Latest Odisha News

କୋଭିଡ୍ ଟିକାକରଣରେ ଓଡ଼ିଶାକୁ ସଫଳତା, ଦିନକରେ ଟିକା ନେଲେ ଲକ୍ଷେରୁ ଅଧିକ ବୟସ୍କ

ଭୁବନେଶ୍ୱର: କୋଭିଡ୍ ମୁକାବିଲା ଭଳି କୋଭିଡ୍ ଟିକାକରଣରେ ସଫଳତାର ସିଡ଼ି ଚଢ଼ୁଛି ଓଡ଼ିଶା । ଗତ ସପ୍ତାହରେ ଦୈନିକ ୧ ଲକ୍ଷ ବୟସ୍କଙ୍କୁ କୋଭିଡ୍ ଟିକା ଦେବା ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଆଜି ତାହା ପୂରା ହୋଇଛି । ସୋମବାର ସନ୍ଧ୍ୟା ୬ଟା ସୁଦ୍ଧାର ରାଜ୍ୟରେ ମୋଟ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ କରୋନା ଟିକା ଦିଆଯାଇଛି । ସେଥିମଧ୍ୟରେ ୧ ଲକ୍ଷ ୨୭୩ ଜଣ ବୟସ୍କ ନାଗରିକ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ରାଜ୍ୟର ୯୨୭ଟି ସାଇଟରେ ଟିକା ଦିଆଯାଇଥିଲା । ସେଥିମଧ୍ୟରୁ ୪୬ଟି କେନ୍ଦ୍ରରେ କୋଭାକ୍ସିନ୍ ଟିକା ଦିଆଯାଇଛି । ଆଜି ମୋଟ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଥିବା ବେଳେ ୫୮୨ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୪ ହଜାର ୭୩୮ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍, ୮୧୭ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍, ୧୫ ହଜାର ୧୬୨ ଜଣ ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ସୋମବାର ୪୫ରୁ ୫୯ ବର୍ଷ ବୟସ୍କ ଗମ୍ଭୀର ରୋଗରେ ଆକ୍ରାନ୍ତ ୪ ହଜାର ୬୯୭ ଜଣ କୋଭିଡ୍ ଟିକା ନେଇଛନ୍ତି । ସେହିଭଲି ୬୦ ବର୍ଷରୁ ଅଧିକ ୯୫ ହଜାର ୫୭୬ ଜଣଙ୍କୁ ଆଜି କୋଭିଡ୍ ଟିକା ଦିଆଯାଇଛି । ତେବେ କାହାରି ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ । ଏଯାବତ୍ ରାଜ୍ୟରେ ମୋଟ ୧୨ ଲକ୍ଷ ୮୧ ହଜାର ୩୬୨ ଜଣଙ୍କୁ କରୋନା ଚିକା ଦିଆଯାଇଛି ।

ଦୈନିକ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାକରଣ ଲକ୍ଷ୍ୟ ପୂରଣ ହେବା ନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ବିଭାଗୀୟ ନିର୍ଦ୍ଦେଶକ, ଜିଲ୍ଲାପାଳ, ମହାନଗର ନିଗମ କମିଶନର, ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଟିକାକରଣ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.