Latest Odisha News

BREAKING NEWS

ସବୁଠୁ ବଡ କାଞ୍ଜି ବରା: ଯାହାର ଓଜନ ୫ କିଲୋ, ଚଉଡ଼ା ଅଢେଇ ଫୁଟ୍

ରାଜସ୍ଥାନ: ରାଜସ୍ଥାନର ବିକାନେର୍ ସହର ହେଉଛି ଖାଦ୍ୟପ୍ରେମୀଙ୍କ ସହର ଭାବେ ପରିଚିତ । ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ଏଠାକାର ଲୋକମାନେ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ସାରା ବିଶ୍ୱରେ ପ୍ରସିଦ୍ଧ ହେବା ସହ ଅନେକ ରେକର୍ଡ ମଧ୍ୟ କରିଛନ୍ତି । ଏବେ ସେ ଏକ ବୃହତ୍ତକାୟ଼ କାଞ୍ଜି ବରା ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛନ୍ତି ।

ବିକାନେରର ବାସିନ୍ଦା ଧର୍ମେନ୍ଦ୍ର ଅଗ୍ରୱାଲ । ସେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବାକୁ ପ୍ରସନ୍ଦ କରନ୍ତି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ରେକର୍ଡ଼ ବି କରିଛନ୍ତି । ଆଉ ତାଙ୍କ ଖାଦ୍ୟ ଶୈଳୀ ଓ ପ୍ରସ୍ତୁତ ଖାଦ୍ୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେଥିଲାଗି ସେ ସାରା ବିଶ୍ୱରେ ବେଶ୍ ପ୍ରସିଦ୍ଧ । ଏବେ ସେ ସବୁଠୁ ବଡ଼ କାଞ୍ଜି ବରା ପ୍ରସ୍ତୁତ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି କାଞ୍ଜି ବରାର ଚଉଡ଼ା ଅଢେଇ ଫୁଟ ଥିବା ବେଳେ ଓଜନ ପାଞ୍ଚ କିଲୋ ରହିଛି । ଏହା ବିଶ୍ୱର ସର୍ବବୃହତ କାଞ୍ଜି ବରା ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ଯେ, କାଞ୍ଜି ବରା ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଲୋକମାନେ ଏହାକୁ ମୋମୋ ଏବଂ ଚାଉମିନ୍ ବଦଳରେ ଖାଇପାରିବେ । ଏହା ଶରୀର ପାଇଁ ଲାଭଦାୟକ ଅଟେ । ଏହା ପେଟ ଜନିତ ସମସ୍ୟାକୁ ମଧ୍ୟ ଭଲ କରିଥାଏ । ଅନେକ ଦିନ ହେଲାଣି କାଞ୍ଜି ବରା ତିଆରି କରିବାକୁ ଚିନ୍ତା କରୁଥିଲି । ଏବେ ପ୍ରସ୍ତୁତ କରିଛି । ଏହାକୁ ସେ ଲୋକଙ୍କୁ ମାଗଣାରେ ବଣ୍ଟନ କରିବେ । ଏହା ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ରହିପାରିବ । ଏହାକୁ ତିଆରି କରିବାକୁ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏଥିରେ ତାଙ୍କ ପୁଅ ଲୁଭ ଅଗ୍ରୱାଲ ସାହାଯ୍ୟ କରିଥିଲେ । ଅଢେଇ କିଲୋଗ୍ରାମ ମୁଗ୍‌ଡାଲିରୁ ଏହା ତିଆରି କରାଯାଇଥିଲା । ଏହା ସହିତ ଲଙ୍କାଗୁଣ୍ଡ, ଲୁଣ, ପାନମଧୁରୀ,ହିଙ୍ଗୁ, ସୋରିଷ ଆଦି ମିଶାଯାଇ ପ୍ରସ୍ତୁତ କରାଯାଇଥିଲା ।

ଏହା ପୂର୍ବରୁ ଧର୍ମେନ୍ଦ୍ର ୧୫୧ ପ୍ରକାରର ଗୁପ୍‌ଚୁପ୍‌, ୫୬ ପ୍ରକାରର କାଞ୍ଜି ବରା, ୧୨୧ ପ୍ରକାର ଦହିବରା, ୨୨ କିଲୋଗ୍ରାମ କଚୁଡ଼ି, ୧୫ କିଲୋଗ୍ରାମ ସିଙ୍ଗଡ଼ା, ୨୯ କିଲୋଗ୍ରାମ ମୋମୋ ଆଦି ତିଆରି କରି ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.