Latest Odisha News

ବିଶ୍ୱକପକୁ ନେଇ ଚର୍ଚ୍ଚା ବଢ଼ାଇଲା ଯୁବରାଜଙ୍କ ଚିନ୍ତା: ସେହୱାଗ୍ ଓ ସୌରଭ ଗାଙ୍ଗୁଲି କଲେ ଆଲୋଚନା

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳ ଏବେ ୨୦୨୩ ଏସିଆ କପରେ ବ୍ୟସ୍ତ ଅଛି। ଏହି ଟୁର୍ଣ୍ଣାମେଣ୍ଟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପରେ ଟିମ୍ ଇଣ୍ଡିଆକୁ ଦିନିକିଆ ବିଶ୍ୱକପ୍ ଖେଳିବାକୁ ପଡ଼ିବ, ଯାହାକୁ ନେଇ ଟିମ୍ ଇଣ୍ଡିଆର ଘୋଷଣା ମଧ୍ୟ ହୋଇସାରିଛି। ବିଶ୍ବକପକୁ ଆଉ ମାତ୍ର କିଛି ଦିନ ବାକି ରହିଲା। ଏଭଳି ସ୍ଥିତିରେ ଭାରତର ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତର ବିଶ୍ୱକପ୍ ଅଭିଯାନକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟରମାନେ ନିଜର ମତ ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ବିଶ୍ୱକପକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆକୁ ନେଇ କିଛି ଚିନ୍ତା ପ୍ରକଟ କରିଥିଲେ। ଯାହାକୁ ନେଇ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହୱାଗ୍ ତାଙ୍କ ଚିନ୍ତା ଦୂର କରିବା ପାଇଁ ପ୍ରୟାସ କରିଥିଲେ। ଏବେ ଯୁବରାଜଙ୍କୁ ବୁଝାଇବାକୁ ଆସିଥିବା ସେହୱାଗଙ୍କୁ ଏକ ବଡ଼ ପ୍ରଶ୍ନ ପଚାରିଥିଲେ ପୂର୍ବତନ ଭାରତୀୟ ଦଳର ଅଧିନାୟକ ତଥା ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେହୱାଗଙ୍କୁ ପଚାରିଥିଲେ ଯେ,

” କ’ଣ ବିଶ୍ୱକପ୍ ଭାରତରେ ହେଉଛି ବୋଲି ଟିମ୍ ଇଣ୍ଡିଆ ଫେବରେଟ୍ ନା ଆମେ ଶକ୍ତି ଓ ଆତ୍ମବିଶ୍ୱାସର ସହ ଖେଳୁଛୁ ବୋଲି ଫେବରେଟ୍ ? ହଁ, ଆମେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଜିତିଥିଲୁ, ଇଂଲଣ୍ଡ ବିପକ୍ଷ ସିରିଜ୍ ଡ୍ର କରିଥିଲୁ, କିନ୍ତୁ ପରେ ଆମେ ବଡ଼ ମ୍ୟାଚରେ ଉଭୟଙ୍କ ଠାରୁ ହାରିଥିଲୁ। ମୁଁ ଭାବୁଛି ଆମ ପାଖରେ ଏକ ସକ୍ଷମ ଦଳ ଏବଂ ଏକ ବଡ଼ ସୁଯୋଗ ଅଛି, କିନ୍ତୁ ବିଶ୍ୱକପ୍ ୨୦୨୩ ପୂର୍ବରୁ ଆମକୁ ବିଜୟ ପଥକୁ ଫେରିବାକୁ ପଡ଼ିବ।”

ଗାଙ୍ଗୁଲି ତାଙ୍କ ପୋଷ୍ଟରେ ଏଭଳି ଅନେକ କଥା କହିଛନ୍ତି, ଯାହା ଉପରେ ଟିମ୍ ଇଣ୍ଡିଆ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବାସ୍ତବରେ ୨୦୨୩ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବା ପାଇଁ ଟିମ୍ ଇଣ୍ଡିଆ ଉପରେ ଚାପ ରହିଛି ବୋଲି ଯୁବରାଜ କହିଛନ୍ତି। ଯୁବରାଜ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ,
“ଆମେ ସମସ୍ତେ ୨୦୧୧ ବିଶ୍ୱକପର ପୁନରାବୃତ୍ତି ଚାହୁଁଛୁ। ୨୦୧୧ରେ ଟିମ୍ ଇଣ୍ଡିଆ ଚାପରେ ରହି ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା। ୨୦୨୩ରେ ପୁଣି ଥରେ ଭଲ ପ୍ରଦର୍ଶନ ପାଇଁ ଦଳ ଉପରେ ଚାପ ରହିଛି। ଆବଶ୍ୟକ ଅନୁଯାୟୀ କିଛି ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମୟ ଅଛି କି ? ଆମେ ଏହି ଚାପକୁ ନିଜର ଅସ୍ତ୍ର କରି ‘ଗେମ୍ ଚେଞ୍ଜର’ ହୋଇପାରିବା କି ?”

ଏନେଇ ଯୁବରାଜଙ୍କୁ ଟାଗ୍ କରି ସେହୱାଗ୍ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ୍ ‘ରେ ଲେଖିଥିଲେ ଯେ, “ଏଥର ଟିମ୍ ଇଣ୍ଡିଆ ପ୍ରେସର୍ ନେବନି ବରଂ ଅନ୍ୟ ଦଳମାନଙ୍କୁ ପ୍ରେସରରେ ରଖିବ। ବିଗତ ୧୨ ବର୍ଷ ମଧ୍ୟରେ ହୋଷ୍ଟ୍ ଟିମ୍ ହିଁ ବିଶ୍ୱକପ୍ ଜିତିଛି। ୨୦୧୧ରେ ଭାରତ ନିଜ ଘରୋଇ ମୈଦାନରେ ବିଜୟ ହାସଲ କରିଥିଲା । ୨୦୧୫ରେ ଅଷ୍ଟ୍ରେଲିଆ ବି ନିଜ ଦେଶରେ ହିଁ ବିଜୟ ହାସଲ କରିଥିଲା। ୨୦୧୯ରେ ମଧ୍ୟ ଇଂଲଣ୍ଡ ତା ନିଜ ଦେଶରେ ଖେଳି ବିଶ୍ୱକପ୍ ହାତେଇ ନେଇଥିଲା। ତେଣୁ ଆମେ ଏଥର ଇତିହାସ ରଚିବା।”

ତେବେ ଏଠାରେ କହି ରଖିବୁ ଯେ ଚଳିତ ‘ଏସିଆ କପ୍ ୨୦୨୩ ଟୁର୍ଣ୍ଣାମେଣ୍ଟ’ ଟିମ୍ ଇଣ୍ଡିଆ ପାଇଁ ବିଶ୍ୱକପ୍ ପ୍ରସ୍ତୁତିର ଏକ ଅଂଶ। ବିଶ୍ୱ ଜିତିବା ପୂର୍ବରୁ ଭାରତର ଫୋକସ ଏସିଆର ଗୌରବ ହାସଲ ଉପରେ ରହିଛି । ପ୍ରଶଂସକମାନେ ମଧ୍ୟ ଟିମ୍ ଇଣ୍ଡିଆଠାରୁ ଅନେକ କିଛି ଆଶା ରଖିଛନ୍ତି।

Leave A Reply

Your email address will not be published.