Latest Odisha News

BREAKING NEWS

ଭିସେରା ଚୋରି ପଛରେ ଅଛି କି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମ୍ପୃକ୍ତି ?

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳ ବଜାରରେ ଥିବା ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ଅଭିଯୋଗ ଅନୁସାରେ, ୨୦୨୨ ଡିସେମ୍ବର ମାସରୁ ଶବ ବ୍ୟବଚ୍ଛେଦ ଗୃହ ଝରକା ଭାଙ୍ଗି କିଏ ଭିସେରା ଚୋରି କରିଛି । ତଥାପି ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସର ନିରବତା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଭିସେରା ଚୋରି ନେଇ ଗତବର୍ଷ ଡିସେମ୍ବର ୩ ତାରିଖରେ ସିଡିଏମଓଙ୍କୁ ଜଣାଇଥିଲେ ଶବ ବ୍ୟବଚ୍ଛେଦ ଗୃହ ଦାୟିତ୍ୱରେ ଥିବା କର୍ମଚାରୀ । ଆଉ ସେହିଦିନ ସିଡିଏମଓ ଭିସେରା ଚୋରି ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ । ହେଲେ ବିଡ଼ମ୍ବନା ହେଉଛି ଝାରସୁଗୁଡ଼ା ଭିତରେ ସିଡିଏମଓଙ୍କ ଚିଠି ଡିଏମଓଙ୍କ ନିକଟରେ ପହଞ୍ଚିବାକୁ ୨ ଦିନ ଲାଗିଥିଲା । ଡିଏମଓ ଚିଠି ପାଇବାର ୩ ଦିନ ପରେ ଡିସେମ୍ବର ୮ରେ ଏତଲା ଦେଇଥିଲେ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡିସେମ୍ବର ମାସରେ ଭିସେରା ଚୋରି ନେଇ ଏତଲା ହୋଇଥିବା ବେଳେ ପୋଲିସ ଚଳିତ ଜାନୁଆରୀ ମାସରେ ମାମଲା ରୁଜୁ କରିଛି । ଯାହାକୁ ନେଇ ଝାରସୁଗୁଡ଼ା ପୋଲିସର ଭୂମିକା ଉପରେ ସନ୍ଦେହ ଉଠୁଛି । କାରଣ ଗତବର୍ଷ ଏପ୍ରିଲ୍ ମାସରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଭବନରେ ତାଙ୍କ ରୋଷେୟା ଲଳିତ ସାହୁ ଆତ୍ମହତ୍ୟା କରିଥିଲେ ।

ତେବେ ଲଳିତ ଆତ୍ମହତ୍ୟା କରି ନାହାଁନ୍ତି ତାଙ୍କୁ ହତ୍ୟା କରାଯାଇଥିବା ସେତେବେଳେ ଅଭିଯୋଗ କରିଥିଲେ ବିରୋଧୀ । ତେବେ ଶବଗୃହରେ ଲଳିତଙ୍କ ଭିସେରା ଥିଲା କି ନାହିଁ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବିଜେପି ନବ ଦାସଙ୍କୁ ଟାର୍ଗେଟ୍ କରିଛି । ଭିସେରା ଚୋରିକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ କରୁଥିବା ଏସଡିପିଓ କହିଛନ୍ତି ।

କିନ୍ତୁ ପ୍ରଶ୍ନ ଡିସେମ୍ବରରେ ଏତଲା ପରେ କାହିଁକି ଜାନୁଆରୀରେ ରୁଜୁ ହେଲା ମାମଲା । ଏତଲାର ୨୦ ଦିନ ପରେ ବି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରୁନି କେତେ ଭିସେରା ଶବ ବ୍ୟବଚ୍ଛେଦ ଗୃହରେ ଗଚ୍ଛିତ ଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବି କହୁନି କେଉଁ କେଉଁ ମୃତକଙ୍କ ଭିସେରା ରଖା ଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ମଧ୍ୟରେ ଭିସେରା ତଥ୍ୟ ନେଇ ଟଣାଓଟରା ଚାଲିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିରବତା ସନ୍ଦେହକୁ ଇନ୍ଧନ ଯୋଗାଇଛି । ଏନେଇ ଓଡ଼ିଶା ସମ୍ବାଦ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଯୋଗାଯୋଗ କରିଥିବା ବେଳେ ସେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

କଣ ହୁଏ ଭିସେରା ?

କୌଣସି ସନ୍ଦେହଜନକ ମୃତ୍ୟୁର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ନ ହେଲେ ଭିସେରା ସଂରକ୍ଷିତ ରଖିଥାନ୍ତି ଡାକ୍ତର । ଯାହାକି ପରବର୍ତ୍ତୀ ସମୟରେ ଫରେନ୍ସିକ ଲାବକୁ ପଠାଯାଏ, ପୋଲିସକୁ ତଦନ୍ତରେ ସହାୟକ ହୋଇଥାଏ । ଭିସେରାକୁ ୬ ମାସ ଯାଏ ରଖା ଯାଇପାରେ ।

Leave A Reply

Your email address will not be published.