Latest Odisha News

BREAKING NEWS

ହିଟ୍ ଆଣ୍ଡ ରନ୍ ଆଇନ ଉପରେ ସରକାରଙ୍କ ପ୍ରତିଶ୍ରୁତି ପରେ ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ ଶେଷ!

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ସଙ୍କଟ ସୃଷ୍ଟି କରିବାର ସମ୍ଭାବନା ଥିବାରୁ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏଟିସି) ସହ ବୈଠକ ପରେ ଗୃହ ମନ୍ତ୍ରଣାଳୟ ଟ୍ରକ୍ ଚାଳକମାନଙ୍କୁ ଧର୍ମଘଟ ଶେଷ କରିବାକୁ ନିବେଦନ କରିଛି। ବୁଧବାରଠାରୁ ଟ୍ରକ୍ ଚାଳକମାନେ ରାସ୍ତାକୁ ଓହ୍ଲାଇବାର ଆଶା କରାଯାଉଥିଲା। ଏହାପୂର୍ବରୁ ଧର୍ମଘଟ ଶେଷ କରିବାକୁ କୁହିଛନ୍ତି ସରକାର।

ଧର୍ମଘଟ ଘଟାଇଥିବା ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ବ୍ୟବସ୍ଥା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଗୃହ ସଚିବ ଅଜୟ ଭଲ୍ଲା ଏଆଇଏମଟିସିକୁ ସୁନିଶ୍ଚିତ କରିଛନ୍ତି ଯେ ସେମାନେ ଆଇନର ଧାରା ୧୦୬(୨) ଲାଗୁ କରିବା ପୂର୍ବରୁ ସେମାନଙ୍କ ସହ ପରାମର୍ଶ କରିବେ।

ଏଆଇଏମଟିସିର କୋର କମିଟି ଅଧ୍ୟକ୍ଷ ବାଲ ମଲକିତ ସିଂହ ବୈଠକର ଫଳାଫଳରେ ସନ୍ତୋଷ ବ୍ୟକ୍ତ କରିବା ସହ ବୁଧବାରଠାରୁ ଡ୍ରାଇଭରମାନେ କାମକୁ ଫେରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଗୃହ ସଚିବ ଡ୍ରାଇଭରମାନଙ୍କ ଚିନ୍ତାକୁ ଗୁରୁତ୍ୱ ଦେଇ ଫଳପ୍ରଦ ଆଲୋଚନା କରିଥିଲେ।

ସୋମବାର ଓ ମଙ୍ଗଳବାର ଅନେକ ଟ୍ରକ୍ ଡ୍ରାଇଭର ଓ ପରିବହନକାରୀ ବିଏନଏସରେ ଏହି ବ୍ୟବସ୍ଥାକୁ ବିରୋଧ କରିଥିଲେ, ଯେଉଁଥିରେ ଦୁର୍ଘଟଣା ବିଷୟରେ ପୋଲିସକୁ ସୂଚନା ନଦେବାରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ଜରିମାନା ହୋଇପାରେ । ଗତ ମାସରେ ସଂସଦରେ ଅନୁମୋଦନ ପାଇଥିବା ବିଏନଏସରେ ଦୁର୍ଘଟଣା ଘଟିବା ପରେ ପୋଲିସ କିମ୍ବା ମାଜିଷ୍ଟ୍ରେଟଙ୍କୁ ରିପୋର୍ଟ କରୁଥିବା ବ୍ୟକ୍ତିଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।

ଟ୍ରକ୍ ଡ୍ରାଇଭରମାନେ ଆଶଙ୍କା କରୁଛନ୍ତି ଯେ ସେମାନେ ନୂଆ ଆଇନ ଦ୍ୱାରା ଅଧିକ ପ୍ରଭାବିତ ହେବେ କାରଣ ବର୍ତ୍ତମାନର ଆଇନ ଅନୁଯାୟୀ, ଏଭଳି ଅପରାଧ ପାଇଁ ସେମାନଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ଜରିମାନା ଦେବାକୁ ପଡ଼ିବ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ବ୍ୟବସ୍ଥା କେବଳ ଟ୍ରକ୍ କିମ୍ବା ବସ୍ ନୁହେଁ, ଯେକୌଣସି ଯାନ ସହିତ ଜଡ଼ିତ ସମସ୍ତ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଲାଗୁ ହେବ। ଗୃହ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ୨୦୨୨ରେ ହିଟ୍ ଆଣ୍ଡ ରନ୍ ମାମଲାରେ ଭାରତୀୟ ସଡ଼କରେ ପ୍ରାୟ ୫୧,୦୦୦ ମୃତ୍ୟୁ ଘଟିଛି, ଯାହା କି ମୋଟ ମୃତ୍ୟୁର ପ୍ରାୟ ୩୦% ଅର୍ଥାତ୍ ୧.୭ ଲକ୍ଷରୁ ଅଧିକ।

ଟ୍ରକ୍ ଚାଳକମାନେ ଯୁକ୍ତି ବାଢ଼ିଛନ୍ତି ଯେ ପୁଲିସ ଏହି ଘଟଣାର ଅଧିକ ତଦନ୍ତ ନକରି ଅଭ୍ୟାସଗତ ଭାବେ ବଡ଼ ଗାଡ଼ି ବିରୋଧରେ ମାମଲା ରୁଜୁ କରୁଥିବାରୁ ସେମାନେ ଅନେକ ସମୟରେ ଆଇନର ଜାଲରେ ଫସିଯାଉଛନ୍ତି। ସେମାନେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଟ୍ରକ୍ ଡ୍ରାଇଭରମାନେ ଭିଡ଼ ହିଂସାର ଶିକାର ହେବା ଭୟରେ ଦୁର୍ଘଟଣାସ୍ଥଳରୁ ପଳାଇ ଯାଆନ୍ତି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଟ୍ରକ୍ ଚାଳକମାନେ ଦୁର୍ଘଟଣା ସ୍ଥଳରେ ରହିବା ଉଚିତ ଏବଂ ଫୋନ୍ କଲ୍ ମାଧ୍ୟମରେ ମଧ୍ୟ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷଙ୍କୁ ଘଟଣା ବାବଦରେ ଜଣାଇପାରିବେ।

Leave A Reply

Your email address will not be published.