ଥିରୁଅନନ୍ତପୁରମ: କେରଳ କଂଗ୍ରେସ ଭିତରେ ଏବେ ଏକ ଅଶୋଭନୀୟ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ବରିଷ୍ଠ ନେତା ସର୍ବସାଧାରଣରେ ମହିଳା ନେତ୍ରୀଙ୍କୁ ଜବରଦସ୍ତି କୁଣ୍ଢାଇବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଏହି ଘଟଣାଟି କଂଗ୍ରେସର ଏକ ସାଧାରଣ ସଭା ବେଳେ ଘଟିଛି। ଭିଡିଓରେ ଦେଖାଯାଉଛି ଯେ, ବରିଷ୍ଠ କଂଗ୍ରେସ ନେତ୍ରୀ ବିନ୍ଦୁ କ୍ରିଷ୍ଣା ମଞ୍ଚ ଉପରେ ଥିବା ବେଳେ ଜଣେ ପୁରୁଷ ନେତା ତାଙ୍କ ନିକଟକୁ ଆସୁଛନ୍ତି। କିଛି କହିବା ବାହାନାରେ ସେ ହଠାତ୍ ବିନ୍ଦୁଙ୍କୁ କୁଣ୍ଢାଇବାକୁ ବା ଆଲିଙ୍ଗନ କରିବାକୁ ଚେଷ୍ଟା କରୁଛନ୍ତି।
କିନ୍ତୁ ବିନ୍ଦୁ କ୍ରିଷ୍ଣା ଏଥିରେ ତିଳେମାତ୍ର ସଙ୍କୋଚ ନକରି ତୁରନ୍ତ ତାଙ୍କୁ ବିରୋଧ କରିଥିଲେ। ସେ ସେହି ନେତାଙ୍କୁ ହାତରେ ପଛକୁ ଠେଲି ଦେଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି। ସର୍ବସାଧାରଣରେ ଜଣେ ମହିଳା ସହକର୍ମୀଙ୍କ ସହ ଏଭଳି ବ୍ୟବହାରକୁ ନେଇ ଏବେ ସବୁଆଡ଼େ ନିନ୍ଦା କରାଯାଉଛି।
ଏହି ଭିଡିଓଟି ଭାଇରାଲ ହେବା ପରେ କେରଳ କଂଗ୍ରେସ ଏକ ଅଡ଼ୁଆ ପରିସ୍ଥିତିରେ ପଡ଼ିଯାଇଛି। ବିରୋଧୀ ଦଳମାନେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିବା ଆରମ୍ଭ କରିଦେଲେଣି। ନିଜ ଦଳର ମହିଳା ନେତ୍ରୀଙ୍କୁ ଯଦି ସମ୍ମାନ ମିଳୁନି, ତେବେ ସାଧାରଣ ମହିଳାମାନେ କେତେ ସୁରକ୍ଷିତ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପଟେ, ବିନ୍ଦୁ କ୍ରିଷ୍ଣା ଯେଭଳି ଭାବେ ମଞ୍ଚ ଉପରେ ନିଜ ସୀମା ରକ୍ଷା କରି ସେହି ନେତାଙ୍କୁ ପ୍ରତିରୋଧ କଲେ, ସେଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଅନେକ ପ୍ରଶଂସା ମଧ୍ୟ ମିଳୁଛି। ତେବେ ସମ୍ପୃକ୍ତ ନେତାଙ୍କ ବିରୋଧରେ କଂଗ୍ରେସ ନିରବ ରହିବା ଦଳକୁ ଅଡୁଆରେ ପକାଇଛି । ଅନ୍ୟପଟେ ରାଜ୍ୟରେ ଦଳ କ୍ଷମତାକୁ ଫେରିଥିବାରୁ ମହିଳାଙ୍କ ସମ୍ମାନ ପ୍ରସଙ୍ଗରେ ଏବେ କଣ ପଦକ୍ଷେପ ନେଉଛି ତାହା ଉପରେ ନଜର।
Awkward moment at the KPCC meeting in Thiruvananthapuram as senior #Kerala #Congress leader Cherian Philip allegedly attempting to hug newly elected Kollam MLA Bindu Krishna even as she appeared uncomfortable and tried to move away. #Keralam pic.twitter.com/JcQqcjsUzS
— Ashish (@KP_Aashish) May 7, 2026