Latest Odisha News

ହିଂସାର ସବୁ ସୀମା ପାର୍‌, ଗାଁର ସଭାପତିଙ୍କୁ ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା 

ଅନୁଗୁଳ : ଗାଁ ପାଇଁ ସହିଦ ହୋଇଯାଅ…ମନା କଲି ମୋ ପଛରେ ଲାଗନା…ଜାନୁଆରୀ ୨୫ ତାରିଖ ଥିଲା, ଆଜି ପୂରଣ ହେଲା….ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରିବା ପରେ ଏଭଳି କିଛି ବେନାମୀ ଚିଠିରେ ଉଲ୍ଲେଖ ରହିଥିଲା । ଯାହା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣାଟି ଅନୁଗୋଳ ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଘଟିଛି ।

ଅଭିନବ ଉପାୟରେ ହତ୍ୟାକାଣ୍ଡ ହୋଇଛି । ଶୋଇଥିବା ବେଳେ ବିଷ ଇଞ୍ଜେକସନ ଦେଇ ଗାଁ ସଭାପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ଜଣକ ହେଲେ ଗାଁର ସଭାପତି ବାଳକୃଷ୍ଣ ନାୟକ । ସେ ଗାଁର ସଭାପତି ଦାୟିତ୍ୱ ତୁଲାଉଥିଲେ ।  ସବୁଦିନ ପରି ଶନିବାର ରାତିରେ ନିଜ ଘର ଠାରୁ କିଛି ଦୂରରେ ଥିବା କୁକୁଡ଼ା ଫାର୍ମରେ ଶୋଇଥିଲେ । ବିଳମ୍ବିତ ରାତିରେ କିଛି ଦୁବୁର୍ତ୍ତ ବାଳକୃଷ୍ଣଙ୍କୁ ଧରି ଏକ ଇଞ୍ଜେକସନ ଫୋଡ଼ି ଦେଇ ପଳାଇ ଯାଇଥିଲେ । ଏହାପରେ ବିଷ ଜ୍ବାଳାରେ ଛଟପଟ ହୋଇ ବାଳକୃଷ୍ଣ ଘରକୁ ଦୌଡ଼ି ପଳାଇ ଆସି ତାଙ୍କୁ କିଛି ଫୋଡି ଦିଆଯାଇଥିବା କହିବା ସହ ବାନ୍ତି କରିଥିଲେ ।

ଏହାପରେ ସେ ଅଚେତ୍ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ପ୍ରଥମେ ଅନୁଗୁଳ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ପଠାଇ ସ୍ଥାନାନ୍ତର କରିଥିଲେ । ହେଲେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଫାର୍ମରେ ଶୋଇଥିବା ସ୍ଥାନରୁ ପରିବାର ଲୋକେ ଏକ ହାତ ଲେଖା ବେନାମୀ ଚିଠି ପାଇଥିଲେ । ଯେଉଁଥିରେ ସଭାପତି ମହୋଦୟ , ଗାଁ ପାଇଁ ସହିଦ ହୋଇଯାଅ । ମନା କଲି ମୋ ପଛରେ ଲାଗନା । ଜାନୁଆରୀ ୨୫ ତାରିଖ ଥିଲା , ଆଜି ପୁରଣ ହେଲା ବୋଲି ଲେଖା ଯାଇଥିଲା । ଏହାଛଡା ଦୁଇଟି ସିରିଞ୍ଜ ମଧ୍ୟ ସେ ଜାଗାରୁ ମିଳିଛି ।

ଏନେଇ ମୃତ ବାଳକୃଷ୍ଣଙ୍କ ପୁଅ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଏତଲା କ୍ରମେ ପୁଲିସ ସାଇଣ୍ଟିଫିକ୍ ଟିମ୍‌ ନେଇ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଛି । ତେବେ କିଏ ଓ କାହିଁକି ଏଭଳି ଅଭିନବ ଉପାୟରେ ବାଳକୃଷ୍ଣଙ୍କୁ ହତ୍ୟା କରିଛି ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave A Reply

Your email address will not be published.