Latest Odisha News

ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ଲାଗୁ ହେଲା ୧୪୪ ଧାରା

ବଲାଙ୍ଗୀର: ବଙ୍ଗୋମୁଣ୍ଡାରେ ଲାଗୁ ହେଲା ୧୪୪ ଧାରା। ପାଟଖଣ୍ଡା ଯାତ୍ରା ପାଇଁ ସହରରେ କଟକଣା ଲାଗୁ କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ବ‌ଙ୍ଗୋମୁଣ୍ଡାରେ ପ୍ରଶାସନ ୧୪୪ ଧାରା ଜାରି କରିଛି। ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୨୬ ମଧ୍ୟରାତ୍ରି ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି। ଟିଟିଲାଗଡ଼ ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ସୂଚନାନୁସାରେ, ବାଙ୍ଗୋମୁଣ୍ଡା ଗାଁର ଲୋକମାନେ ଦୁଇ ଦିନ ପୂର୍ବରୁ ଛତ୍ର ଯାତ୍ରାରେ ଭାଗ ନେଇଥିଲେ। ଏହି ଉତ୍ସବରେ ଆଦିବାସୀ ସମେତ ପଡୋଶୀ ଗାଁର ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଉତ୍ସବ ସମୟରେ କିଛି ଲୋକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଦିବାସୀ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ। ବଙ୍ଗୋମୁଣ୍ଡାର ଦଳିତ ଗୋଷ୍ଠୀର ଯୁବକ ମାନେ ଜମିଦାରପଡାକୁ ଆସି ବିଭିନ୍ନ ଭାଷାରେ ଗାଳି ଗୁଲଜ କରିବା ସହ ଆଦିବାସୀ ଗୋଷ୍ଠୀର ୫ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫ ଆଦିବାସୀ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଏହା ପରେ ଆଦିବାସୀ ସମାଜର ସଦସ୍ୟମାନେ ବଙ୍ଗୋମୁଣ୍ଡା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଥିଲେ। ଦୁଇ ଦିନ ଧରି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ନଥିବାରୁ ଆଦିବାସୀମାନେ ମହିଳାଙ୍କ ସମେତ ଅନ୍ୟ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଯାଇ ମଙ୍ଗଳବାର ଥାନା ଘେରାଉ କରିଥିଲେ। ବଙ୍ଗୋମୁଣ୍ଡା ଗାଁରେ ଉତ୍ତେଜନା ଥିବାରୁ ସବୁ ଛକ ଓ ଗଳି କନ୍ଦିରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୁରିବାହାଲ, ତୁରେକେଲା, ବଙ୍ଗୋମୁଣ୍ଡା, ସିନ୍ଧେକେଲା ଥାନାର କର୍ମଚାରୀ, କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ, ଅତିରିକ୍ତ ଏସପି ସୁରେଶ ନାଏକ ପ୍ରମୁଖ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.