Latest Odisha News

BREAKING NEWS

ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସ୍କୁଲ ପ୍ରବେଶ ମନା, ହିନ୍ଦୁ ଓ ମୁସଲମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତେଜନା

ଅଗରତାଲା: ପୁଣି ହିଜାବକୁ ନେଇ ହିନ୍ଦୁ ଓ ମୁସଲମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଖାଦେଇଛି ବିଭାଜନ। ଶୁକ୍ରବାର ତ୍ରିପୁରାର କୋରୋଇମୁରା ଉଚ୍ଚ ମାଧ୍ୟମିକ ସ୍କୁଲରେ ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନଙ୍କୁ ପ୍ରବେଶ ଅନୁମତି ନ ମିଳିବାରୁ ଆରମ୍ଭ ହୋଇଥିଲା ଉତ୍ତେଜନା। ହିଜାବ ପିନ୍ଧିଥିବା ଛାତ୍ରୀମାନଙ୍କ ପ୍ରବେଶକୁ ପ୍ରତିବାଦ କରି ସ୍କୁଲର କିଛି ଛାତ୍ର ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା କରିଥିଲେ।

ଏହା ପରେ ଉତ୍ତ୍ୟକ୍ତ ଲୋକେ ଶନିବାର ସ୍କୁଲ ବାହାରେ ଏକାଠି ହେବା ସହ ଭଙ୍ଗାରୁଜାରେ ସାମିଲ ହୋଇଥିବା ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମାରିଥିଲେ। ଛାତ୍ରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ ଏଆଇଜି କହିଛନ୍ତି। ଏହି ଘଟଣାଟି ସ୍ଥାନୀୟ ଲୋକଙ୍କୁ କ୍ରୋଧିତ କରିଥିଲା। ଫଳରେ ଲୋକେ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଥିଲେ। କୁହାଯାଉଛି ଯେ ଆକ୍ରମଣକାରୀମାନେ ବାହାର ଲୋକ ଥିଲେ ଏବଂ ବିଦ୍ୟାଳୟ ସହିତ କୌଣସି ପ୍ରକାରେ ସମ୍ପର୍କ ନଥିଲା। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ପୋଲିସ କହିଛି।

ଏହି ଘଟଣା ପରେ ସିପାହିଜଲା ଜିଲ୍ଲାର ବିଶାଲଗଡ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍କୁଲ ଅଧିକାରୀଙ୍କ କହିବାନୁସାରେ, ଏକ ସପ୍ତାହ ପୂର୍ବରୁ ପୂର୍ବତନ ଛାତ୍ରମାନଙ୍କର ଏକ ଦଳ, ଏକ ବାମପନ୍ଥୀ ସଂଗଠନ ସହିତ ଜଡିତ ଥିବା ଦାବି କରି ବିଦ୍ୟାଳୟକୁ ଆସି ମୁସଲମାନ ଛାତ୍ରୀମାନଙ୍କୁ ସ୍କୁଲ ପରିସରରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯିବା ନାହିଁ କହି ଉତ୍ତେଜନା ସୃଷ୍ଟି କରିଥିଲେ। ଏହାକୁ ନେଇ ପ୍ରତିବାଦ ପରେ ଭୟଙ୍କର ରୂପ ନେଇଥିଲା।

Leave A Reply

Your email address will not be published.