Latest Odisha News

BREAKING NEWS

ପରଲୋକରେ ଓଲିଉଡର ଭେଟେରାନ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ପରଲୋକରେ ଓଲିଉଡର ପ୍ରଥମ ଆକ୍ସନ ହିରୋ ତଥା ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ ସେ ଗୁରୁତର ହୋଇପଡିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଚଳଚ୍ଚିତ୍ର ‘ନାଗଫାଶ’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ବିଜୟ ମହାନ୍ତି । ପରବର୍ତ୍ତୀ ସମୟରେ ‘ଚିଲିକା ତୀରେ’, ‘ଛମାଣ ଆଠଗୁଣ୍ଠ’, ‘କାବେରୀ’, ‘ଡୋରା’, ‘କୋଟିଏ ମଣିଷ ଗୋଟିଏ ଜଗା’, ‘ପୁଅ ମୋର କଳାଠାକୁର’, ‘ଯାହାକୁ ରଖିବେ ଅନନ୍ତ’, ‘କି ହେବ ଶୁଆ ପୋଷିଲେ’, ‘ଆରତୀ’, ‘ସ୍ୱପ୍ନ ସାଗର’, ‘ଦଣ୍ଡା ବାଳୁଙ୍ଗା’, ‘ଜଗା ହାତରେ ପଘା’, ‘ହାକିମ ବାବୁ’, ‘ମମତା ମାଗେ ମୂଲ’, ‘ଚକା ଭଉଁରୀ’, ‘ବାସନ୍ତୀ ଅପା’, ‘ଏଇ ତ ଦୁନିଆ’, ‘ତୁଣ୍ଡ ବାଇଦ’, ‘ସୁନା ଚଢେଇ’, ‘ପଞ୍ଜୁରୀ ଭିତରେ ଶାରୀ’, ‘ନାଗ ପଞ୍ଚମୀ’, ‘ଭୀଷ୍ମ ପ୍ରତିଜ୍ଞା’, ‘ସୁନା ପଞ୍ଜୁରୀ’, ‘ବୋଉ’ ଭଳି ଶତାଧିକ ଚଳଚ୍ଚିତ୍ରରେ ନିଜ ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ମୋହିପାରିଥିଲେ ।

ସେ ନାୟକରୁ ଖଳନାୟକ ତ କେତେବେଳେ ହାସ୍ୟ ଅଭିନେତା ଭାବେ ଓଡିଆ ଚଳଚ୍ଚିତ୍ରରେ ନିଜର କଳା ନିପୁଣତା ଦେଖାଇ ପାରିଥିଲେ । ପରବର୍ତ୍ତୀ ସମୟରେ ଓଡିଆ ସିନେ ଜଗତର ବାପା ହିସାବରେ ବି ଦର୍ଶକ ବେଶ୍ ପସନ୍ଦ କରିଥିଲେ । ତାଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ‘ଭୁଲି ହୁଏନା’ ମୁକ୍ତିଲାଭ କରିଥିଲା ।

ତାଙ୍କ ଅଭିନୟ ପାଇଁ ସେ ଚଳଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ତାଙ୍କ ଶେଷ ଦର୍ଶନ ପାଇଁ ହସ୍ପିଟାଲରେ ସିନେ ଜଗତର ଅନେକ ଅଭି୍‌ନେତା ଅଭିନେତ୍ରୀ ପହଞ୍ଚିଛନ୍ତି ।

Leave A Reply

Your email address will not be published.