Latest Odisha News

BREAKING NEWS

ଜୁଲାଇ ୪ରେ ବ୍ରିଟେନରେ ହେବ ସାଧାରଣ ନିର୍ବାଚନ, ଘୋଷଣା କଲେ ଋଷି ସୁନାକ

ନୂଆଦିଲ୍ଲୀ: ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ବୁଧବାର ରାତିରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବ୍ରିଟେନ ନିଜର ଭବିଷ୍ୟତ ବାଛିବା ପାଇଁ ସମୟ ଆସିଛି। ରାଜା ଚାର୍ଲ୍ସ ତୃତୀୟଙ୍କୁ ନିର୍ବାଚନ ସମୟସୀମା ବିଷୟରେ ଅବଗତ କରାଯିବା ପରେ ସଂସଦ ଶୀଘ୍ର ଭାଙ୍ଗିବ। ଏହା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।

ପ୍ରଧାନମନ୍ତ୍ରୀ ଭାବରେ ଋଷି ସୁନାକ ନିର୍ବାଚନରେ ​​ପ୍ରଥମଥର ପାଇଁ ଭୋଟରଙ୍କ ନିକଟକୁ ଯିବେ। ୨୦୨୨ରେ ନିର୍ବାଚନ ପୂର୍ବରୁ ଶାସକ କନେଷ୍ଟବଳ ପାର୍ଟି ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିନଥିଲେ। ନିର୍ବାଚନ ପରେ ଦଳର ସଂସଦୀୟ ଦଳ ସୁନାକଙ୍କୁ ଏହାର ନେତା ଭାବରେ ମନୋନୀତ କରିଥିଲେ। ସୁନାକ ପ୍ରାୟ ୨୦୦ ସାଂସଦଙ୍କ ସମର୍ଥନ ପାଇଲେ, ଯାହା ପରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏନେଇ ସୁନାକ କହିଛନ୍ତି ଗତ ପାଞ୍ଚ ବର୍ଷ ଦେଶ ପାଇଁ ସବୁଠାରୁ ଆହ୍ବାନପୂର୍ଣ୍ଣ ଥିଲା। ଆଗାମୀ ଦିନରେ ମୁଁ ତୁମର ପ୍ରତ୍ୟେକ ଭୋଟ ପାଇଁ ଲଢିବି। ଆମର ଏକ ସ୍ପଷ୍ଟ ଯୋଜନା ଅଛି। ସୂଚନା ଥାଉକି ଏହି ଘୋଷଣା ପୂର୍ବରୁ ଗୋଟିଏ ପରେ ଗୋଟିଏ ବ୍ରିଟିଶ କ୍ୟାବିନେଟ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଆସନ୍ତା ସପ୍ତାହରେ ସଂସଦ ଭଙ୍ଗ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।

୪୪ ବର୍ଷିୟ ଋଷି ସୁନାକ ହେଉଛନ୍ତି ବ୍ରିଟେନର ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ସେ ଅକ୍ଟୋବର ୨୦୨୨ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଜାନୁଆରୀ ୨୦୨୫ରେ ଏଠାରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ଥିଲା। ଡିସେମ୍ବର ପର୍ଯ୍ୟନ୍ତ ସୁନାକଙ୍କୁ ନିର୍ବାଚନ ଘୋଷଣା କରିବାକୁ ସମୟ ଦିଆଯାଇଥିଲା, କିନ୍ତୁ ସେ ଏହାକୁ ୭ମାସ ପୂର୍ବରୁ ଘୋଷଣା କରିଥିଲେ। ୨୦୨୨ରେ ଫିକ୍ସଡ ଟର୍ମ ନିର୍ବାଚନ ଆଇନ ରଦ୍ଦ ହେବା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ନିର୍ବାଚନ ତାରିଖ ସ୍ଥିର କରିବାର ଅଧିକାର ପାଇଲେ। ତାଙ୍କ ଦଳ ପାଇଁ ସବୁଠାରୁ ଲାଭଦାୟକ ସମୟକୁ ବିଚାର କରି ପ୍ରଧାନମନ୍ତ୍ରୀ ନିର୍ବାଚନ ତାରିଖ ସ୍ଥିର କରନ୍ତି।

ସୂଚନା ଥାଉକି ସଂସଦର ପ୍ରଥମ ଅଧିବେଶନର ପଞ୍ଚମ ବାର୍ଷିକୀ ପରେ ହିଁ ସଂସଦ ଭଙ୍ଗ ହୋଇଥାଏ। ବର୍ତ୍ତମାନର ସଂସଦର ବାର୍ଷିକୀ ୧୭ ଡିସେମ୍ବର ୨୦୨୪ରେ ଅନୁଷ୍ଠିତ ହେବାର ଥିଲା । ସଂସଦ ଭଙ୍ଗ ହେବା ପରେ ନିର୍ବାଚନ ପ୍ରସ୍ତୁତି ପାଇଁ ୨୫ ଟି କାର୍ଯ୍ୟ ଦିବସ ଦିଆଯାଇଥାଏ । ଯଦି ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଏ, ତେବେ ୨୦୨୫ ଜାନୁଆରି ୨୮ ପୂର୍ବରୁ ବ୍ରିଟେନରେ ନିର୍ବାଚନ ହୋଇଥାନ୍ତା।

Leave A Reply

Your email address will not be published.