Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେମିତି ଭାଇରାଲ୍ ହେଲା ନାନାବତୀ ହସ୍ପିଟାଲରେ ଅମିତାଭଙ୍କ ଭିଡିଓ ?

ଭୁବନେଶ୍ୱର: କିଛି ନୂଆ ନୁହେଁ । ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କ ଭିଡିଓ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ । ଏହି ତାଲିକାରେ ସାମିଲ ହୋଇଛି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ଭିଡିଓ । କରୋନା ରିପୋର୍ଟ ପଜିଟିଭ ବାହାରିବା ସହ ଅମିତାଭ ହସ୍ପିଟାଲରେ ଆଡମିଟ୍ ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଭିଡିଓରେ ବିଗ ବି କରୋନାଭାଇରସ ଭଳି ଆପାତକାଳୀନ ସ୍ଥିତିରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ଉତ୍ସର୍ଗୀକରଣକୁ ପ୍ରଶଂସା କରିଥିଲେ । ତେବେ କରୋନାରେ ସଂକ୍ରମିତ ହୋଇ ଆଡମିଟ୍ ହେବା ପରେ ନାନାବତୀ ହସ୍ପିଟାଲରୁ ସେ ଏହି ଭିଡିଓଟିକୁ ଜାରି କରିଥିବା ଦାବି କରି ଅନେକ ଲୋକ ସୋସିଆଲ୍ ମିଡିଆରେ ଏହାକୁ ଭାଇରାଲ୍ କରିଥିଲେ ।

ଆଉଟ୍‌ଲୁକ୍ ଓ ଆଜ୍ ତକ୍ ଭଳି ଜଣାଶୁଣା ଗଣମାଧ୍ୟମ ସଂସ୍ଥା ବି ଏହି ଖବରକୁ ପ୍ରସାରିତ କରିଥିଲେ । ଫେସ୍‌ବୁକ୍ ଓ ଟୁଇଟର୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ପ୍ରଚାରିତ ହେବା ପରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମର ନଜରକୁ ଆସିଥିଲା । ମନରେ ସନ୍ଦେହ ଜାତ ହେବାରୁ ଆରମ୍ଭ ହୋଇଥିଲା ଛାନଭିନ୍ ।

ବହୁ ଲୋକଙ୍କ ଦ୍ୱାରା ଶେୟାର ହୋଇଥିବା ଭିଡିଓର ଖୋଳତାଡ କରିବା ପରେ ଆମେ ରିଭର୍ସ ଇମେଜ୍ ସର୍ଚ୍ଚର ସାହାରା ନେଇଥିଲୁ । ତେବେ ଏଣ୍ଟର ବଟନ୍ ଚିପିବା ମାତ୍ରେ ଆମକୁ ଗୁଗଲ୍ ସିଧାସଳଖ ନେଇଯାଇଥିଲା ବମ୍ବେ ଟକିଜ୍ ଟିଭି ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ।

ଖୋଳତାଡରେ ସାମ୍ନାକୁ ଆସିଥିଲା ମେଗାଷ୍ଟାରଙ୍କ ସେହି ଭାଇରାଲ୍ ଭିଡିଓ । ଜୁଲାଇ ୧୧ ନୁହେଁ ବରଂ ଏହି ଭିଡିଓଟି ଏପ୍ରିଲ୍ ୨୩ ତାରିଖରେ ସଂପୃକ୍ତ ୟୁଟ୍ୟୁବ ଚ୍ୟାନେଲ ଅପଲୋଡ୍ କରିଥିଲା । ତା ଛଡା ଫରିଦୁନ୍ ସାହାରିୟର ନାମକ ଜଣେ ଫିଲ୍ମ ସାମ୍ବାଦିକ ମଧ୍ୟ ଏହି ଭିଡିଓଟିକୁ ଏପ୍ରିଲ୍ ୨୩ରେ ଟୁଇଟ୍ କରିଥିଲେ ।

ଏହି ଭିଡିଓକୁ ନେଇ ଅନେକ ଆର୍ଟିକଲ ମଧ୍ୟ ଏପ୍ରିଲ ମାସରେ ପ୍ରକାଶିତ ହୋଇଥିଲା । ସମସ୍ତ ତଥ୍ୟ ଆଧାରରେ ଏହା ସ୍ପଷ୍ଟ ହୋଇଛି ଯେ ବଲିଉଡ ମେଗାଷ୍ଟାର ଏହି ଭିଡିଓଟିକୁ ହସ୍ପିଟାଲରେ ଆଡିମଟ୍ ହେବା ପରେ ନୁହେଁ ବରଂ ବହୁ ପୂର୍ବରୁ ଶେୟାର କରିଥିଲେ । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । (Courtesy: Bombay Talkies TV)

Leave A Reply

Your email address will not be published.