ କଥା ନୁହେଁ । ଗତ ରବିବାର ରାତିରେ ଆଦିବାସୀ ମହିଳା କିରନ ଶୀତ ଦାଉରୁ ରକ୍ଷା ପାଇବା ଲାଗି ନିଜ ତିନିଛୁଆଙ୍କୁ ଧରି ନିଆଁ ପାଖରେ ବସିଥିଲେ । ସେହି ସମୟରେ ଗୋଟିଏ ଚିତିବାଘ ହଠାତ୍ ଆସି ଆଖି ପିଛୁଳାକେ ତାଙ୍କ ପୁଅ ରାହୁଲକୁ କାମୁଡି ଧରି ଜଙ୍ଗଲକୁ ଦୌଡି ପଳାଇଥିଲା ।

ସେହି ସମୟରେ କିରନ୍ ନିଜ ମାନସିକ ଭାରସାମ୍ୟ ରକ୍ଷା କରି ଅନ୍ୟ ଦୁଇ ଛୁଆଙ୍କୁ ଘରେ ଛାଡିଦେଇ ରାତିର ଅନ୍ଧାରରେ ଜଙ୍ଗଲ ମଧ୍ୟରେ ଚିତାବାଘର ପିଛା କରିଥିଲେ । ବନ ବିଭାଗର ରିପୋର୍ଟ ଅନୁଯାୟୀ ପ୍ରାୟ ୧ କି.ମି ଧରି କିରନ ଚିତାବାଘର ପିଛା କରିଥିଲେ । ବହୁକଷ୍ଟରେ ସେ ଚିତାବାଘକୁ ଏକ ବୁଦାମୂଳେ ଠାବ କରିବାରେ ସଫଳ ହୋଇଥିଲେ । ଚିତାବାଘ କବଳରେ ନିଜ ଛୁଆକୁ ଦେଖି କିରନ ଭୟଭୀତ ନହୋଇ ଏକ ବାଡି ସହାୟତାରେ ଚିତାବାଘକୁ ଭୟଭୀତ କରାଇବାକୁ ଚେଷ୍ଟା କରିଥିଲେ ।

ଚିତାବାଘ ଭୟଭୀତ ହୋଇ ରାହୁଲକୁ ଛାଡିଦେବା ପରେ କିରନ ପୁଅ ରାହୁଲକୁ ଜାବୁଡି ଧରିଥିଲେ । ହେଲେ ପର ମୁହୁତ୍ତ୍ୱର୍ରେ ଚିତାବାଘ ପୁଣିଥରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ହେଲେ କିରନ କୌଣସି ମତେ ନିଜ ଛୁଆକୁ ହାତଛଡା କରିନଥିଲେ । ସେହି ସମୟରେ କିରନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଜଙ୍ଗଲରେ ପହଂଚିବା ପରେ ଚିତାବାଘ ଚମ୍ପଟ୍ ମାରିଥିଲା ।

ରାହୁଲର ଆଖି, ପିଠି ଓ ଗାଲରେ ଆଘାତ ଲାଗିଥିଲାବେଳେ କିରନ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ସ୍ଥାନୀୟ ବନ ବିଭାଗ ରେଂଜର ଅସିମ ଭୁରିୟା ଦୁହିଁଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ଘଟଣାକୁ ନେଇ ଉଭୟ ବନବିଭାଗ କର୍ମଚାରୀ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କିରନଙ୍କ ସାହାସିକତାକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.