Latest Odisha News

BREAKING NEWS

କଂଗ୍ରେସର କର୍ଣ୍ଣାଟକ ଫଣ୍ଡା ମଧ୍ୟପ୍ରଦେଶରେ ଆପଣାଉଛି ବିଜେପି!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ରାଜନୈତିକ ଲଢେଇ ଚରମ ସୀମାରେ ପହଞ୍ଚିଛି। କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଢିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। କର୍ଣ୍ଣାଟକ ଢାଞ୍ଚାରେ ରାଜ୍ୟରେ ମାହୋଲ ତିଆରି କରିବା ସହ ରାଜ୍ୟବାସୀଙ୍କୁ ୫ ଟି ଗ୍ୟାରେଣ୍ଟି ଦିଆଯାଇଛି।

ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କ ବିରୋଧରେ ବିବାଦୀୟ ପୋଷ୍ଟର ଦେଖିବାକୁ ମିଳିଛି। ୱାଣ୍ଟେଡ କମିଶନ ନାଥ ଲେଖା ସହ କମଲନାଥଙ୍କ ଫଟୋ ଥିବା ପୋଷ୍ଟର ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି।

ଏହି ପୋଷ୍ଟରକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ଏହା ବିଜେପିର ଘୃଣ୍ୟ ରାଜନୀତି ବୋଲି କହିଛି ଦଳ। କିନ୍ତୁ ସେପଟେ ଏହି ପୋଷ୍ଟର ସହିତ ବିଜେପିର କିଛି ଭୂମିକା ନାହିଁ ବରଂ ଏହା କଂଗ୍ରେସର ଅନ୍ତଃକନ୍ଦଳର ପ୍ରତିଫଳନ ବୋଲି କୁହାଯାଇଛି।

ଏହି ପୋଷ୍ଟର ଦ୍ୱାରା କମଲନାଥଙ୍କୁ ଦୁର୍ନୀତିଗ୍ରସ୍ତ ଦର୍ଶାଯିବା ସହ କ୍ୟୁଆର କୋଡ଼ ଦିଆଯାଇଛି। ସେଥିରେ କୃଷି ଋଣ ଛାଡ ସ୍କାମରେ ୨୫ ହଜାର କୋଟି, ୩୫୦ କୋଟିର ସିଡି ସ୍କାମ, ୧୯୬୩ କୋଟିର ମୋବାଇଲ ସ୍କାମ ଭଳି ବହୁ ସ୍କାମକୁ ଦର୍ଶାଯାଇଛି।

କମଲନାଥ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏସବୁ ସ୍କାମ ସମ୍ପର୍କରେ ଅଭିଯୋଗ ହେଉଥିଲା। ବିଜେପି ମଧ୍ୟ ପୂର୍ବରୁ ଏ ପ୍ରସଙ୍ଗ ଉଠାଉଥିଲା। କିନ୍ତୁ କମଲନାଥ ନିଜ ରାଜନୈତିକ କ୍ୟାରିଅରର ସ୍ଵଛତା କଥା କହିବା ସହ ଏଭଳି କରି ବିଜେପି ତାଙ୍କୁ ନିନ୍ଦିତ କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି।

ସେପଟେ ରାଜ୍ୟରେ ଶାସନରେ ଥିବା ବିଜେପିର ନେତାମାନେ ଦୁର୍ନୀତିରେ ବୁଡି ରହିଥିବା କମଲନାଥ ଅଭିଯୋଗ କରିଛନ୍ତି। ଏସବୁ ଭିତରେ ମଧ୍ୟପ୍ରଦେଶ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିବା ବେଳେ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ପେ ସିଏମ କ୍ରାଏ ପିଏମ କ୍ୟାମ୍ପେନକୁ ନେଇ ଚର୍ଚ୍ଚା ଉଜ୍ଜୀବିତ ହୋଇଛି।

କର୍ଣ୍ଣାଟକ ନିର୍ବାଚନ ବେଳେ କର୍ଣ୍ଣାଟକର ପୂର୍ବ ବିଜେପି ସରକାର ବିରୋଧରେ ଏଭଳି ସ୍କାନର ଭଳି ପୋଷ୍ଟର ପ୍ରସ୍ତୁତ କରାଯାଇ ସାମାଜିକ ଗଣମାଧ୍ୟମରେ ଜୋରଦାର ପ୍ରଚାର କରାଯାଇଥିଲା।

ଯାହାକି କଂଗ୍ରେସକୁ କର୍ଣ୍ଣାଟକରେ ସଫଳତା ଦେବାର ଏକ ପ୍ରମୁଖ କାରଣ ବୋଲି ମଧ୍ୟ କୁହାଯାଏ। ତେଣୁ ଏବେ ମଧ୍ୟପ୍ରଦେଶରେ କଂଗ୍ରେସ ବିରୋଧରେ ଏଭଳି ଫଣ୍ଡା ଆପଣା ଯାଇଥିବାରୁ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.