Latest Odisha News

BREAKING NEWS

ହ୍ୱାଟ୍ସଆପ୍‌ରେ ଘୂରି ବୁଲିଲା ଇଂରାଜୀ ପ୍ରଶ୍ନପତ୍ର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି, ପରୀକ୍ଷା ଘୁଞ୍ଚିଲା

କୋରାପୁଟ: ଜୟପୁର ସ୍ଥିତ ପ୍ରତିଷ୍ଠିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ହେବା ଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାରର ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍‌ ରେ ଘୂରି ବୁଲିବା ପରେ କର୍ତ୍ତୃପକ୍ଷ ତୁରନ୍ତ ଏହାକୁ ବାତିଲ କରିଦେଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିଶ୍ୱବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୫୨ଟି ପରୀକ୍ଷା କେନ୍ଦ୍ରରେ ‘ଆବିଲିଟି ଏନହାନ୍ସମେଣ୍ଟ୍ କୋର୍ସ’ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା । ଏହି ପରୀକ୍ଷା ସମସ୍ତ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଥିଲା । ତେବେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ କିଛି ଛାତ୍ରଛାତ୍ରୀ ଆସି ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନଙ୍କୁ ଭେଟିଥିଲେ। ହ୍ୱାଟ୍ସଆପ୍ ମାଧ୍ୟମରେ କିଛି ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ନେଇ ସେମାନେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ୪ ରୁ ୫ଟି ଅଲଗା ଅଲଗା ପ୍ରଶ୍ନପତ୍ର ଦେଖାଇଥିଲେ ।

ଏହାପରେ ପରୀକ୍ଷା ନିୟନ୍ତ୍ରକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉକ୍ତ ପ୍ରଶ୍ନପତ୍ର ଗୁଡ଼ିକୁ ଯାଞ୍ଚ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ, ଛାତ୍ରଛାତ୍ରୀମାନେ ଦେଖାଇଥିବା ପ୍ରଶ୍ନପତ୍ର ମଧ୍ୟରୁ ଗୋଟିଏ ପ୍ରଶ୍ନପତ୍ର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମୂଳ ପ୍ରଶ୍ନପତ୍ର ସହ ସମ୍ପୂର୍ଣ୍ଣ ମେଳ ଖାଇଥିଲା । ପ୍ରଶ୍ନପତ୍ର ସତରେ ଲିକ୍ ହୋଇଥିବା ସ୍ପଷ୍ଟ ହେବା ମାତ୍ରେ, କର୍ତ୍ତୃପକ୍ଷ କୌଣସି ବିଳମ୍ବ ନକରି ତୁରନ୍ତ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସମସ୍ତ ୫୨ଟି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକମାନଙ୍କୁ ଏ ନେଇ ତୁରନ୍ତ ଜରୁରୀ ସୂଚନା ଦିଆଯାଇଥିଲା ।

ଏହି ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତାର ସହ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୋରାପୁଟ ସାଇବର ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି । କେଉଁ ପରିସ୍ଥିତିରେ, କିପରି ଏବଂ କେଉଁମାନଙ୍କ ଦ୍ୱାରା ଏହି ଗୋପନୀୟ ପ୍ରଶ୍ନପତ୍ର ହ୍ୱାଟ୍ସଆପକୁ ଆସିଲା, ସେ ନେଇ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ପରୀକ୍ଷା ନିୟନ୍ତ୍ରକ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ଘଟଣା ପଛରେ କିଛି ଅସାମାଜିକ ବ୍ୟକ୍ତିଙ୍କ ହାତ ଥାଇପାରେ ଏବଂ ଛାତ୍ରଛାତ୍ରୀଙ୍କୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଏଭଳି ଉଦ୍ୟମ କରାଯାଇଥାଇପାରେ। ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ।

ଅନ୍ୟପକ୍ଷରେ, ଛାତ୍ରଛାତ୍ରୀମାନେ ହ୍ୱାଟ୍ସଆପ୍‌ରେ ଆସୁଥିବା କୌଣସି ପ୍ରକାରର ଗୁଜବ ବା ଅସତ୍ୟ ବାର୍ତ୍ତା ଉପରେ ବିଶ୍ୱାସ ନକରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି । କେବଳ ବିଶ୍ୱବିଦ୍ୟାଳୟର ଆଧିକାରିକ ୱେବସାଇଟ୍ ଓ ବିଜ୍ଞପ୍ତିକୁ ଅନୁସରଣ କରିବାକୁ କୁହାଯାଇଛି । ସ୍ଥଗିତ ହୋଇଥିବା ଇଂରାଜୀ ପରୀକ୍ଷା ପାଇଁ ଏକ ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ଏବଂ ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଓ ସମୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.